କରୋନା ଯୋଗୁଁ ଭାରତରେ ଅଟକି ରହିଥିବା ବିଦେଶୀଙ୍କ ପାଇଁ ସେବା ଯୋଗାଣ ବଢିଲା ଏପ୍ରିଲ ୩୦ ଯାଏଁ
ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯାତ୍ରା ଓ ବିଭିନ୍ନ ପ୍ରକାର ଗମନାଗମନ ଉପରେ ଭାରତ ସରକାର ନିଷେଧାଦେଶ ଜାରି କରିବାରୁ ବିଭିନ୍ନ କାର୍ୟ୍ୟରେ ଭାରତକୁ ଆସିଥିବା ବିଦେଶୀ ନାଗରିକମାନେ ଅଟକି ରହିଛନ୍ତି । ଏହି ନାଗରିକମାନଙ୍କୁ ଭାରତରେ ଥିବା ନିଜନିଜ ଦେଶର ଦୂତାବାସ ଓ ବାଣିଜ୍ୟ ଦୂତାବାସ ସହ ସମ୍ପର୍କ ରକ୍ଷା କରିବାର ସୁଯୋଗ ଯୋଗାଇ ଦିଆଯାଉଛି । ନିଜନିଜର ସୁବିଧା ପାଇଁ କୂଟନୈତିକ ନିୟମ ଅନୁସାରେ ଏସବୁ ବିଦେଶୀମାନଙ୍କୁ ଏହି ସୁବିଧା ମିଳିଛି ।
ତେବେ ଏହି ବିଦେଶୀ ନାଗରିକମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଭିସା ଅବଧି ମିଆଦ ୧ ଫେବୃଆରୀ ୨୦୨୦ ମଧ୍ୟରାତ୍ରି ସୁଦ୍ଧା ପୁରିଯାଉଛି ଏବଂ ଆଉ ଯେଉଁମାନଙ୍କ ଏହି ଅବଧି ପୁରିବାକୁ ଯାଉଛି ସେମାନଙ୍କ ସୁବିଧା ପାଇଁ ସରକାର ଏହି ସମୟସୀମାକୁ ଏପ୍ରିଲ ୩୦ ତାରିଖ ମଧ୍ୟରାତ୍ରି ଯାଏଁ ବଢାଇ ଦେଇଛନ୍ତି । ଏଥିପାଇଁ ସମ୍ପୃକ୍ତ ବିଦେଶୀ ନାଗରିକମାନେ ନିଜନିଜର ଦୂତାବାସ ସହ ସମ୍ପର୍କ ରକ୍ଷା ପୂର୍ବକ ନିୟମିତ ଭିସା, କିମ୍ବା ଭିସା ମିଆଦ ବୃଦ୍ଧି ପାଇଁ ଅନଲାଇନରେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଆବେଦନ କରିପାରିବେ । ଏହି ସେବା ପାଇଁ କୌଣସି ଦେୟ ଦେବାକୁ ପଡିବ ନ।ହିଁ ବୋଲି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଏବେ ସାରା ଭାରତରେ ଲକଡାଉନ ଯୋଗୁଁ ବିମାନ, ଜାହାଜ, ରେଳ ଓ ଅନ୍ୟାନ୍ୟ ପରିବହନ ସେବା ବନ୍ଦ ରହିଛି । ତେଣୁ ଲକଡାଉନ ପୂର୍ବରୁ ଭାରତକୁ ଆସିଥିବା ବିଦେଶୀ ନାଗରିକମାନେ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି । ସେମାନଙ୍କୁ ଭାରତ ସରକାର ଦୂତାବାସ ସ୍ତରୀୟ ସମ୍ପର୍କ ରକ୍ଷା କରିବାର ସୁଯୋଗ ଦେଇଛନ୍ତି । ତେବେ ଏହି ନାଗରିକମାନଙ୍କୁ କେତେକଙ୍କ ଭିସା ମିଆଦ ପୂରଣ ହୋଇଥିବା ବେଳେ ଆଉ କେତେକଙ୍କ ଶେଷ ହେବା ଉପରେ । ତେଣୁ ଏ ନେଇ କାଳେ କିଛି ଗୋଳମାଳିଆ ସ୍ଥିତି ସୃଷ୍ଟି ହେବ ତାହାକୁ ଦୃଷ୍ଟିରେ ରଖି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଏହି ସମସ୍ତ ବିଦେଶୀ ନାଗରିକଙ୍କ ପାଇଁ ଦୂତାବାସ ସ୍ତରୀୟ ସେବା ଯୋଗାଣ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ଚଳିତ ମାସ ୩୦ ତାରିଖ ମଧ୍ୟରାତ୍ରି ଯାଏ ବଢାଇ ଦେଇଛନ୍ତି ।