କରୋନା ଯୋଦ୍ଧାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ଦାବୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀ ରୋକିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରବାସୀ ମାନଙ୍କ ରହିବା ପାଇଁ ପ୍ରତି ପଞ୍ଚାୟତରେ ଟି.ଏମ୍.ସି(ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କେନ୍ଦ୍ର)ର ବ୍ୟବସ୍ଥା କରାଯାଇଛି । ହେଲେ ଉକ୍ତ ଟି.ଏମ୍.ସିରେ ଦିନରାତି ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବା ଜି.ପି.ଏନ୍.ଓ( ଗ୍ରାମ ପଞ୍ଚାୟତ ନୋଡାଲ ଅଫିସର) ମାନଙ୍କୁ ପ୍ରୋତ୍ସାହନ ରାଶି ମିଳି ନଥିବା ଜଣାଯାଇଛି । ପ୍ରକାଶ ଯେ, ବନ୍ତ ବ୍ଲକର ୨୫ଟି ପଞ୍ଚାୟତରେ ପ୍ରବାସୀ ଓଡିଆ ମାନଙ୍କ ରହିବା ପାଇଁ ଟି.ଏମ୍.ସିର ବ୍ୟବସ୍ଥା କରାଯାଇଥିଲା । ପ୍ରତି ଟି.ଏମ୍.ସି ପରିଚାଳନା ପାଇଁ ଜି.ପି.ଏନ୍.ଓଙ୍କ ସମେତ ଏକ ୧୦ ଜଣିଆ ଟିମ୍ ଗଠିତ ହୋଇଥିଲା । ଗତ ମାର୍ଚ୍ଚ ମାସ ଠାରୁ ଜି.ପି.ଏନ୍.ଓ ମାନେ ବିନା ପାରିଶ୍ରମିକରେ ମାସ ମାସ ଧରି ନିଜ ଜୀବନକୁ ବାଜି ଲଗାଇ ଟି.ଏମ୍.ସି ଦାୟୀତ୍ୱ ସଂପନ୍ନ କରିଆସିଛନ୍ତି । ଏପରିସ୍ଥଳେ ସେମାନଙ୍କୁ ଅଦ୍ୟାବଧି କୌଣସି ପ୍ରୋତ୍ସାହନ ରାଶି ମିଳିନଥିବା ଜଣାଯାଇଛି । ରାଜ୍ୟ ସରକାର ଏହି କରୋନା ଯୋଦ୍ଧା ମାନଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।