କରୋନା ଯୋଦ୍ଧାଙ୍କ ସମ୍ମାନରେ ସମଗ୍ର ଜିଲ୍ଲାରେ “ବନ୍ଦେ ଉତ୍କଳ ଜନନୀ” ଗାନ
ବାଲେଶ୍ୱର, (ସରୋଜ ପଣ୍ଡା):ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଆଜି ସନ୍ଧ୍ୟା ଘ୫.୩୦ମି ସମୟରେ ସମଗ୍ର ଜିଲ୍ଲାରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରାଯାଇଛି । ପଂଚାୟତସ୍ତରରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଂଚଳର ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ, ଶିଳ୍ପାନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ସମେତ ସାଧାରଣ ଜନତାଙ୍କ ଦ୍ୱାରା ଆଜି ସାମୂହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ବ୍ୟକ୍ତିଗତ ଭାବେ ଲୋକମାନେ ନିଜ ନିଜ ଘର ସମ୍ମୁଖରେ ଏହି ସଙ୍ଗୀତ ଗାନ କରିଥିବାର ଦେଖାଯାଇଥିଲା । କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ସଙ୍ଗୀତ ଗାନ ସମୟରେ ଜନସାଧାରଣ ନିଜ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ପିନ୍ଧିଥିଲେ । କରୋନା ଯୁଦ୍ଧରେ ନିଜର ସୁଖ ସ୍ୱାଚ୍ଛନ୍ଦ୍ୟକୁ ତ୍ୟାଗ କରି ସଂକ୍ରମଣକୁ ରୋକିବା ପାଇଁ ଦିନ ରାତି ଏକ କରି ଦେଇଥିବା କରୋନା ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଏବଂ ସେମାନଙ୍କ ମହତ କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ “ବନ୍ଦେ ଉତ୍କଳ ଜନନୀ” ଗାନ କରିବା ପାଇଁ ସମଗ୍ର ଜିଲ୍ଲାରେ ଜନସାଧାରଣ ସ୍ୱତଃସ୍ଫୁର୍ତ ଭାବେ ଆଗେଇ ଆସିଥିଲେ । ଏହି ଅବସରରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଠିକ ସନ୍ଧ୍ୟା ଘ୫.୩୦ମି ସମୟରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ, ଏନଡିଆରଏଫ ଯବାନ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, କ୍ରୀଡାବିତ, ସ୍ୱେଚ୍ଛାସେବୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଉପସ୍ଥିତ ରହି ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖି, ମାସ୍କ ପରିଧାନ ପୂର୍ବକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅନୁରୂପ ଭାବେ ପୋଲିସ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଜିଲ୍ଲା ସମାଜ ମଙ୍ଗଳ, ଶିକ୍ଷା ଓ ଯୋଗାଣ ବିଭାଗ ସମେତ ବିଭିନ୍ନ ଲାଇନ ଡିପାର୍ଟମେଂଟ ପକ୍ଷରୁ ନିଜ ନିଜ କାର୍ଯ୍ୟାଳୟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସଙ୍ଗୀତ ଗାନ କରାଯାଇଥିଲା ।


