କରୋନା ଯୋଦ୍ଧା ବୋଲି କହିବା କେବଳ ଧର୍ମକୁ ଆଖିଠାର ଭଳି ସାବ୍ୟସ୍ତ ହୋଇଛି
ହିଞ୍ଜିଳିକାଟୁ, (ୱାଇଏନଏସ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମତ ମନ୍ତବ୍ୟରେ ସାମ୍ବାଦିକ ମାନଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ବୋଲି କହିବା କେବଳ ଧର୍ମକୁ ଆଖିଠାର ଭଳି ସାବ୍ୟସ୍ତ ହୋଇଛି । ଚଳିତ ମାସ ୧୧ ତାରିଖରେ ହିଞ୍ଜିଳିକାଟୁ ପ୍ରେସକ୍ଳବ ସଭାପତି ତଥା ଦୈନିକ ଖବରକାଗଜ ହିଞ୍ଜିଳିକାଟୁ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ କରୋନାରେ ସଂକ୍ରମିତ ହୋଇ ଭୂବନେଶ୍ୱର କିମ୍ସ କୋଭିଡ଼ ହସପିଟାଲରେ ଚିକିତ୍ସାଧିନ ସମୟରେ ମୃତ୍ୟୁ ବରଣ କରିଥିଲେ । ସେ ବିଭିନ୍ନ ସ୍ଥାନରୁ ଖବର ସଂଗ୍ରହ କରିବା ସମୟରେ କିମ୍ବା ପ୍ରବାସୀ ଓଡ଼ିଆଙ୍କ ସହ ସମ୍ପର୍କ କରି ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସମୟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ପରିତାପର ବିଷୟ ସଂପୃକ୍ତ ସାମ୍ବାଦିକଙ୍କ ମୃତ୍ୟୁର ୪ ଦିନ ଅତିବାହିତ ହୋଇ ଯାଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଯୋଦ୍ଧା ଭାବେ ତାଙ୍କ ପାଇଁ କୌଣସି ସମ୍ମାନ କିମ୍ବା ଶ୍ରଦ୍ଧାଞ୍ଜଳି ମିଳିପାରିନାହିଁ । ସାମ୍ବାଦିକ ମାନଙ୍କ ପାଇଁ ରାଜ୍ୟ ସରକାର କୌଣସି ପ୍ରକାର ସମ୍ବେଦନ ନଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ବୋଲି ସାମ୍ବାଦିକ ମାନଙ୍କ ମହଲରେ ଆଲୋଚନା ହେଉଛି । କୌଣସି କରୋନା ଯୋଦ୍ଧା ସାମ୍ବାଦିକ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କଲେ ତାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଗତ ୧୭ ଏପ୍ରିଲରେ ଘୋଷଣା କରାଯାଇଥିଲା । ପରିତାପର ବିଷୟ ସାମ୍ବାଦିକ ତଥା କରୋନା ଯୋଦ୍ଧା ସ୍ୱର୍ଗତ ପଟ୍ଟନାୟକଙ୍କୁ ଏଯାବତ୍ କୌଣସି ପ୍ରକାର ସରକାରୀ ସହାୟତା ପ୍ରଦାନ କରି ନାହାନ୍ତି କିମ୍ବା ଏଥିପ୍ରତି ସରକାରଙ୍କ କୌଣସି ଆନ୍ତରିକତା ନଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି । ସେହିପରି କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରୁଥିବା କରୋନା ଯୋଦ୍ଧା ମାନଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବା ବେଳେ ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତି ଏଭଳି କରାଯାଇନଥିବା ଜଣାପଡ଼ିଛି । ସ୍ୱର୍ଗତ ପଟ୍ଟନାୟକ ଜଣେ ପରପୋକାରୀ, ମିଷ୍ଠାଭାଷୀ ,ସାମଜସେବୀ ଓ ବରିଷ୍ଟ ସାମ୍ବାଦିକ ଭାବେ ବେଶୁ ଜଣାଶୁଣା ଥିଲେ । ତେଣୁ ଏ ନେଇ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏ ନେଇ ସେମାନେ କହିଛନ୍ତି-:
ନିର୍ମଳ ମିଶ୍ର (ଶିକ୍ଷାବିତ୍ ତଥା ପୂର୍ବତନ ସାମ୍ବାଦିକ): ରାଜ୍ୟ ସରକାର ଅନ୍ୟ କରୋନା ଯୋଦ୍ଧା ମାନଙ୍କ ମୃତ୍ୟରେ ଯେଉଁଭଳି ତତ୍ପରତା ଦେଖାଉଛନ୍ତି, କରୋନା ଯୋଦ୍ଧା ସାମ୍ବାଦିକ ମାନଙ୍କ ପ୍ରତି ସେହିଭଳି ସମ୍ବେଦନା ପ୍ରକାଶ କରିବା ଉଚିତ । ସାମ୍ବାଦିକ ମାନେ ନିସ୍ୱାର୍ଥପର ଭାବରେ ଜୀବନକୁ ବାଜି ଲାଗାଇ ଖବର ସଂଗ୍ରହ କରୁଥିବା ବେଳେ ସାମ୍ବାଦିକ ମାନଙ୍କ ପ୍ରତି ସରକାର ଆନ୍ତରିକତା ପ୍ରଦର୍ଶନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ନୃସିଂହ ପ୍ରସାଦ ପଟ୍ଟନାୟକ (ବରିଷ୍ଟ ଆଇନଜୀବି ତଥା ବଣିକ ସଂଘ ସଭାପତି): କରୋନା ଯୋଦ୍ଧା ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତି ସରକାର ସମବେଦନା ନଜଣାଇବା ଏବଂ କରୋନା ଯୋଦ୍ଧା ଭାବେ ସମ୍ମାନ ପଦର୍ଶନ ନକରିବା ଅର୍ଥ ସାମ୍ବାଦିକ ମାନଙ୍କୁ ହତତ୍ସାହିତ କରିବା ସହ ସମାନ ।ଏଭଳି ବିପଦପୁର୍ଣ୍ଣ ସମୟରେ ନିଜ ଜିବନକୁ ବେଖାତିର କରି ସମାଜର କଲ୍ୟାଣ ପାଇଁ କାମ କରୁଥିବା ସାମ୍ବାଦିକ ମାନଙ୍କୁ ସରକାର ଉତ୍ସାହିତ କରିବା ଆବଶ୍ୟକ ।
ପ୍ରକାଶ ଚନ୍ଦ୍ର ସ୍ୱାଇଁ (ପୂର୍ବତନ ଉପନଗରପାଳ): ସାମ୍ବାଦିକ ମାନଙ୍କ ପାଇଁ ଘୋଷଣା ସ୍ୱର୍ବସ୍ୱ ରାଜ୍ୟ ସରକାରଙ୍କର କୌଣସି ଆନ୍ତରିକତା ନାହିଁ । ଏଭଳି କ୍ଷେତ୍ରରେ ସାମ୍ବାଦିକ ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତି ରାଜ୍ୟ ସରକାର ଆଦୌ ସମ୍ବେଦନଶୀଳ ନଥିବା ବାରି ହୋଇ ପଡ଼ୁଛି ।