କରୋନା ଯୋଦ୍ଧା ହୋମଗାର୍ଡ ଙ୍କ ମୃତ୍ୟୁ:ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଅନ୍ତିମ ସଂସ୍କାର
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ସହରର ଜଣେ କରୋନା ଯୋଦ୍ଧା ସହକାରୀ ଶିକ୍ଷକ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ହେବା ଘଟଣାର ସପ୍ତାହକ ପରେ ଆଉ ଜଣେ କରୋନା ଯୋଦ୍ଧା ହୋମଗାର୍ଡ ଙ୍କ ମୃତ୍ୟୁ ଘଟିଛି।ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ଗ୍ରାମର ଏସ. ଏ. ନରସିଂହ ଦାସ (୪୫) ସିଦ୍ଧେଶ୍ଵର ଆଦର୍ଶ ବିଦ୍ୟାଳୟ ସ୍ଥିତ କୋଭିଡ ସେଣ୍ଟର ଡ୍ୟୁଟିରେ ଥିଲେ।ଗତ ବୁଧବାର ଅତ୍ୟଧିକ ଜ୍ବରରେ ସେ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ଅପରାହ୍ନ ପ୍ରାୟ ୪ ଟାରେ ପରିବାର ଲୋକେ ବ୍ରହ୍ମପୁର ବଡ଼ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ।ସନ୍ଧ୍ୟା ପ୍ରାୟ ସାଢେ଼ ୭ ଟାରେ ଚିକିତ୍ସାଧୀନ ଅବସ୍ଥାରେ ନରସିଂହ ଙ୍କ ମୃତ୍ୟୁ ଘଟିଥିଲା।ଗୁରୁବାର ସନ୍ଧ୍ୟା ରେ ତାଙ୍କ ସ୍ଵାବ ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଥିଲା ।ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ଗୁରୁବାର ମୃତଦେହ ଜବତକରି ଥାନା ଅପମୃତ୍ୟୁ ମାମଲା ନଂ.୩୪୩/୨୦ ଅନୁଯାୟୀ ମକଦ୍ଦମା ରୁଜୁ କରିଥିବା ଦିଗପହଣ୍ଡି ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀ କହିଛନ୍ତି। ଗୁରୁବାର ସନ୍ଧ୍ୟାରେ ବ୍ରହ୍ମପୁର ଠାରେ ପୋଲିସ ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କ ଉପସ୍ଥିତି ରେ ସରକାରଙ୍କ କୋଭିଡ – ୧୯ ଏସ ଓ ପି ଗାଇଡ ଲାଇନ ଅନୁଯାୟୀ ରାଷ୍ଟ୍ରୀୟ ପୋଲିସ ମର୍ଯ୍ୟାଦା ସହକାରେ ମୃତଦେହ ର ଅନ୍ତିମ ସଂସ୍କାର କରାଯାଇଥିବା ଆଇ ଆଇ ସି କହିଛନ୍ତି।


