କରୋନା ଲକଡାଉନ: ବକ୍ସ ଅଫିସ କ୍ଷତି ୨୫୦୦ କୋଟି

ନୂଆଦିଲ୍ଲୀ: ବର୍ଷର ଏହି ସମୟ ବଲିଉଡ଼ ପାଇଁ ସବୁଠାରୁ ବ୍ୟସ୍ତ ବହୁଳ ସମୟ ରହିଥାଏ । ଦେଶରେ ରିଲିଜ ହୋଇଥାଏ ବିଗ ବଜେଟ ଫିଲ୍ମ । ସେହିଭଳି ହଲିଉଡର ସମର ବ୍ଲକ ବଷ୍ଟର ପାଇଁ ଆଉ ମାତ୍ର କିଛି ମାସ ବାକି ଅଛି । ଏହା ହେଉଛି ଏଭଳି ସମୟ, ଯେତେବେଳେ ଦେଶର ସିନେମା ହଲ ତଥା ମଲଟିପ୍ଲେକ୍ସରେ ନାନା ପ୍ରକାର ଫିଲ୍ମ ପ୍ରଦର୍ଶିତ ହୋଇଥାଏ । କିନ୍ତୁ ସବୁ କିଛିକୁ ଠପ କରି ଦେଇଛି କରୋନା ଭାଇରସ । ବିଶ୍ୱର ସବୁଠାରୁ ସଫଳ ଚଳଚ୍ଚିତ୍ର ଶିଳ୍ପକୁ ବାଧା ଦେଇଛି କୋଭିଡ-୧୯ ।
ମୁଭି ଥିଏଟରରେ ତାଲା, ପ୍ରଡକ୍ସନ କମ୍ପାନୀଗୁଡ଼ିକ ସୁଟିଂ ବାତିଲ କରିଦେଇଛନ୍ତି । ଫିଲ୍ମ ଷ୍ଟୁଡିଓ ଗୁଡ଼ିକ ରିଲିଜକୁ ସ୍ଥଗିତ ରଖିଛନ୍ତି । ଦୁଇ ଦୁଇଟି ମେଗା ଫିଲ୍ମ ରିଲିଜ ହୋଇପାରି ନାହିଁ । ଏହି ଦୁଇଟି ହେଲା ଆକ୍ସନ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଏବଂ କ୍ରିକେଟ ବାୟୋପିକ ‘୮୩’ । ୧୯୮୩ ବିଶ୍ୱକପରେ ଭାରତର ବିଜୟ ଗାଥାକୁ ନେଇ ‘୮୩’ ପ୍ରସ୍ତୁତ ହୋଇଛି । କେବେ ଏହି ଦୁଇଟି ଫିଲ୍ମ ରିଲିଜ ହେବ ପ୍ରଯୋଜକ ବି ଜାଣି ନାହାନ୍ତି । କରୋନା ଯୋଗୁଁ ରାଜସ୍ୱ ଏବଂ ପ୍ରଡକ୍ସନ ସୁଟ ବାତିଲ ବାବଦ ବକ୍ସ ଅଫିସ ୩୩୦ ନିୟୁତ ଡଲାରରୁ ଊର୍ଦ୍ଧ୍ବ (ପ୍ରାୟ ୨୫୦୦ କୋଟି) ଟଙ୍କର କ୍ଷତି ସହିଥିବା ଚଳଚ୍ଚିତ୍ର ବ୍ୟବସାୟ ବିଶେଷଜ୍ଞ ତଥା ଇଟିସି ବଲିଉଡ ବିଜନେସର ଟେଲିଭିଜନ ଉପସ୍ଥାପକ କୋମଲ ନାହତା ପ୍ରକାଶ କରିଛନ୍ତି ।
ଚଳଚ୍ଚିତ୍ର ସମୀକ୍ଷକ ଶୁଭ୍ରା ଗୁପ୍ତା କୁହନ୍ତି, ଏହି ଫିଲ୍ମ ଦୁଇଟି ବିଗ୍ ବଜେଟ ଫିଲ୍ମ । ଦର୍ଶକଙ୍କଠାରୁ ବିପୁଳ ରେସପନ୍ସ ଆସିବ ବୋଲି ପ୍ରଯୋଜକ ଆଶା ରଖିଥିଲେ । କିନ୍ତୁ କରୋନା ସବୁକୁ ପାଣିଚିଆ କରି ଦେଇଛି । ଏହା ଏକ ବଡ଼ କ୍ଷତି ।
୨୦୧୮ ରେ ଭାରତରେ ୧୮୦୦ ରୁ ଊର୍ଦ୍ଧ୍ବ ମୁଭି ପ୍ରସ୍ତୁତ ହୋଇଥିଲା । ଉକ୍ତ ବର୍ଷ କୌଣସି ରାଷ୍ଟ୍ର ଏତେ ମାତ୍ରାରେ ଫିଲ୍ମ ନିର୍ମାଣ କରିନଥିଲେ । ବଲିଉଡର ହିନ୍ଦୀ ଫିଲ୍ମର ପ୍ରଭୁତ୍ୱ ରହିଥିବା ବେଳେ ତେଲୁଗୁ, ମରାଠି, ଭୋଜପୁରୀ ଏବଂ ବଙ୍ଗଳା ଚଳଚ୍ଚିତ୍ରର ବି ପ୍ରମୁଖ ଅବଦାନ ରହିଛି । ଓରମାକ୍ସ ମିଡିଆ ଅନୁସାରେ ୨୦୧୯ ରେ ବକ୍ସ ଅଫିସ ରାଜସ୍ୱ ୧୦,୫୦୦ କୋଟି ଟଙ୍କା ଥିଲା । ୨୦୧୮ ତୁଳନାରେ ଏଥିରେ ୧୨% ବୃଦ୍ଧି ଘଟିଛି । ଏଥିମଧ୍ୟରୁ ସିଂହଭାଗ ରାଜସ୍ୱ ଭାରତୀୟ ଚଳଚ୍ଚିତ୍ରରୁ ଆସିଥିଲା । ହଲିଉଡ଼ର ଭାଗ ମାତ୍ର ୧୫% ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ