କରୋନା ସଂକ୍ରମଣକୁ ନେଇ ଗ୍ରାମବାସୀ ଆତଙ୍କିତ

ଜଗତସିଂହପୁର, (ଓ୍ବାଇଏନ୍ଏସ୍) : କରୋନାକୁ ନେଇ ସମଗ୍ର ବିଶ୍ୱ ଏକ ଭୟଙ୍କର ପରିସ୍ଥିତି ମଧ୍ୟରେ ଗତି କରୁଛି । କରୋନା ମହାମାରୀ ସମଗ୍ର ମାନବ ଜାତି ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ପ୍ରାୟ ସାତମାସ ଧରି କରୋନା ଆମ ଦେଶ ଭାରତ ସମେତ ଓଡ଼ିଶାବାସୀଙ୍କ ମନରେ ଏକ ଅଜଣା ଆତଙ୍କ ସୃଷ୍ଟି କରିଚାଲିଛି । ଏହାରି ମଧ୍ୟରେ ଦେଶରେ କରୋନା ଆକ୍ରାନ୍ଥଙ୍କ ସଂଖ୍ୟା ୫୦ ଲକ୍ଷକୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୮୨ହଜାରକୁ ବୃଦ୍ଧି ପାଇଛି । ସେହିପରି ଓଡ଼ିଶାରେ କରୋନା ଆକ୍ରାନ୍ଥଙ୍କ ସଂଖ୍ୟା ୧ ଲକ୍ଷ ୬୨ ହଜାରକୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୬୫୬କୁ ବୃଦ୍ଧି ପାଇଛି । ସେହିପରି ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ଏହି ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ କଣ୍ଟିଗ୍ରାମରେ ଜଣେ ବୃଦ୍ଧଙ୍କ ସମେତ ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଏବଂ ସେମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା । କିନ୍ତୁ ବୃଦ୍ଧଜଣଙ୍କ ସ୍ୱାସ୍ଥ୍ୟଗତ କାରଣରୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ବାରମ୍ବାର ଝାଡ଼ା, ପରିଶ୍ରା କରିବାରୁ ତାଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ନିଜ ଘରକୁ ପଠାଇ ଦିଆଯାଇଥିଲା । ବର୍ତ୍ତମାନ ବୃଦ୍ଧଜଣକ ଗାଁରେ ରହି ଖୋଲା ରାସ୍ତାରେ ଝାଡ଼ା ଓ ପରିଶ୍ରା କରୁଥିବାରୁ ଏହାକୁ ନେଇ କଣ୍ଟିଗ୍ରାମବାସୀମାନେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । କାରଣ ଉକ୍ତ ରାସ୍ତା ଦେଇ ଗ୍ରାମର ଲୋକମାନେ ନିକଟସ୍ଥ ବଜାରକୁ ଯିବା ଆସିବା କରୁଥିବାରୁ ଅନ୍ୟ ଲୋକମାନଙ୍କୁ ସଂକ୍ରମଣ ଭୟ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେଣୁ ତୁରନ୍ତ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି କରୋନା ସଂକ୍ରମିତ ବୃଦ୍ଧଜଣଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରେ ରଖିବାକୁ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ