କରୋନା ସଂକ୍ରମଣର ମୁକାବିଲା ଜିଲ୍ଲା ପ୍ରଶାସନର ତତ୍ପରତା

ବାଲେଶ୍ୱର : କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଗୁରୁବାର ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷ ଠାରେ ଦ୍ୱିତୀୟ ଥର ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଆଂଚଳିକ ପରିବହନ ଅଧିକାରୀ, ପୌରାଂଚଳ ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସମେତ ବିଭିନ୍ନ ଲାଇନ ଡିପାର୍ଟମେଂଟର ଅଧିକାରୀମାନେ ଯୋଗ ଦେଇ କରୋନା ଭୂତାଣୁର ପ୍ରକୋପ ଏବଂ ତାହାର ପ୍ରତିକାର ସଂପର୍କରେ ଆଲୋଚନା କରିଥିଲେ । କରୋନା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଚକ୍ରବର୍ତୀ ନିର୍ଦ୍ଦେଶ ଦେଇଥିଲେ । ଏତଦ୍ ବ୍ୟତୀତ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଏଥି ପ୍ରତି କିପରି ସଜାଗ ରହିବେ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ମୁଖ୍ୟମାନଙ୍କୁ କୁହାଯାଇଛି । କୌଣସି ପ୍ରକାର ଜର, ଥଣ୍ଡା, କାଶ, ଛିଙ୍କ ପ୍ରଭୃତିରେ ପୀଡିତ ରୋଗୀଙ୍କୁ ଚିକିତ୍ସାଳୟ ପଠାଇବା ସହିତ ଅନ୍ୟ ଦେଶରୁ ଯେଉଁ ଲୋକମାନେ ଆସୁଛନ୍ତି ତାହାର ସଠିକ ଖବର ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା, ୨୮ ଦିନ ପର୍ଯ୍ୟନ୍ତ ଘରେ ଏକୁଟିଆ ରହିବା ଏବଂ ମାସ୍କ ବ୍ୟବହାର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । କରୋନାରେ ଆକ୍ରାନ୍ତ ବୋଲି ସନ୍ଦେହ କରାଯାଉଥିବା ରୋଗୀଙ୍କୁ ଚିକିତ୍ସାଳୟରେ ଏକ ସ୍ୱତନ୍ତ୍ର ପୃଥକ ଗୃହରେ ରଖାଯିବା ଓ ତାଙ୍କର ଚିକିତ୍ସା ପାଇଁ ସେବାକାରୀମାନଙ୍କୁ ନିୟୋଜିତ କରିବା ଲାଗି ଜିଲ୍ଲାପାଳ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି କରୋନା ସଂପର୍କରେ ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଲିଫଲେଟ, ପ୍ରାଚୀରପତ୍ର, ବ୍ୟାନର, ହୋର୍ଡିଂ ପ୍ରଭୃତି ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯିବାକୁ ବୈଠକରେ ନିଷ୍ପତି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ