କରୋନା ସଂକ୍ରମଣ ଆଶଙ୍କାରେ ଗ୍ରାମବାସୀଙ୍କ ଡମ୍ପର ଚଳାଚଳକୁ ବିରୋଧ ପୁଲିସ ଗାଡିକୁ ପଥରମାଡ

ଯୋଡ଼ା (ସମିର କୁମାର ଦାସ) : ବାମେବାରୀ ଥାନା ଅନ୍ତର୍ଗତ ଜଗଦଳା- ଫୁଲଝର ରାସ୍ତାର ବଳଭଦ୍ରପୁର ଗ୍ରାମବାସୀମାନେ ବୁଧବାର କରୋନା ସଂକ୍ରମଣ ଭୟ ଆଶଙ୍କା କରି ଗ୍ରାମରାସ୍ତାକୁ ସିଲ କରି ଡମ୍ପର ଚଳାଚଳକୁ ବନ୍ଦ କରିଥିଲେ । ଏହି ସମୟରେ ପୋଲିସ ସେଠାରେ ପହଂଚିବାରୁ ଲୋକେ ପୋଲିସ ଗାଡି ଉପରକୁ ଅତର୍କିତ ଭାବେ ପଥର ମାଡ କରିଥିଲେ । ପୋଲିସ କର୍ମଚାରୀମାନେ ଗାଡି ଛାଡି ପ୍ରାଣ ବିକଳରେ ଦୌଡି ପଳାଇଥିଲେ ମଧ୍ୟ ପଥର ମାଡରେ ପୋଲିସ ଗାଡି ଟି ଭାଙ୍ଗି ରୁଜି ଯାଇଥିଲା । ଏପରି ଘଟଣା ଘଟିବା ପରେ ବ୍ୟାପକ ପୋଲିସ ଫୋର୍ସ ସେଠାରେ ମୁତୟନ ଅଛନ୍ତି । ପୋଲିସ ଉକ୍ତ ଗ୍ରାମରୁ ୧୦ ରୁ ଉର୍ଦ୍ଧ ଲୋକଙ୍କୁ ଉଠାଇ ଆଣି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ମିଳିଥିବା ସୁଚନା ଅନୁଯାୟୀ , ଲକ ଡାଉନ ସମୟରେ ଗାଁ ର ପ୍ରାୟ ଆଠ ଦଶ ଜଣ ବ୍ୟକ୍ତି , ଏହି ରାସ୍ତାରେ ଡମ୍ପର ଚଳାଚଳ ହେତୁ କରୋନା ଭୂତାଣୁ ସଂକ୍ରମଣ ହେବା ଆଶଙ୍କା କରି ବୁଧବାର ସକାଳ ୯ : ୩୦ ମିନିଟ୍ ସମୟ ରେ ଗାଁ ରେ କାହାରିକୁ ପ୍ରବେଶ କରାଇ ନଦେବା ପାଇଁ ରାସ୍ତାରେ ଗଛ ଗଣ୍ଡି ପକାଇ ଅବରୋଧ କରିବା ସହିତ ଉକ୍ତ ରାସ୍ତାଦେଇ ସ୍ଥାନୀୟ ଫୁଲଝର ଠାରେ ଥିବା ଏକ କାରଖାନାରୁ ରେଲୱେ ସାଇଡିଂକୁ ପିଲେଟ ପରିବହନ କରୁଥିବା ବହୁ ସଂଖ୍ୟାରେ ଡମ୍ପର ଚଳାଚଳକୁ ମଧ୍ୟ ଗ୍ରାମବାସୀମାନେ ବିରୋଧ କରିଥିଲେ । ଏ ନେଇ ପୋଲିସ ଖବର ପାଇବା ପରେ ଦୁଇଟି ପୋଲିସ ଫୋର୍ସ ଗାଡିରେ ପହଂଚି ବାରୁ ଲୋକେ ଉତ୍ୟକ୍ତ ହୋଇ ପୋଲିସ ଗାଡି ଉପରକୁ ପଥର ମାଡ କରିଥିଲେ । ପରେ ଘଟଣାସ୍ଥଳକୁ ବଡବିଲ ଏସଡିପିଓ ସତ୍ୟବିକାଶ ଭୂୟାଁ ବାମେବାରୀ ଥାନା ଓଆଇସି ଅମିତାଭ ଦାସ ସଦଳବଳେ ପହଂଚି ପୋଲିସ ଗାଡିକୁ ଉଦ୍ଧାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ