କରୋନା ସକ୍ରିୟ ମାମଲାର ନିମ୍ନଗାମୀ ଧାରା ଜାରି ରଖିଛି ଭାରତ

ନୂଆଦିଲ୍ଲୀ: ଭାରତରେ କରୋନା ସକ୍ରିୟ ମାମଲା ହ୍ରାସ ଧାରା ଜାରି ରହିଛି । ପ୍ରାୟ ତିନି ମାସ ପରେ ସକ୍ରିୟ ମାମଲାର ସଂଖ୍ୟା ୬ ଲକ୍ଷ ତଳକୁ ହ୍ରାସ ହୋଇଥିବା ବେଳେ ଏହା କ୍ରମାଗତ ତୃତୀୟ ଦିନରେ ବି କାଏମ ରହିଛି । ଏବେ ଦେଶରେ ମୋଟ ସକ୍ରିୟ ମାମଲା ରହିଛି ୫,୭୦,୪୫୮ । ମୋଟ ପଜିଟିଭ୍ ମାମଲାର ମାତ୍ର ୬.୯୭% ସକ୍ରିୟ ମାମଲା ହୋଇଥିବା ବେଳେ ଦେଶରେ ଏହାର ନିମ୍ନମୁଖୀ ଧାରା ଜାରି ରହିଛି । ବ୍ୟାପକ ଟେଷ୍ଟିଂ, ଉଚିତ ସମୟରେ ଟ୍ରାକିଂ, ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି ଏବଂ ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥା ଏବଂ ହୋମ୍ ଆଇସୋଲେସନ (ସଙ୍ଗରୋଧ) ର ସମାନ ନିର୍ଦ୍ଦେଶାବଳୀକୁ ଅନୁସରଣ ଇତ୍ୟାଦି ଯୋଗୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ କରୋନା ମୁକାବିଲାରେ ସଫଳତା ମିଳିପାରିଛି । କୋଭିଡ-୧୯ ମୁକାବିଲାରେ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ନିଜ ନିଜ ରଣନୀତିକୁ ଗୁରୁତ୍ୱ ଦେଇଥିବାରୁ ସକ୍ରିୟ ମାମଲା ହ୍ରାସ ପାଇଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ ସକ୍ରିୟ ମାମଲା ଯଥେଷ୍ଟ ହ୍ରାସ ପାଇଛି । ସକ୍ରିୟ ମାମଲା ଭାରତରେ ହ୍ରାସ ପାଉଥିବାରୁ ବିଶ୍ୱରେ ପ୍ରତି ଦଶ ଲକ୍ଷ ପିଛା ମାମଲା କ୍ଷେତ୍ରରେ ଭାରତ ଅଗ୍ରଣୀ ରହିଛି । ଭାରତରେ ପ୍ରତି ଦଶ ଲକ୍ଷରେ ହାରାହାରି ମାମଲାର ସଂଖ୍ୟା ରହିଛି ୫,୯୩୦ । ୧୭ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ଦଶ ଲକ୍ଷରେ ଜାତୀୟ ହାର ଠାରୁ କମ୍ ମାମଲା ରହିଛି । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭୦ ଜଣଙ୍କର ମୃତ୍ୟୁ ହୋଇଛି । ସମଗ୍ର ବିଶ୍ୱରେ ପ୍ରତି ଦଶ ଲକ୍ଷରେ ମୃତ୍ୟୁ ସଂଖ୍ୟା କ୍ଷେତ୍ରରେ ଭାରତ ସବୁଠାରୁ ତଳେ ରହିଛି, ଯାହାକି ୮୮ । ୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ଦଶ ଲକ୍ଷ ପିଛା ମୃତ୍ୟୁ ହାର ଜାତୀୟ ହାରଠାରୁ କମ୍ ରହିଛି । ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାରୁ ସକ୍ରିୟ ମାମଲାର ପ୍ରତିଶତ ମଧ୍ୟ ହ୍ରାସ ପାଇଚାଲିଛି । ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୭୪,୯୧,୫୧୩ରେ ପହଞ୍ଚିଛି । ସୁସ୍ଥ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ରହିଛି ୬୯ ଲକ୍ଷ (୬୯,୨୧,୦୫୫) । ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ପାର୍ଥକ୍ୟ ବଢ଼ିବାରେ ଲାଗିଛି ।ଅଧିକ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହେଉଥିବାରୁ ଜାତୀୟ ସୁସ୍ଥ ହାର ବୃଦ୍ଧି ପାଇ ୯୧.୫୪% ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୮,୬୮୪ ଜଣ ସୁସ୍ଥ ହୋଇ ଘରକୁ ଯାଇଥିବା ବେଳେ ନୂଆ ପଜିଟିଭ୍ ମାମଲା ରହିଛି ୪୬,୯୬୩ । ନୂଆ ସୁସ୍ଥଙ୍କ ମଧ୍ୟରୁ ୭୬% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।
କର୍ଣ୍ଣାଟକ, କେରଳ ଏବଂ ମହାରାଷ୍ଟ୍ରରୁ ଗୋଟିଏ ଦିନରେ ସର୍ବାଧିକ ୭ ହଜାର ଲେଖାଏଁ ସୁସ୍ଥ ହୋଇଛନ୍ତି । ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରୁ ୪ ହଜାର ଲେଖାଏଁ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬,୯୬୩ ନୂଆ ପଜିଟିଭ୍ ମାମଲା ଆସିଛି । ଏଥିରୁ ୭୭% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । କେରଳରେ ଏବେ ବି ସର୍ବାଧିକ ଗୋଟିଏ ଦିନରେ ୭ ହଜାର ପଜିଟିଭ୍ ମାମଲା ଆସିଛି । ଏହା ପଛକୁ ମହାରାଷ୍ଟ୍ର ଓ ଦିଲ୍ଲୀରୁ ୫ ହଜାର ଲେଖାଏଁ ମାମଲା ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୭୦ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ୭୮% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି ।
ନୂଆ ମୃତ୍ୟୁ ମାମଲାରୁ ୧୫% କେବଳ ମହାରାଷ୍ଟ୍ରରେ (୭୪ ମୃତ୍ୟୁ) ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ