କରୋନା ସତର୍କତା ଓ ମନରେଗା ପ୍ରକଳ୍ପକୁ ଜିଲ୍ଲାପାଳଙ୍କ ଗୁରୁତ୍ୱ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମହାମାରୀ କରୋନାର ଦୃତ ସଂକ୍ରମଣ ବୃଦ୍ଧି କ୍ଷେତ୍ରରେ ସାରା ରାଜ୍ୟରେ ଶୀର୍ଷ ସ୍ଥାନ ଛୁଇଁଥିବା ଗଞ୍ଜାମଜିଲ୍ଲା ପରବର୍ତ୍ତୀ ସମୟରେ ଜିଲ୍ଲାବାସୀଙ୍କ ସହଯୋଗ ଏବଂ ଜିଲ୍ଲା ପ୍ରଶାସନର ନିରନ୍ତର ପ୍ରଚେଷ୍ଟା ଓ ଅକ୍ଲାନ୍ତ ଉଦ୍ୟମ ଫଳରେ ସ୍ଥିତି କ୍ରମଶଃ ହ୍ରାସ ପାଇଥିଲା।କୋଭିଡ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ରାଜ୍ୟ ସରକାରଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇ ଅନ୍ୟାନ୍ୟ ଜିଲ୍ଲା ପାଇଁ ଗଞ୍ଜାମ ଏକ ରୋଲ ମଡେଲ ପାଲଟିଥିଲା।କିନ୍ତୁ ଚଳିତ ଶୀତ ଋତୁ ଆରମ୍ଭରେ କରୋନାର ଦ୍ଵିତୀୟ ପର୍ଯ୍ୟାୟ ଲହରୀ ପୁଣି ଅଧିକ ସଂକ୍ରମଣ ସମ୍ଭାବନା ସୃଷ୍ଟି କରିବା ଆଶଙ୍କା ରହିଛି।ଏଣୁ କରୋନାର ଦ୍ଵିତୀୟ ପ୍ରବାହ ସଂକ୍ରମଣ ପାଇଁ ଅଧିକ ସତର୍କତା ରହିବା ଏବଂ ଗ୍ରାମୀଣ ବାସିନ୍ଦାଙ୍କ ରୋଜଗାର ବୃଦ୍ଧି ସକାଶେ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁତ୍ୱାରୋପ କରିଛନ୍ତି।ଏହି କ୍ରମରେ ଜିଲ୍ଲାପାଳ ଶୁକ୍ରବାର ହିଞ୍ଜିଳି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ପଞ୍ଚାୟତ ଜନ ପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ମୁଖ୍ୟତଃ କରୋନାର ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ ଶୀତଋତୁ ସମୟରେ ପୁଣି ଅଧିକ ମାତ୍ରାରେ ସଂକ୍ରମଣ ବୃଦ୍ଧି ପାଇବା ଯଥେଷ୍ଟ ସମ୍ଭାବନା ରହିଛି।ଏଣୁ ପୂର୍ବପରି ସଫଳତା ହାସଲ ପାଇଁ ମାସ୍କ, ସାମାଜିକ ଦୂରତା ଓ ପଞ୍ଚସୁତ୍ରୀ ନିୟମ ପାଳନ ଆଦି ସଚେତନତା ଦିଗରେ ମିଳିମିଶି କାମ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।ଗ୍ରାମୀଣ ବାସିନ୍ଦାଙ୍କ ରୋଜଗାର ବୃଦ୍ଧି ସକାଶେ ମନରେଗା କାର୍ଯ୍ୟରେ ଅଧିକ ଶ୍ରମ ଦିବସ ସୃଷ୍ଟି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ।ଏଣୁ ମୋ ଉପକାରୀ ବଗିଚା, ଆଦର୍ଶ ଗାଈ ଗୁହାଳ, ମେଣ୍ଢା ଛେଳି ଗୁହାଳ ଭଳି ବ୍ୟକ୍ତିଗତ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକତା ଅନୁସାରେ ଗ୍ରାମ୍ୟ ରାସ୍ତାଘାଟ ନିର୍ମାଣ ଓ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଗ୍ରାମ୍ୟ ପରିମଳ,ସ୍ୱଚ୍ଛତା ପ୍ରତି ଯତ୍ନଶୀଳ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।କାର୍ଯ୍ୟକ୍ରମରେ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବ୍ଲକ ଅଧ୍ୟକ୍ଷ ଏନ ରଘୁନାଥ, ମୁଖ୍ୟମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ତହସିଲଦାର ପ୍ରଭାତ କୁମାର ପରିଡା,ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, ସିଡିପିଓ ଶୁଭଶ୍ରୀ ପାତ୍ର, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ପାଢୀ, ଜଳ ସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସୁରେଶ କୁମାର ଚୌଧୁରୀ,କନିଷ୍ଠ ଯନ୍ତ୍ରୀ ଇଂ ଲଡୁ କିଶୋର ପଣ୍ଡା, ଇଂ ଉମା ଚରଣ ପାଢ଼ୀ, ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶୁଭ୍ରସ୍ମିତା ସାହୁ, ରଘୁନାଥ ବେହେରା,ମନୋଜ କୁମାର ପ୍ରଧାନ,ଅଶୋକ କୁମାର ପଣ୍ଡା,ଲଡୁ କିଶୋର ବେହେରା,ଏ ସୁଦର୍ଶନ, ପ୍ରମୋଦ କୁମାର ମହାନ୍ତି,ମନୋଜ କୁମାର ସାବତ,ଭି ରବୀନ୍ଦ୍ର,କେ ଦୁର୍ଗା ପ୍ରସାଦ ରାଓ, ଅନୁପମା ବେହେରା,ଜି ମୋହନ ରାଓ ଓ କୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଜନ ପ୍ରତିନିଧି ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ