କରୋନା ସନ୍ଦିଗ୍ଧଙ୍କ ସେବାରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ବିନା କିଟ୍‌ରେ କାମ କରୁଛନ୍ତି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ କୋଭିଡ୍‌-୧୯ ପାଇଁ ସ୍ୱତନ୍ତ୍ର ଆଇସୋଲେସନ କକ୍ଷ ଖୋଲାଯାଇଛି । ଏଠାରେ ବର୍ତ୍ତମାନ ୪ଜଣ ସନ୍ଦିଗ୍ଧ ରହିଛନ୍ତି । ସନ୍ଦିଗ୍ଧଙ୍କ ସେବା ପାଇଁ ଦୈନିକ ୯ଜଣଙ୍କୁ ଦାୟୀତ୍ୱ ଦିଆଯାଇଛି । ସେବା ପାଇଁ ନିୟୋଜିତ ଥିବା ଏହି ୯ଜଣଙ୍କୁ ଆବଶ୍ୟକୀୟ କରୋନା ସୁରକ୍ଷା କିଟ୍ ପ୍ରଦାନ କରିବା କଥା । ହେଲେ ଏମାନଙ୍କୁ କେବଳ ଏଚ୍‌ଆଇବି କିଟ୍ ଅର୍ଥାତ୍ ମାସ୍କ,ଗ୍ଲୋବ ଦିଆଯାଇଛି । ଏହି ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ ଯଦି ପୋଜେଟିଭ୍ ହୁଅନ୍ତି,ତେବେ ସେବା ଦାୟୀତ୍ୱରେ ଥିବା କର୍ମଚାରୀଙ୍କ ଅବସ୍ଥା କ’ଣ ହେବ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନେକେ ମତବ୍ୟକ୍ତ କରିଛନ୍ତି ଯେ, ଆବଶ୍ୟକୀୟ କରୋନା ସୁରକ୍ଷା କିଟ୍ ପ୍ରଦାନ କରାଯାଇ ନଥିବା ଯୋଗୁଁ ଏମାନଙ୍କୁ କରୋନା ସଂକ୍ରମଣ ହେବା ଆଶଙ୍କା ରହିଛି । ବିପଦପୁର୍ଣ୍ଣ ସଂକ୍ରମଣ ମଧ୍ୟରେ ଏମାନେ ନିୟୋଜିତ ଅଛନ୍ତି । ଘଟଣାରୁ ପ୍ରକାଶ, କରୋନା ସନ୍ଦିଗ୍ଧ ସେବା ଯୋଗାଇବା ପାଇଁ ଜଣେ ଡାକ୍ତର,ଜଣେ ନର୍ସ ଏବଂ ଜଣେ ଆଟେଡେଣ୍ଟ ୩ଜଣଙ୍କୁ ୮ଘଣ୍ଟିଆ ସେବା ଯୋଗାଇବା ଦାୟୀତ୍ୱ ଦିଆଯାଇଛି । ଏହିଭଳି ଭାବେ ୮ଘଣ୍ଟିଆ ସେବାରେ ମୋଟ ୯ଜଣ ନିୟୋଜିତ ଅଛନ୍ତି । ଏହି ସ୍ୱତନ୍ତ୍ର ଆଇସୋଲେସନ କକ୍ଷରେ ନିୟୋଜିତ ମାନଙ୍କୁ କୋଭିଡ୍‌-୧୯ କିଟ୍ (ପିପିଇ.ପରସନାଲ ପ୍ରଟେକ୍ଟିଭ୍ ଇକ୍ୱୁବ୍‌ମେଣ୍ଟ)ଆଦି ଦେବାକଥା । ଏହା ସେବାରେ ନିୟୋଜିତ ବ୍ୟକ୍ତିଙ୍କ ଶରୀରର ସମସ୍ତ ଅଙ୍ଗକୁ ଘୋଡେଇ ରଖିବା ସହ ସଂକ୍ରମଣରୁ ସୁରକ୍ଷା ମିଳିଥାଏ । ଏଠାରେ କାର୍ଯ୍ୟରତ ଡାକ୍ତର, ନର୍ସ ଏବଂ ଆଟେଡେଣ୍ଟ ମାନେ ସେମାନଙ୍କ ନାମକୁ ପ୍ରକାଶ ନ କରିବା ପାଇଁ ଅନୁରୋଧ କରି କହିଛନ୍ତି ଯେ, ଆମେ ନିଜକୁ ଆଦୌ ସୁରକ୍ଷିତ ମଣୁ ନାହୁଁ । ଆମ ସୁରକ୍ଷା ପାଇଁ ଯେଉଁ କିଟ୍ ଦେବା କଥା ତାହା ବାରମ୍ବାର ଅନୁରୋଧ ପରେ ମଧ୍ୟ ଦିଆ ଯାଇନାହିଁ । ତଥାପି ସେବା କରି ଚାଲିଛୁ । ଆଗାମୀ ଦିନରେ ଆମ ଅବସ୍ଥା କ’ଣ ହେବ ତାହା ସେହି ସମୟ ହିଁ କହିବ । ଏଥି ନେଇ ଗଜପତି ଜିଲ୍ଲା ସିଡିଏମଓ ଗୁନୁରାଣୀ ପଟ୍ଟନାୟକ ଏବଂ ଡିଏମଓ ପ୍ରଦୀପ ପାତ୍ରଙ୍କୁ ପଚାରିବାରେ କହିଛନ୍ତି,ଯେଉଁମାନେ ଏହି କକ୍ଷରେ ଅଛନ୍ତି ସେମାନେ କରୋନା ସଂକ୍ରମିତ ନୁହଁନ୍ତି । କିଛି ଲକ୍ଷଣ ଦେଖା ଦେବା ଯୋଗୁଁ ସୁରକ୍ଷା ପାଇଁ ଏମାନଙ୍କୁ ଏଠାରେ ରଖାଯାଇଛି । ନିୟୋଜିତ କର୍ମଚାରୀ ମାନଙ୍କୁ ଆବଶ୍ୟକ ସୁରକ୍ଷା ପ୍ରଦାନ କରାଯାଇଛି । ସାଧାରଣରେ ଅଭିଯୋଗ ହୋଇଛି ନିୟୋଜିତ କର୍ମଚାରୀ ମାନଙ୍କୁ କୋଭିଡ୍‌-୧୯ସ୍ୱତନ୍ତ୍ର କିଟ୍ ପ୍ରଦାନ ହୋଇ ନାହିଁ । ତଥାପି କତ୍ତୃପକ୍ଷ କହୁଛନ୍ତି ସୁରକ୍ଷା କିଟ୍ ଦିଆଯାଇଛି । ଜିଲ୍ଲା ପ୍ରଶାସନ ଏଥି ନେଇ ତୁରନ୍ତ ଦୃଷ୍ଟି ଦେବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ