କରୋନା ସମୟରେ ଇଡଲି ଭେଣ୍ଡିଂ ମେସିନ୍
କରୋନା ଭାଇରସ ସମଗ୍ର ବିଶ୍ୱରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି । ସେଥିପାଇଁ ଲୋକେ ବାହାରେ ଖାଇବା ଛାଡ଼ି ଘର ଖାଦ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି । ଏଭଳି ଜଟିଳ ସମୟରେ ଇଡଲିପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ହାଇଦ୍ରାବାଦର ଡା.ମହାଲକ୍ଷ୍ମୀ ନାଗୁବାଦି ଓ ତାଙ୍କ ଉଦ୍ୟୋଗୀ ସ୍ୱାମୀ ଆୟାପ୍ପା ନାଗୁବାଦି ଏକ ଇଡଲି ଭେଣ୍ଡିଂ ମେସିନ ଡିଜାଇନ କରିଛନ୍ତି । ମେସିନର ବଟନ ଦବାଇଲେ ଗରମ ଗରମ ସାମ୍ବର ଓ ଇଡଲି ମିଳିବ । ୧ ପ୍ଲେଟ ଇଡଲି ସମ୍ବରର ମୂଲ୍ୟ ୩୫ ଟଙ୍କା ରହିଛି । ଏହି ଭେଣ୍ଡିଂ ମେସିନକୁ ଚଳାଇବା ଖୁବ ସହଜ । ଏକ ରୋବୋଟିକ ହାତ ମାଧ୍ୟମରେ ଏହା ପରିଚାଳିତ ହୋଉଛି । ଏହି ହାତ ଥରକେ ୨ ଇଡଲି ଉଠାଇ ଏକ ପୁନଃ ବ୍ୟବହାର ଯୋଗ୍ୟ ପ୍ଲେଟରେ ପରଷି ଦିଏ । ଏହା ପରେ ପ୍ଲେଟଟି ଆଗକୁ ଗତି କରେ । ସେଠାରେ ସାମ୍ବର ଓ ଚଟନି ଢ଼ଳାଯାଏ । ସମାନ ପରିମାଣର ସମ୍ବର ଓ ଚଟନି ନିମନ୍ତେ ମେସିନର ପ୍ରୋଗ୍ରାମ ଫିଟ କରାଯାଇଛି । ୮୦ ପ୍ଲେଟ ଇଡଲି ପରଷିବାର ଦକ୍ଷତା ମେସିନର ରହିଛି । ପ୍ରତ୍ୟେକ ଥର ଏହା ସାନିଟାଇଜେସନ ପ୍ରିକି୍ରୟା ମଧ୍ୟ ଦେଇ ଗତି କରେ । ରାସ୍ତାକଡ଼ ଷ୍ଟଲରେ ବିକ୍ରି ହେଉଥିବା ଖାଦ୍ୟର ଅସ୍ୱାସ୍ଥ୍ୟକର ଅବସ୍ଥା ଦେଖିବା ପରେ ଇଡଲି ଭେଣ୍ଡିଂ ମେସିନ ନିର୍ମାଣ ବିଷୟରେ ବିଚାର ଆସିଥିଲା ବୋଲି ଏକ ଜାତୀୟ ଖବର ସଂସ୍ଥା ସହ ସାକ୍ଷାତକାରରେ ଡା.ମହାଲକ୍ଷ୍ମୀ କହିଛନ୍ତି । ବର୍ଷେ ପୂର୍ବେ ସେମାନେ ଏକ ଗୁପଚୁପ ଭେଣ୍ଡିଂ ମେସିନ ପ୍ରସ୍ତୁତ କରିଥିଲେ । କିନ୍ତୁ ତାହା ସେଭଳି ଲାଭପ୍ରଦ ହେଲା ନାହିଁ ।