କରୋନା ସମୟରେ ଚାଉଳ ଲିଫ୍ଟିଂ ପାଇଁ ଭଡାଲାଗିଥିବା ଗାଡିକୁ ଭଡା ପ୍ରଦାନ କରାଯାଉନଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କରୋନା ଲକଡାଉନ ସମୟରେ ଗତ ମାର୍ଚ୍ଚମାସ ୨୭ତାରିଖରୁ ମଇମାସ ୧୦ତାରିଖ ପର୍ଯ୍ୟନ୍ତ ପ୍ରାୟ ଦେଢମାସ ପାଇଁ ମିନିଟ୍ରକ,ପିକଅପ ଭ୍ୟାନ ଓ ୪୦୭ ଗାଡି ଗୁଡିକ କେନ୍ଦ୍ରାପଡା ବ୍ଲକରେ ବିଭିନ୍ନ ପଂଚାୟତକୁ ଚାଉଳ ନେବା ପାଇଁ ଭଡାରେ ଅଣାଯାଇଥିଲା । ସଂପୃକ୍ତ ଗାଡି ଗୁଡିକୁ ଆଂଚଳିକ ପରିବହନ ବିଭାଗ ମାର୍ଚ୍ଚମାସ ୨୭ତାରିଖରେ ବିଡିଓ କେନ୍ଦ୍ରାପଡାଙ୍କ ନାମରେ ରିକୁଜିସନ କରି କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଥିଲା । ଗାଡି ଗୁଡିକ ସେହିଦିନ ଠାରୁ ବ୍ଲକ କାର୍ଯ୍ୟାଳୟରେ ରହି ବିଭିନ୍ନ ସ୍ଥାନକୁ ଚାଉଳ ନେଇ ଯିବା କାର୍ଯ୍ୟରେ ଲାଗିଥିଲା । ସେହି ଗାଡି ଗୁଡିକୁ ଗତ ମଇମାସ ୧୦ତାରିଖରେ କେନ୍ଦ୍ରାପଡା ବିଡିଓ ରିଲିଭ କରିଦେଇଥିଲେ । ସେହିଦିନ ଠାରୁ ସଂପୃକ୍ତ ଗାଡିର ମାଲିକମାନେ ସେମାନଙ୍କ ଗାଡିର ଭଡା ବାବଦ ଅର୍ଥ ପାଇବା ପାଇଁ ଗୋଟିଏ ଅଫିସରୁ ଅନ୍ୟ ଅଫିସକୁ ଦୈାଡି ଦୈାଡି ନୟାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କୁ ଗାଡିଭଡା ମିଳୁନଥିବା ଅଭିଯୋଗ ହୋଇଛି । ଗାଡିମାଲିକମାନେ କେନ୍ଦ୍ରାପଡା ବିଡିଓଙ୍କୁ ଏସମ୍ପର୍କରେ ଗତ ସେପ୍ଟେମ୍ବରମାସ ୨୮ତାରିଖରେ ଓ ଅକ୍ଟୋବରମାସ ୭ତାରିଖରେ ଲିଖିତ ଭାବେ ଜଣାଇବା ପରେବି କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ସେମାନେ ଜିଲ୍ଲାପାଳ ଓ ବେଷାମରିକ ଯୋଗାଣ ଅଧିକାରୀଙ୍କୁ ଏସମ୍ପର୍କରେ ଅଭିଯୋଗ କରିଥିଲେ । ଉପଜିଲ୍ଲାପାଳଙ୍କୁ ମଧ୍ୟ ସେମାନେ ଅଭିଯୋଗ କରିଥିଲେ । ଏବେ କେନ୍ଦ୍ରାପଡା ବିଡିଓ ସୁଧିର କୁମାର ସିଂଙ୍କର ଏହି ବ୍ଲକରୁ ବଦଳି ହୋଇଯାଇଥିବାରୁ ସେ ଏସମ୍ପର୍କରେ ମାକେର୍ଟିଂ ଇନିସପେକ୍ଟରଙ୍କୁ ସମସ୍ୟାର ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ । ମାକେର୍ଟିଙ୍ଗ ଇନିସପେକ୍ଟର ସେମାନଙ୍କୁ କହୁଛନ୍ତି ଯେ କେବଳ ୮ଦିନର ଗାଡିଭଡା ସେମାନଙ୍କୁ ମିଳିବ । ଏକଥା ଶୁଣି ଗାଡିମାଲିକମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ଋଣରେ ଆଣିଥିବା ଗାଡି ପାଇଁ ସେମାନଙ୍କୁ ପ୍ରତିମାସରେ ଗାଡିର କିସ୍ତି ଦେବାକୁ ପଡୁଥିବା ବେଳେ ବ୍ଲକରେ ଭଡା ଲାଗିଥିବା ଦେଢମାସ ପାଇଁ ଗାଡିଚାଳକର ଦରମା ସେମାନଙ୍କୁ ଦବାକୁ ପଡିଛି । ଏସବୁ ପରେବି ସେମାନଙ୍କୁ ବ୍ଲକରେ ଭଡା ଲାଗିଥିବା ଗାଡିର ଭଡା ନମିଳିବା ଓ ସେମାନଙ୍କୁ ହଇରାଣ କରାଯିବାରୁ ଗାଡିମାଲିକମାନେ ସେମାନଙ୍କ ଗାଡିଭଡା ପାଇବା ପାଇଁ ଗୁରୁବାର ଜିଲ୍ଲାପାଳଙ୍କ ଦାୟୀତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ଅଭିଯୋଗ କରିଛନ୍ତି । ସେମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସେମାନଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି । ଗାଡିଭଡା ନପାଇଲେ ସେମାନେ ବାଧ୍ୟହୋଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ସେକ ଆଲାମ, ଶ୍ରୀକାନ୍ତ କୁମାର ସାହୁ, ସୁବାଷ ବେହେରା, ବିଶ୍ୱଜିତ ସ୍ୱାଇଁ, ସେକ ଶରତ ଖାନ, ଅଜିତ କୁମାର ରାୟ ପ୍ରମୁଖ ଗାଡିମାଲିକମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ।


