କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ୨ଠ-୮ ଫର୍ମୁଲାରେ ଲଢ଼ିବେ
ନୂଆଦିଲ୍ଲୀ (ଏଜେନ୍ସି): ଦୀର୍ଘଦିନ ଧରି ମରାଥନ ବୈଠକ ଓ ଆଲୋଚନା ପରେ ଶେଷରେ କଂଗ୍ରେସ ଓ ଜେଡିଏସ୍ କର୍ଣ୍ଣାଟକରେ ଏକାଠି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ଏହି ମେଣ୍ଟର ନିଷ୍ପତ୍ତି ଅନୁଯାୟୀ, କଂଗ୍ରେସ କର୍ଣ୍ଣାଟକର ୨୮ଟି ଆସନରୁ ୨ଠଟି ଓ ଜେଡିଏସ୍ ୮ଟି ଆସନରେ ପ୍ରାର୍ଥୀ ଦେବ । ଜେଡିଏସ୍ ପ୍ରତିଷ୍ଠାତା ଏଚ୍ଡି ଦେବଗୌଡ଼ା ଆଜି ସନ୍ଧ୍ୟାରେ ସିଟ୍ ଶେୟାରିଂ ଚୂଡ଼ାନ୍ତ ହୋଇନଥିବା କହିଥିଲେ । ଏଥିସହ ୧୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମେଣ୍ଟ ସମ୍ପର୍କରେ ଘୋଷଣା କରିବେ ବୋଲି ସେ ସୂଚନା ଦେଇଥିଲେ । କିନ୍ତୁ ଏହି ସୂଚନାର ମାତ୍ର କିଛି ଘଣ୍ଟା ପରେ ମେଣ୍ଟ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି । ମେଣ୍ଟ ସମ୍ପର୍କରେ ଘୋଷଣା ପୂର୍ବରୁ ମଇଶୂର-କୋଡାଗୁ ଆସନକୁ ନେଇ ଦୁଇ ଦଳ ମଧ୍ୟରେ ଟଣାଓଟରା ହୋଇଥିଲା । ତେବେ ଶେଷରେ କଂଗ୍ରେସ ଏଥିରେ ବାଜିମାତ୍ କରିଥିଲା । ତେବେ ହାସନ ଓ ମାଣ୍ଡ୍ୟା ଆସନରେ ଜେଡିଏସ୍ ପ୍ରାର୍ଥୀ ଦେବ । ଏହି ଦୁଇଟି ସ୍ଥାନକୁ ଜେଡିଏସ୍ ଗଡ଼ ବୋଲି କୁହାଯାଏ । ୨୦୧୪ରେ ବିଜେପି ୧୬ଟି ଆସନରେ ଜିତିଥିବାବେଳେ କଂଗ୍ରେସ ୯ଟି ଓ ଜେଡିଏସ୍ ୨ଟି ଆସନରେ ଜିତିଥିଲା ।