କର୍ଣ୍ଣାଟକ ଉପନିର୍ବାଚନ : କଂଗ୍ରେସ ଓ ଜେଡିଏସ୍କୁ ଝଟ୍କା
ବେଙ୍ଗାଲୁରୁ: କର୍ଣ୍ଣାଟକ ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଏଥିରେ କଂଗ୍ରେସ ଓ ଜେଡିଏସକୁ ଜବରଦସ୍ତ ଝଟକା ଲାଗିଛି। ମାତ୍ର ବିଜେପିକୁ ଜବରଦସ୍ତ ସଫଳତା ମିଳିଛି। ବର୍ତ୍ତମାନର ଭୋଟ୍ ଗଣତି ଅନୁସାରେ ବିଜେପି ୧୫ଟି ଆସନରୁ ୧୧ଟି ଆସନରେ ଆଗୁଆ ରହିଛି। ଭୋଟ ଗଣତିବେଳେ ପଛରେ ଥିବାରୁ କଂଗ୍ରେସ ଜନମତକୁ ସମ୍ମାନ ଦେଇ ପରାଜୟ ସ୍ୱୀକାର କରିଛି। ଅନ୍ୟପଟେ ବିଜେପି ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ। ଭୋଟ ଗଣତିର ତିନି ଘଣ୍ଟା ପରେ କଂଗ୍ରେସ ପ୍ରାର୍ଥୀ ଅନେକ ସ୍ଥାନରେ ପଛରେ ରହିଛନ୍ତି। ପରାଜୟକୁ ସ୍ୱୀକାର କରୁଛୁ ବୋଲି କହିଛନ୍ତି କଂଗ୍ରେସ ନେତା ଡିକେ ଶିବକୁମାର। କଂଗ୍ରେସ ୨ଟି ଆସନରେ, ଜେଡିଏସ ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀ ଜଣେ ଭୋଟ ଗଣତି ବେଳେ ଆଗୁଆ ରହିଛନ୍ତି। ଜୁଲାଇରେ ଜେଡିଏସ ଏବଂ କଂଗ୍ରେସର ବିଧାୟକମାନେ ଦଳ ଓ ବିଧାୟକ ପଦବୀରୁ ଇସ୍ତଫା ଦେଇଥିଲେ। ଫଳରେ ୧୭ଟି ଆସନ ଖାଲି ପଡ଼ିଥିଲା। ଏହା ପରେ ଜେଡିଏସ୍-କଂଗ୍ରେସ ସରକାର ଭାଙ୍ଗିଯାଇଥିଲା। ଏହାପରେ ବିଜେପି ବିଧାୟକ ବି. ଏସ୍. ୟେଦ୍ୟୁରପ୍ପାଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ଗଢ଼ିଛି। ଏହାପରେ ୧୫ଟି ଆସନ ପାଇଁ ଉପନିର୍ବାଚନ ହୋଇଛି। କ୍ଷମତାରେ ରହିବା ପାଇଁ ବିଜେପିକୁ ୭ଟି ଆସନରେ ବିଜୟୀ ହେବାର ଆବଶ୍ୟକ ଥିଲା। ହେଲେ ଏବେ ୧୧ଟି ଆସନରେ ବିଜେପି ଜିତିବ ବୋଲି ଆକଳନ କରାଯାଉଛି। ବିଜେପି ପାଖରେ ଏବେ ୧୦୫ ବିଧାୟକ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନ ରହିଛି। ସେହିପରି କଂଗ୍ରେସ ପାଖରେ ୬୬ ଏବଂ ଜେଡିଏସ ପାଖରେ ୩୪ ବିଧାୟକଙ୍କ ସମର୍ଥନ ରହିଛି।


