କର୍ମଚାରୀ ଅଭାବରୁ ବ୍ୟାଙ୍କ ପରିଚାଳନାରେ ସମସ୍ୟା

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌): ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ବନ୍ତ ଶାଖାରେ ଆବଶ୍ୟକ କର୍ମଚାରୀ ନଥିବାରୁ ନାନାଦି ସମସ୍ୟା ଦେଖାଯାଇଛି । ଖୋଦ୍ ଶାଖା ପରିଚାଳକ କାଉଁଣ୍ଟର ସମ୍ଭାଳୁଥିବା ବେଳେ ସୁପରଭାଇଜର ନଥିବାରୁ ସମବାୟ ସମିତି ଗୁଡିକରେ ସଠିକ୍ ଭାବେ କାର୍ଯ୍ୟ ହୋଇପାରୁନାହିଁ । ପ୍ରକାଶ ଯେ, ବନ୍ତ ସଦର ମହକୁମାରେ ବିିବିସିସି ବ୍ୟାଙ୍କ ଶାଖା ଅବସ୍ଥିତ । ଏହି ଶାଖାରେ ପ୍ରାୟ ୧୫ ହଜାର ଗ୍ରାହକ ଥିବା ବେଳେ ୩ ଶହ ସ୍ୱୟଂ ସହାୟକ ଗୋଷ୍ଠୀ ରହିଛନ୍ତି । ସେହିପରି ଉକ୍ତ ବ୍ୟାଙ୍କ ଅଧିନରେ ଥିବା ୮ଟି ସେବା ସମବାୟ ସମିତିରେ ଶହ ଶହ ଚାଷୀ ରହିଛନ୍ତି । ଏପରିସ୍ଥଳେ ଏହି ଶାଖାରେ କାଉଁଣ୍ଟର ଚଳାଇବା ପାଇଁ ୨ଟି ପଦବୀ, ଋଣ ବିଭାଗରେ ଗୋଟିଏ ପଦବୀ, କ୍ଷେତ୍ର ପରିଦର୍ଶନ ପାଇଁ ଗୋଟିଏ ପଦବୀ ଖାଲି ପଡିଛି । ଗତ ୨/୩ ବର୍ଷ ହେବ ସୁପରଭାଇଜର ପଦବୀ ଖାଲି ଥିବାରୁ ସମବାୟ ସମିତି ଗୁଡିକୁ ସଠିକ୍ ଭାବେ ତଦାରଖ କରାଯାଇପାରୁନାହିଁ । ଫଳରେ ସମବାୟ ସମିତି ଗୁଡିକରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ସେହିପରି ଗତ କିଛି ଦିନ ପୂର୍ବେ ଜଣେ ସହକାରୀ ଶାଖା ପରିଚାଳକଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ତାହା ବଦଳରେ କାହାରିକୁ ନିଯୁକ୍ତି ଦିଆଯାଇନାହିଁ । ଫଳରେ ସ୍ୱଳ୍ପ କର୍ମଚାରୀ ମାନଙ୍କୁ ନେଇ ଚାଲିଥିବା ଶାଖାର କାର୍ଯ୍ୟଭାର ଦିନକୁ ଦିନ ବୃଦ୍ଧି ପାଇବା ସଂଗେ ସଂଗେ ଗ୍ରାହକ ଓ ଚାଷୀ ମାନେ ଉପଯୁକ୍ତ ସେବା ପାଇ ପାରୁନାହାନ୍ତି । ଚଳିତ ମାସ ପ୍ରଥମ ସପ୍ତାହରେ ଉକ୍ତ ବ୍ୟାଙ୍କ ଶାଖାର କର୍ମଚାରୀ ଅଭାବ ସଂପର୍କରେ ବନ୍ତ ବ୍ଲକ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମବାୟ ସଂସ୍ଥାର ବହୁ ଉଚ୍ଚ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହି ବୈଠକରେ ସୁପରଭାଇଜର ସମେତ ଅନ୍ୟ ପଦବୀ ଗୁଡିକ କିପରି ଯଥାଶିଘ୍ର ପୂରଣ ହୋଇ ପାରିବ ସେ ସଂପର୍କରେ ଆଲୋଚନା ହୋଇଥିଲା । ମାତ୍ର ଉଚ୍ଚ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ବହୁ ସମସ୍ୟା ମଧ୍ୟରେ ବ୍ୟାଙ୍କ ଶାଖା ପରିଚାଳିତ ହେଉଥିବା ଜଣାଯାଇଛି । ତେବେ ରାଜ୍ୟ ସରକାର ତଥା ସଂପୃକ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ