କର୍ମଚାରୀ ବିହୀନ ଅବକାରୀ ଥାନା: ଦିନକୁ ଦିନ ବୃଦ୍ଧି ପାଉଛି ବେଆଇନ ମଦ ବ୍ୟବସାୟ

ଭଣ୍ଡାରିପୋଖରୀ , (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଏବେ ଦିନକି ଦିନ ବେଆଇନ ମହୁଲୀ ରନ୍ଧାମଦ କାରବାର ବୃଦ୍ଧି ପାଉଥିବାବେଳେ ଆସ୍କା ଫର୍ଟି ଓ ବିଦେଶୀ ମଦର ବିକ୍ରୟ ମଧ୍ୟ କିଛି କମ ନାହିଁ । ବିଶେଷ କରି ପଡୋଶୀ କେନ୍ଦୁଝର ଜିଲ୍ଲାରୁ ଅନେକ ବେଆଇନ ମଦ ଆସୁଥିବାବେଳେ ଏହା ବ୍ଲକର ସୀମାବର୍ତ୍ତୀ ଅଞ୍ଚଳରେ ବିପୁଳ ପରିମାଣରେ ବିକ୍ରୟ ହେଉଛି । ମାସରେ ଥରେ ଦୁଇଥର ବେଆଇନ ମଦ ବେପାରୀଙ୍କ ଉପରେ ଚଢାଉ କରାଯାଉଥିଲେ ସୁଦ୍ଧା ମଦ ପରିବହନ ଓ ବେପାର ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖାଯାଉଛି । ଏପଟେ ଅବକାରୀ ଥାନାରେ କର୍ମଚାରୀ ନଥିବାରୁ ଦିନକୁ ଦିନ ବେଆଇନ ମଦ ବ୍ୟବସାୟ ବୃଦ୍ଧି ପାଉଥିବା କୁହାଯାଉଛି । ଧାମନଗର ଜୟନଗର ଠାରେ ପ୍ରତିଷ୍ଠା ହୋଇଥିବା ଅବକାରୀ ଥାନାକୁ ଏବେ ଦଶବର୍ଷ ପୁରିଯାଇଥିଲେ ମଧ୍ୟ ଏଯାଏଁ ଆବଶ୍ୟକୀୟ କର୍ମଚାରୀ ଯୋଗାଯାଇନାହିଁ । କାର୍ଯ୍ୟାଳୟ ପ୍ରତିଷ୍ଠା ହେବାର ପ୍ରଥମ ଚାରିପାଞ୍ଚବର୍ଷ କୌଣସି ଅଧିକାରୀ ଏଠାକୁ ଆସି କାମ କରିନଥିବାବେଳେ ବିଗତ ୫/୬ବର୍ଷ ହେବ ଏହାକୁ କାର୍ଯ୍ୟକ୍ଷମ କରାଯାଇଛି । ଦୁଇଜଣ ଅଧିକାରୀଙ୍କୁ ମିଶାଇ ଏଠାରେ ଏବେ ମୋଟ ୫ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଉକ୍ତ ଅବକାରୀ ଥାନାଟି ଧାମନଗର ବ୍ଲକର ଆରଡି ଠାରୁ ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦା ଯାଏଁ ବିସ୍ତିର୍ଣ୍ଣ ଅଞ୍ଚଳରେ ବେଆଇନ ନିଶା କାରବାରକୁ ରୋକିବା ପାଇଁ କାର୍ଯ୍ୟ କରିଥାଏ । ହେଲେ ପରିତାପର ବିଷୟ କାର୍ଯ୍ୟାଳୟ ଠାରୁ ଆରଡି ୨୦କି.ମି. ହୋଇଥିବାବେଳେ ଆଖୁଆପଦା ମଧ୍ୟ ୨୦କି.ମି. ଅଟେ । ଯଦି କୌଣସି ମାଫିଆ ମଦ ଧରି ଗାଡିରେ ଆସୁଥାଏ ସେ ସମୟରେ ଅବକାରୀ ବିଭାଗକୁ ଖବର ଦିଆଯାଏ ତେବେ ତତକ୍ଷଣାତ ଚଢାଉ ହେବା ସମ୍ଭବ ହୁଏ ନାହିଁ । ତାର ପ୍ରମୁଖ କାରଣ ହେଲା ଆବଶ୍ୟକୀୟ କର୍ମଚାରୀ ନଥିବାରୁ ତତକ୍ଷଣାତ ଜଣେ ଦୁଇଜଣଙ୍କୁ ନେଇ କୌଣସି ମଦ ମାଫିଆଙ୍କ ଉପରେ ଅଧିକାରୀଙ୍କ ଚଢାଉ କରିବା ସମ୍ଭବପର ହୁଏ ନାହିଁ । ଯଦିଓ ମାସରେ ଥରେ ଦୁଇଥର ଚଢାଉ ହୋଇ କିଛି ବେଆଇନ ବ୍ୟବସାୟୀଙ୍କୁ ଗିରଫ କରାଯାଏ ଥାହା ପୁଣି ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ କର୍ମଚାରୀ କିମ୍ବା ସ୍ପେଶାଲ ସ୍କ୍ୱାଡ ସହଯୋଗରେ ସମ୍ଭବ ହୋଇଥାଏ । ନଚେତ ପୂର୍ବ ସୂଚନା ଅନୁସାରେ ଯୋଜନା ପ୍ରସ୍ତୁତ କରାଯାଇ ଅଧିକାରୀ ମାନେ କେତେକ ସ୍ଥାନରେ ବେଆଇନ ମଦମାଫିଆ ମାନଙ୍କୁ ଧରିବାରେ ସକ୍ଷମ ହୁଅନ୍ତି । ସେ ଯାହାବି ହେଉ ଆବଶ୍ୟକ ପରିମାଣର କର୍ମଚାରୀ ନଥିବାରୁ ଏବେ ଭଣ୍ଡାରିପୋଖରୀ ବ୍ଲକ ଅଧିନ ପାଟୁଳି, ନେରଡା, ରାଜେନ୍ଦ୍ରପୁର, କୁରିଗାଁ, ନିର୍ଗୁଣ୍ଡି, ରହଣିଆ, ମାଳଦାରେ ବେଆଇନ ମଦକାରବାର ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ରନ୍ଧା ମଦର ବିକ୍ରୟ ବହୁଳ ପରିମାଣରେ ହେଉଥିବାରୁ ଏହା କେତେବେଳେ ଯେ ବିଷାକ୍ତ ମଦମୃତ୍ୟୁର କାରଣ ସାଜିବ ତାହା କହିହେଉନାହିଁ । ତେଣୁ ବେଳ ଥାଉଥାଉ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ମାନେ ଏହା ଉପରେ ଦୃଷ୍ଟିଦେଇ ଧାମନଗର ଥାନା ଅବକାରୀକୁ ଆବଶ୍ୟକୀୟ କର୍ମଚାରୀ ଯୋଗାଇଦେଲେ ବେଆଇନ ମଦକାରବାର ରୋକିବା ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ