କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): କେନ୍ଦ୍ର ଆଧାରରେ ରାଜ୍ୟ ସରକାରୀ କର୍ମଚାରୀ ଓ ଶିକ୍ଷକମାନଙ୍କ ନିମନ୍ତେ ମହଙ୍ଗା ଭତ୍ତା ଘୋଷଣା ସହିତ ପଡ଼ି ରହିଥିବା ଅମିମାଂସିତ ଦାବିଗୁଡ଼ିକର ଆଶୁ ସମାଧାନ ଦାବି କରି ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଦିଆଯାଇ ବିଷୟ ସଂଗଠନର ସଭାପତି ଲିଙ୍ଗରାଜ ମହାନ୍ତି, କାର୍ଯ୍ୟକାରୀ ସଭାପତି ସୁଦର୍ଶନ ପ୍ରଧାନ, ସାଧାରଣ ସମ୍ପାଦକ ନରୋତ୍ତମ ପାର୍ଥସାରଥୀ ଓ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ଏକ ପ୍ରେସ୍ ନୋଟ୍ରେ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ , ରାଜ୍ୟ ଗ୍ରାମାଞ୍ଚଳଠାରୁ ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ଓ ଶିକ୍ଷକମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ କର୍ମଚାରୀଙ୍କ ସ୍ୱାର୍ଥରେ ପଡ଼ି ରହିଥିବା ଅମିମାଂସିତ ଦାବି ଯଥା – କେନ୍ଦ୍ର ଅନୁରୂପ ଘରଭଡ଼ା ଭତ୍ତା, ବର୍ଦ୍ଧିତ ଦରମାର ଗଚ୍ଛିତ ଅବଶିଷ୍ଟ ୬୦% ଅର୍ଥ ପ୍ରଦାନ, ସମାନ କାମକୁ ସମାନ ଦରମା ଉପରେ ଆଧାରିତ ନୀତି ଅନୁଯାୟୀ କଣ୍ଟ୍ରାକ୍ଚୁଆଲ ଓ ଏନ୍.ଏଚ୍.ଏମ୍. କଣ୍ଟ୍ରାକ୍ଚୁଆଲମାନଙ୍କ ଦରମା ନିର୍ଦ୍ଧାରଣ, ଛଟେଇ, ଅସ୍ଥାୟୀ ଓ ଆଉଟ୍ସୋର୍ସିିଂ କର୍ମଚାରୀ ଭାବେ ଜଳସମ୍ପଦ, ପ୍ରାଣୀ ସମ୍ପଦ, ଜଳଯୋଗାଣ, କୃଷି ଗବେଷଣା ଓ ଉନ୍ନୟନ ଏବଂ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ସେହି ବିଭାଗରେ ଖାଲି ସ୍ଥାନ ଥିବା ସ୍ଥାନରେ ନିଯୁକ୍ତି ଦେବା, ଇଞ୍ଜିନିୟରିଂ ବିଭାଗଗୁଡ଼ିକରେ କାର୍ଯ୍ୟରତ ୱାର୍କଚାର୍ଜମାନଙ୍କୁ ପୂର୍ବଭଳି ସ୍ଥିରୀକୃତ ପେନ୍ସନ ଓ ୨୦୦୫ ମସିହାରେ ଲାଗୁ ହୋଇଥିବା ସ୍ୱଦେୟ ପେନ୍ସନ ବଦଳରେ ସ୍ଥିରୀକୃତ ପେନ୍ସନ ପୂର୍ବପରି ଦେବା ଦାବିଗୁଡ଼ିକୁ ଅଗ୍ରାଧିକାର ଭାବେ ବିଚାର କରି ସମାଧାନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦାବି ପୂରଣରେ ବିଳମ୍ବ ଓ କର୍ମଚାରୀଙ୍କ ଆର୍ଥିକ ଅବସ୍ଥାକୁ ବିବେଚନା କରି ଯଥାଶୀଘ୍ର କେନ୍ଦ୍ର ଅନୁରୂପ ୫% ମହଙ୍ଗା ଭତ୍ତା ଘୋଷଣା ସହିତ ଦୀର୍ଘ ଦିନର ଅମିମାଂସିତ ଜରୁରୀ ଦାବିଗୁଡ଼ିକ ସମାଧାନ କରିବାକୁ ରାଜ୍ୟ କର୍ମଚାରୀ ସମନ୍ୱୟ ସମିତିର ବିଶ୍ୱମୋହନ ମହାପାତ୍ର, ମହିଳା ସବ୍କମିଟିର ଆବାହକ ଶ୍ରୀମତୀ ସାହୁ, କାହ୍ନୁ ଚରଣ ମଲ୍ଲିକ, ସଦାନନ୍ଦ ବେହେରା, ମହେଶ ପଟ୍ଟନାୟକ, ସୁଜିତ କୁମାର ନାୟକ, ଦେବେନ୍ଦ୍ର ଜଗନ୍ନାଥ ନାୟକ, ଅରୁଣ କୁମାର ବଳିଆରସିଂ, ପ୍ରଶାନ୍ତ କୁମାର ମହାନ୍ତି୍, ବିକାଶ ଚନ୍ଦ୍ର ମହାପାତ୍ର, ବସନ୍ତ ବେହେରା, ଜ୍ୟୋତ୍ସ୍ନାମୟୀ ଦେଈ, ଆନା ସୋରେଙ୍ଗ, ଶ୍ରୀମତୀ ସେଫାଳୀ ଦାସ, ସଂଘମିତ୍ରା ସ୍ୱାଇଁ, ଲକ୍ଷ୍ମୀଧର ଜେନା ପ୍ରମୁଖ ରାଜ୍ୟ ନେତୃତ୍ୱମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିବା ବିଷୟ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ଜଣାଇଛନ୍ତି ।


