କର୍ମ ତୋହର ନିଜ ଗୁରୁ

କାର୍ଯ୍ୟ କାହାକୁ ଛାଡ଼ିନି. କର୍ମ ନଥିଲେ ଜୀବନର ମାନେ ହିଁ ନାହିଁ. ସେହି କର୍ମ ତତ୍ପରତା ବେଳେ ବେଳେ ଜଂଜାଳ ଭଳି ଲାଗେ. ଗୋଟେ ସ୍ତ୍ରୀ ଲୋକ ପାଇଁ ଘର କାମ, ରୋଷେଇ କାମ, ଅଫିସ କାମ, ଗୁରୁଜନଙ୍କ ସେଵା, ସ୍ୱାମୀଙ୍କ ପାଇଁ ଆନୁଗତ୍ୟ ରହିବା ସେଵା ଯୋଗାଉ ଯୋଗାଉ ମାଆ ହେଲା ପରେ ଛୁଆ ଜଞ୍ଜାଳ ଆଣିଦିଏ କାର୍ଯ୍ୟବ୍ୟସ୍ତତା. ମାଆ ପାଇଁ ଛୁଆ ତାର ସବୁକିଛି.ଶିଖା ମଧ୍ୟ ଜଣେ କର୍ମଜୀବୀ ମହିଳା. ପୁଅଟିର କାମ ଦାମ କରୁ କରୁ କେବେ ଭାତ ଉତୁରିପଶେ ତ କେବେ ଡାଲି ବେଶି ସିଝିଯାଏ ପୁଣି କେବେ ଗୋଟେ ପଟ ଭଜା ପୋଡ଼ିଯାଏ ତ ପୁଣି କେବେ ମାଛ ଲାଗିଯାଏ ତ ସବୁ ଦୋଷ ଯେମିତି ଶାଶୁ ଶଶୁରଙ୍କର. ଉପରକୁ କିଛି କହିନପାରିଲେ ମଧ୍ୟ ବିଡି ବିଡି ହୁଏ ମନେ ମନେ. ଶାଶୁ ବୁଝନ୍ତି. ଦୂରରେ ଥିବା ପୁଅ ସବୁବେଳେ କହେ ବୋହୁ ଓ ନାତି ପାଖେ ଆସି ରହି ହସ୍ପିଟାଲରେ ସ୍ୱାସ୍ଥ୍ୟ ଚେକଅପ କରାଇ ନେବାକୁ. ଶିଖା ବୁଝିପାରେନା ଏ ଦୁହିଁଙ୍କର ରୋଗ କଣ? ଖାଇବା ପିଇବା ଓ ଦେଖିବାକୁ ଉପରକୁ ସୁସ୍ଥ ଦେଖାଯାଉଥିବା ବୁଢା ବୁଢ଼ୀ ଦୁହେଁ ଜଣାଅପଡ଼ନ୍ତି ନାହିଁ ସତ ହେଲେ ବସିଉଠି, ହେପାଜତ ତଥା ଆରାମରେ ଦିନ ବିତେଇବା ତାଙ୍କ ପାଇଁ ସାର ତ ପିଲାଟାକୁ ଟିକେ ଧରିନେବା ଛଡା ଆଉ କିଛି କରିପାରନ୍ତି ନାହିଁ ବିଦେଶରେ ବୋହୁ ପାଖରେ କଳିକା . ଯିଏ ଯୋଉ ଘରକରଣା ଯାହା ଯେମିତି ସଜାଡ଼ିଛି. ଅନ୍ୟ ଲୋକପାଇଁ ତାହା ସମ୍ଭାଳିବା ମୁସ୍କିଲ. ପିଲାଟିକୁ ଖାଲି ଧରିନେଲେ କିଛି କାମ କମିନଯାଇ ବରଂ ବଢ଼ିଯିବ ଏଇ ଯେମିତି ପିଲାର ତେଲଘଷା, ଗାଧୁଆ, ଖିଆପିଆର ସମୟ ଗଡ଼ିଯିବ ତା ସହ ଶାଶୁ ଶଶୁରଙ୍କ ପାଇଁ ରନ୍ଧାବଢ଼ା କରୁ କରୁ ଛୁଆ କାମରେ ଢିଲା ପୁଣି ନିଜ ଟିଫିନ, ରୁଟିନ ସବୁଥିରେ ଗଡ଼ବଦ. ଏଣେ ଖାଲିଟିକେ ଛୁଆଟାକୁ ଧରିବାରେ ମଧ୍ୟ ଶାଶୁଙ୍କ ଦେହ ମୁଣ୍ଡ ଅଣ୍ଟା ପିଠି ଦରଜ. ଅନୁଭବୀ ଶାଶୁ ବୁଝନ୍ତି. ସେଇଥିପାଇଁ କେବେ ଆସି ଗାଁରୁ ସହରରେ ରହିବାକୁ ମନ ବଳାନ୍ତି ନାହିଁ. ସେକଥା ନା ବୁଝିପାରନ୍ତି ସ୍ୱାମୀ ନା ସନ୍ତୁଷ୍ଟ ହୁଏ ଶିଖା ବରଂ ହୁଏତ ଭାବୁଥାଏ ପିଲାଟାକୁ ଧରିବାରେ କି କଷ୍ଟ ଯେ ଆଙ୍କର ଦେହ ଖରାପ ହୋଇଯାଉଛି. ଶଶୁର କୁହନ୍ତି ପିଲାଟିକୁ ଧରି ସେ ଏକୁଟିଆ ହଇରାଣ ହେଉଛି କଣ କରିବ!ଶାଶୁ ଅର୍ଥାତ ଜେଜେମା ଔଷଧ ପତ୍ର ଧରି ଚାଲିଆସନ୍ତି ପୁଣି ଗାଁକୁ. ଗାଁକୁ ଆସିବା ପରେ ତାଙ୍କୁ ଜର ଛାଡୁ ଛାଡୁ ଲାଗିଯାଏ ମାସେ. ଶଶୁର ଅର୍ଥାତ କଳିକାଙ୍କ ସ୍ୱାମୀ ପୁଣି ଯେବେ ବାହାରନ୍ତି ଓଡିଶାର ରାଜାଧାନୀ ଭୁବନେଶ୍ୱର କଳିକା ରାଜି ହୁଅନ୍ତି ନାହିଁ କହନ୍ତି ତୁମେ ଏକା ଯାଅ ହେଲେ ପ୍ରକାଶବାବୁ ଠିକ ବୁଝିଥାନ୍ତି କଳିକାଙ୍କ ପରି ନାତିକୁ ସେ ଧରି ରଖି ପାରିବେନି ପୁଣି ଶିଖା ଅଫିସ ଗଲାପରେ କୋଉଠି କଣ ରଖିଛି ବଢ଼ାବଢି କରି ନିଜେ ଖାଇପାରିବେନି. ପୁଅକୁ ଦଶଟାରୁ ଚାରିଟା ଯାଏଁ ରଖିବାକୁ ନିଯୁକ୍ତ ଝିଅଟି ମଧ୍ୟ ପିଲା ଧରିବା ଛଡା ଅନ୍ୟ କିଛି କରେନି କଣ କରିପାରେନି କାରଣ ଆସ୍ତେ ଆସ୍ତେ ବଡ଼ ହେଉଥିବା ନାତି ଟୋକା ମାଆ ଅନୁପସ୍ଥିତିରେ ନବୁଲେଇଲେ କୁକୁର, ବିଲେଇ, ପକ୍ଷୀ, ଗାଡି ମଟର ଯିବା ଆସିବା ନଦେଖାଇଲେ କୋଳରେ ରହେନି, ଶୁଏନି ଏମିତିକି ଖାଇବା ପିଇବାରେ ତା ମନରଖି କରିବାକୁ ପଡେ ତ ସେ ଅନ୍ୟ କଥା ବୁଝିବା ସମ୍ଭବ ନୁହେଁ ତେଣୁ ଏକା ମଧ୍ୟ ପ୍ରକାଶବାବୁ ଯିବାକୁ ରାଜି ହୁଅନ୍ତି ନାହିଁ ବରଂ ଫୁସୁଲାଉ ଥାଆନ୍ତି କଳିକାଙ୍କୁ ତୁମକୁ ଦେଖିଲେ ନାତି ମନ ଆନନ୍ଦ. କାଖେଇ ଛକକୁ ନେଇ ଗାଡି ଦେଖେଇବ, ଗଛରେ ବସିଥିବା ପକ୍ଷୀ ଓ ରାତି ଆକାଶର ତାରା ପୁଣି ହନୁମାନ ମନ୍ଦିର ନେବ. କଳିକାଙ୍କର ବି ମନ କହେ ଥରକୁ ଥର ଯାଇ ନାତିଟାକୁ ଟିକେ ଧରନ୍ତେ, ତା ସହ ଗୁଡୁରୁଗାଡୁରୁ ହୁଅନ୍ତେ, ହସ ଖୁସି ମଜ୍ଜା କରନ୍ତେ କିନ୍ତୁ କର୍ମଜୀବୀ ବୋହୁକୁ ହଇରାଣ କରିବାକୁ ଇଛା ହୁଏନି.ଏଣେ ନାତିର ଗୁଳୁଗୁଲିଆ କର୍ମପ୍ରବଣତାକୁ ଭିଡ଼ିଓ କରି ଶିଖା ଦିଏ ଦେଖିବାକୁ. ଫୋନ କାନରେ ଦେଲେ କିଛି କିଛି ଅସ୍ପଷ୍ଟ କଥା ମଧ୍ୟ କୁହେ. ଠିଆ ଠିଆ ପରେ ଠୁକୁ ଠୁକୁ ଚାଲି ଶିଖେ. ଆଶଙ୍କା ହୁଏ ପଡ଼ିଯିବନିତ, କିଏ ନେଇଯିବନିତ ଭାବି ଥରକୁ ଥର ଜେଜେ ଜେଜେମା ଯାଆନ୍ତି ଓ ଶିଖାକୁ ଅସୁବିଧାରେ ପକାନ୍ତି ତଥା ନିଜ ଦେହ ମୁଣ୍ଡ ଖରାପ କରି ନାତିର ରୁଟିନ ଏପଟ ସେପଟ କରି ତାର ଅସୁସ୍ଥତାର କାରଣ ହୋଇ ପୁଣି ଫେରନ୍ତି ଗାଁକୁ.ଏମିତି ସଂସାର ରଥ ଗଡି ଚାଲୁଥିବା ବେଳେ ସେଦିନ ଶିଖା ଫୋନ କଲା ମାଆ ପୁଅ ମିଳୁନି. ମିଳୁନି ମାନେ? ଚମକି ପଡିଲେ ପ୍ରକାଶବାବୁ ଓ କଳିକା ଦେବୀ. ଶିଖା କାନ୍ଦି କାନ୍ଦି କହୁଥାଏ ଏବେ ଭାରି ଦୁଷ୍ଟ ହେଉଛି, କୌଣସି କାମ କରେଇଦେଉନି, ଫିଙ୍ଗା ଫୋପଡ଼ା, ଭଙ୍ଗା ଭଙ୍ଗି, ଘଣ୍ଟା ଘଣ୍ଟି କରିବାରୁ ନିବୃତ୍ତ ରଖିବାକୁ ଯାଇ ଅଳ୍ପ ସମୟ ତାକୁ ବାହାରେ ଛାଡ଼ି ଦୁଆର ଦେଇଦେଇଥିଲି ତ ଦୁଇ ମିନିଟ ପରେ ଖୋଲି ଦେଖେତ ପୁଅ ନାହିଁ. ଚାରିପଟେ ଖୋଜି ସାରିଲିଣି. ଏକଥା ଶୁଣି ବଜ୍ରପାତ ହେଲା ମୁଣ୍ଡରେ. ଦୁହେଁ ବାହାରି ପଡିଲେ ଭୁବନେଶ୍ୱର. ପୁଅ ଏବେ ଦିଲ୍ଲୀରେ. ଜାଣିଲେ କଣ ବୋଲି କଣ ଭାବି ଚାଲିଆସିବ. ଏମିତି ଅନେକ ଆଶଙ୍କାରେ ସେଠି ଯାଇ ପହଁଚିଲା ପରେ ଶିଖା କୋଳରେ ନାତିକୁ ଦେଖି ଆଶ୍ୱସ୍ତ ହେଲେ ଦୁହେଁ .କଥାଟା ଥିଲା ଦୁଆର ସେପଟୁ ଘରମାଲିକଙ୍କ ସ୍ତ୍ରୀ ପିଲାକୁ ଏକୁଟିଆ ଦୁଆର ଦେଇଦେବା ଦେଖି କାଖେଇ ନେଇଯାଇଥିଲେ ଓ ଖୋଜିଲା ବେଳେ ଜାଣିଶୁଣି କିଛି ସତ ନକହି ପୁଅକୁ ଦେଖିନାହାଁନ୍ତି କହିଦେଇଥିଲେ ଶିକ୍ଷା ଦେବାକୁ ଶିଖାକୁ. ଏତେ ଛୋଟ ପିଲା, କିଛି ଦୁଷ୍ଟାମି କରିବା ତାର ସ୍ୱାଭାବିକ. ମାଆ ଯେତେ କର୍ମଜୀବୀ ହୋଇଥାଉନା କାହିଁକି ଏତେ ଛୋଟ ଛୁଆକୁ ବାହାରକୁ ଛାଡ଼ି କବାଟ ଦେଇଦେଲେ ତା ମନରେ ଯୋଉ ପ୍ରତିକ୍ରିୟା ସୃଷ୍ଟି ହେବ ତାହା ସାରାଜୀବନ ରହିଯିବ. ଅଳକା କେତେ କଥାର ନଥା ସବୁ ଭାବୁଥିଲେ ଅତୀତର , ପୁଣି ତାଙ୍କ ନିଜ ପିଲାଙ୍କୁ ପାଳିବା ବେଳର ଅନେକ ତ୍ରୁଟିକୁ ମଧ୍ୟ ସ୍ମୃତି ଆକାରରେ ସାଉଁଟି କଷ୍ଟ ଓ ଯନ୍ତ୍ରଣା ପାଉଥିଲେ. ନାତିକୁ କୋଳକୁ ନେଇ ଶୁଆଉ ଶୁଆଉ ଏ ଭିତରେ ଗାଁକୁ ଫେରିବା ନାଁ ନେଉନଥିଲେ. ପୁଅ କହୁଥିଲା ଛୁଟିରେ ସମସ୍ତେ ମିଶି ଦିଲ୍ଲୀ ଆସ ହେଲେ ପ୍ରକାଶ ବାବୁ କହୁଥିଲେ ତୁ ଆଗ ପିଲାମାନଙ୍କୁ ନେଇକି ଯା ଆମେ ପଛରେ ଯିବୁ. ନାତି କିନ୍ତୁ ଛାଡ଼ି ଦେଉନଥିଲା ଜେଜେ ଓ ଜେଜେମା ଦୁହିଁଙ୍କୁ.ସାଇକହ୍ନେଇବାବା ଗପ ଶୁଣୁ ଶୁଣୁ ବଡ଼ ହେଲାଣି .ଅନେକ କଥା ବୁଝିବାର ହେଲାଣି ସେ. ସେଦିନ ଖୁବ ହସୁଥିଲା ଆଉ କହୁଥିଲା ତୁମେ ମତେ ପିଲାଦିନେ ଯୋଉ ଗପଟା କୁହନିକି ଜେଜେମା ସେଇ ଗପର ପ୍ରୋଜେକ୍ଟ କରି ମୁଁ ଆମ ଡିପାର୍ଟମେଣ୍ଟରେ ଖୁବ ହଇଚଇ ସୃଷ୍ଟି କରିଛି.ଜେଜେମା କଳିକା କିଛି ବୁଝି ପାରନ୍ତିନାହିଁ. ମାଆ ଶିଖା କୁହେ ତା କଥା ଶୁଣନ୍ତୁନି ଆପଣ ପାଗଳ କରିଦେବ ସେ. ଜେଜେ କୁହନ୍ତି କହୁ କହୁ ଦେଖିବା ଆମ ନାତିଆର ପ୍ରୋଜେକ୍ଟ କେତେ ସଫଳତା ଆଣିପାରିଛି. ସାଇ କହେ ସବୁ ଛେଳି ବାଘକୁ ଭୟ କରନ୍ତିନି ଜେଜେ. ଆରେ ଛେଳି ପୁଣି ବାଘକୁ ଭୟ କରିବନି କେମିତି? ହଁ ଜେଜେ ସେଇ ଛେଳି ଭୟ କରେନା ଯିଏ ନିଜକୁ ମୁଁ ମେଁ ମେଁକା ମାଣିକରାଜା…. ସିଂହ ଦୁଇଟି ଗୋଜା ଗୋଜା… ଏକ ସିଂଘରେ ମଣିଷ ମାରେ… ଦୁଇ ସିଂଘରେ ପର୍ବତ ଟାଳେ… ତିନି ସିଂଘରେ ଖାଏ ମୁଁ ବାଘ ଦିଟା କହିପାରେ ଏବଂ ବାଘକୁ ଲୁଚିଯିବାକୁ ପଡେ. ସେହି ଛେଳି ପରି ହେଲେ ଆଜିର ଯୁଗରେ ବଞ୍ଚି ପାରିବ ଜେଜେ ନହେଲେ ବାଘ ମୁହଁରେ ପ୍ରାଣ ଯିବା ନିଶ୍ଚିତ. ତୋ କଥା କିଛି ବୁଝି ହେଉନିରେ ଧନ. ବୁଝିହେଉନି କଣ? ତୁମରିଠାରୁ ତ ଏକଥା ଶିଖିଛି ମୁଁ. ଦେଖୁନ ପରୀକ୍ଷା ଖାତା ନଦେଖି ସାର ମାର୍କ ଦେଉଛନ୍ତି. ସେଠି ମେଁ ମେଁକା ମାଣିକରାଜା ନହେଲେ କିଏ ଜୀବନ ହାରିବ ତ କିଏ ବେକରେ ଓଢଣୀ ଦେଇ ଫ୍ୟାନରେ ଝୁଲିବ. ଆରେ ନାତିଆ ସାର ମାନେ ଗୁରୁ. ଗୁରୁ ଯଦି ଠିକ କରି ଖାତା ନଦେଖିବେ ତେବେ ପିଲାଙ୍କ ଭବିଷ୍ୟତ କଣ ହେବ? ସେହି କଥାତ ଜେଜେ. ଏ କଳି ଯୁଗରେ ଆଉ ସେ ଗୁରୁ ଶିଷ୍ୟ ପରମ୍ପରା ରହୁନି. ତାକୁ ଫେରେଇଆଣିବାକୁ ମେଁ ମେଁକା ପ୍ରୋଜେକ୍ଟ କରିବା ନିହାତି ଦରକାର. କାହାଁନ୍ତି ସେ ଦ୍ୱାପର ଯୁଗର ଭୀଷ୍ମ, କର୍ଣ୍ଣ, ଦ୍ରୋଣ, ଅର୍ଜ୍ଜ୍ୱନ ପରି ଗୁରୁ ଓ ଶିଷ୍ୟ? ଅଛନ୍ତିରେ ସାଇ ହେଲେ ଆମ ଆଖିରେ ଲାଭ, ମିଛ, ସ୍ୱାର୍ଥ, ଅର୍ଥର ଅନ୍ଧପୁଟୁଳି ବନ୍ଧା ହୋଇଛି ବୋଲି ଆମେ ଦେଖିପାରୁନୁ. ଅନ୍ୟ କଥାରେ ଭାଷି ଯାଇ ଗୁରୁନିନ୍ଦା କରୁଛୁ. ଜେଜେ ପୁଣି କହିଲେ କିଛି ମାତ୍ରାରେ ହେଉଛି. କଳାବଜାରୀ ମୁଣ୍ଡ ଟେକୁଛି ସତ ହେଲେ ଆମେ ଯଦି ଠିକ ବାଟରେ ଥିବା. ନ୍ୟାୟର ମଙ୍ଗ ଧରିଥିବା ତେବେ କେବେ ହାରିବା ନାହିଁ.
ଜେଜେ କହୁଥିଲେ ଅବସର ପରେ ମୁଁ କିଛିଦିନ ଗୋଟେ ବେସରକାରୀ କଲେଜରେ ଅଧ୍ୟାପନା କରୁଥିଲି. ସେଠି ମୁଁ ଖାତା ଦେଖିଲେ ମତେ ମନା କରାଯାଏ. କୁହାଯାଏ ସେ ନଲେଖିଥିଲେ ମଧ୍ୟ ନମ୍ବର ଆଖିମୁଜି ଚଢେଇ ଦେବାକୁ କାରଣ ସ୍କୁଲ ପରିଚାଳନା ପାଇଁ ତା ଜେଜେ ମୋଟା ଅଙ୍କ ଦିଅନ୍ତି. ହଉ ଜେଜେ ସେ ପିଲା ପାଉ ନମ୍ବର କିନ୍ତୁ ଯିଏ ଲେଖିଛି ଖାତାରେ, ପଢ଼ିଛି ରାତି ଦିନ ଏକାକାର କରି ତା ଖାତା ନଦେଖି ତା ଘରଲୋକ ମୋଟା ଅଙ୍କର ଚନ୍ଦା ଦେଉନାହାଁନ୍ତି କହି ତା ଖାତାରେ ନମ୍ବର ଦେବା ଉଚିତ ନା ନାହିଁ? ନିଶ୍ଚୟ ନହେଲେ ଏହା ଅନ୍ୟାୟ. ସେଇଥିପାଇଁ ସରକାରୀ ସ୍କୁଲ ଓ କଲେଜ ଖୁବ ଭଲ ବୋଲି ମୋର ମତ ପରା ସାଇ. ସେତିକି ବେଳେ ଜେଜେମା ପୂଜା ଘରେ ପାଟି କରି ଉଠିଲେ ଦେଖ ଦେଖ ଲଷ୍ମୀଙ୍କ ପାଖେ ଝିଟିପିଟିଟା ମରିଯାଇଛି. ସମସ୍ତେ ଦଉଡି ଆସିଲା ବେଳକୁ ଜେଜେମାଙ୍କ ସାମାନ୍ୟ ସ୍ପର୍ଶ ପାଇ ସେ ଚଢ଼ିଗଲା ଜେଜେମାଙ୍କ ହାତ ଯାଏଁ ତ ସାଇ ପାଟି କରି ଉଠିଲା ଜେଜେମା ସେଇଟା ଭାରି ବିଷାକ୍ତ ଜୀବ. ହାତ ସଫା କର. ଡେଟଲ ମାରି ସାବୁନ ଲଗାଅ. ଜେଜେମା କହିଲେ ଆରେ ନାହିଁ ଝିଟିପିଟି ପରି କ୍ଷୁଦ୍ର ଜୀବ କାହାର କଣ କରିପାରେ!ଟିକେ ତୁଳସୀ ପତ୍ର ପାଣି ସିଞ୍ଚି ହୋଇପଡିଲେ ଗଲା.ନାହିଁ ଜେଜେ ଝିଟିପିଟିଙ୍କ ପରି ଅନେକ ପ୍ରଜାତିର ବିଷାକ୍ତ ଜୀବଙ୍କୁ ବିଶ୍ୱାସ କରିବା ଉଚିତ ନୁହେଁ ଜମା. ଦେଖୁନ ମଲାଙ୍କ ପରି ପଡିଥିଲା. ସୁଯୋଗ ଦେଖି ଚଢିଯାଉଛି ହାତରେ ଜେଜେମାଆଙ୍କର!ଏମିତି ଅନେକ ଜୀବ ଓ ମଣିଷ ରହିବେ ସାଇ ତାରି ଭିତରେ ଆମକୁ ଆମ ଲକ୍ଷସ୍ଥଳରେ ପହଞ୍ଚିବାକୁ ହେବ. ବୋହୁ ଶିଖା କହୁଥିଲା ଆପଣ ସେହି କଲେଜରେ ରହିଲେନି କାହିଁକି ବାପା?ତ ପ୍ରକାଶବାବୁ କହୁଥିଲେ ଏଇ ଗୋଲାମଗିରି ନକରିବାକୁ. ସାଇ କହୁଥିଲା ଠିକ ମୁଁ ଜାଣେ ଛେଳି ହୁଅ ପଛେ କିନ୍ତୁ ମେଁ ମେଁକା ମାଣିକରାଜା ପରି. ଜେଜେମା କହୁଥିଲେ ପିଲାଦିନେ ତତେ ଗପ କହିବା ମୋର ଉଚିତ ନଥିଲା. ଥିଲା ମାଆ. ଶାରୀରିକ ବା ମାନସିକ କର୍ମଜୀବୀ ହେବାପାଇଁ ଗପର ଆବଶ୍ୟକତା ନିହାତି ରହିଛି. ପ୍ରକାଶବାବୁଙ୍କ ପୁଅ ସ୍ୱସ୍ତିକ ଦିଲ୍ଲୀରୁ ଫୋନ କରୁଥିଲେ ସାଇକୁ ଜେ. ଏନ. ୟୁରେ ସିଟ ମିଳିଯାଇଛି.ସାଇ ଦିଲ୍ଲୀ ଯିବା ପୂର୍ବରୁ ଜେଜେ ଗୋଟିଏ ଗପ କହିଥିଲେ
ଅନେକ ଦିନ ତଳେ ସୁପ୍ରିମକୋର୍ଟର ବିଚାରପତି ଥିବାବେଳେ *ଜଷ୍ଟିସ ରଙ୍ଗନାଥ ମିଶ୍ର* ପୁରୀରେ ଥିବା ଏକ ଲ’ କଲେଜ୍‌ରେ ମୁଖ୍ୟ ଅତିଥି ଭାବରେ ଯୋଗଦେବା ପାଇଁ ପୁରୀ ଆସିଥିଲେ. ନିର୍ଦ୍ଧାରିତ ଦିନ ପୁରୀରେ ପହଞ୍ଚି ଜଗନ୍ନାଥ ଦର୍ଶନସାରି ଫେରୁଥିବା ବେଳେ ସିଂହଦ୍ବାର ନିକଟରେ ବସିଥିବା ଜଣେ ଭିକାରି (ଯିଏ କି ଦୁରାରୋଗ୍ୟ ରୋଗ କାରଣରୁ ହାତରେ କନା ଗୁଡ଼େଇଥିଲେ) ବଡ଼ ପାଟିରେ “ରଙ୍ଗନାଥ ବାବୁ”, ବୋଲି ନାଁ ଧରି ବାରମ୍ବାର ଡାକିଲେ. ଜଷ୍ଟିସ ମିଶ୍ର ହଠାତ୍‌ କିଛି ବୁଝିପାରିଲେନି.ଏ ସିଂହଦ୍ବାରରେ ମୋତେ ସତରେ କିଏ ଡାକୁଛି ନା’ ଆଉ କାହାକୁ ଡାକୁଛି.ଦ୍ବିଧାରେ ପଡ଼ିଗଲେ ଜଷ୍ଟିସ ମିଶ୍ର। ବାରମ୍ବାର ଡାକ ଶୁଣି ପଛକୁ ଚାହିଁ ଦେଖିଲେ ଜଣେ ଭିକାରି ଡାକୁଛି। ଭିକାରିଜଣକୁ ଦେଖି ଜଷ୍ଟିସ ମିଶ୍ର ପଚାରିଲେ,”ତମେ କିଏ ? କ’ଣ ପାଇଁ ମୋତେ ଡାକୁଛ?”
ଏଥର ଭିକାରି ଜଣକ କହିଲେ,”ସାର୍‌ ଆଜ୍ଞା.ମୋତେ କ’ଣ ଚିହ୍ନିପାରୁନାହାନ୍ତି ? ମୁଁ ପରା ସେଇ କୁଳିଆ ଡାକୁ। ଆପଣ ଓଡ଼ିଶାରେ ଓକିଲାତି କଲାବେଳେ,ମୋର ଡକାଏତି କେସ୍‌ ବୁଝୁଥିଲେ. ଗୋଟିଏ ଡକାଏତି କେସ୍‌ରେ ମୋତେ ତଳକୋର୍ଟରେ ଆଜୀବନ କାରାଦଣ୍ଡ ହୋଇଥିଲା.କିନ୍ତୁ ଆପଣ କେସ୍‌ ଲଢ଼ି ମୋତେ ହାଇକୋର୍ଟରେ ନିର୍ଦ୍ଦୋଷରେ ଖଲାସ କରି ଦେଇଥିଲେ.କିନ୍ତୁ ସେଇ କେସ୍‌ରେ ସତରେ ମୁଁ ଡକାଏତି ଓ ହତ୍ୟା କରିଥିଲି.ଏମିତି କେତେ କେସ୍‌ରେ ମୁଁ ଖଲାସ ହୋଇଯାଇଥିଲି,ସାର୍‌ ! ଏଠା କୋର୍ଟରେ ସିନା ଖଲାସ ହୋଇଗଲି, ହେଲେ ଉପରବାଲା ତା’ କୋର୍ଟରେ ମୋତେ ଛାଡ଼ିଲାନି।.ଏହି ଦୁରାରୋଗ୍ୟ ବ୍ୟାଧି ଦେଇଦେଲା। ଏହି ରୋଗ ହେବାରୁ ଘରେ,ବାହାରେ ସମସ୍ତେ ମୋତେ ଘୃଣା କଲେ.ବାଧ୍ୟ ହୋଇ ଘରଛାଡ଼ି ଏହି ସିଂହଦ୍ବାରରେ ପ୍ରଭୁଙ୍କୁ ଆଶ୍ରାକରି ଭିକ୍ଷାମାଗୁଛି। ମିଳିଲେ ଖାଉଛି,ନ ମିଳିଲେ ନାହିଁ।”
ଜଷ୍ଟିସ ମିଶ୍ର ଏସବୁ ନୀରବରେ ଶୁଣି ପକେଟରୁ ଗୋଟିଏ ଶହେଟଙ୍କିଆ ନୋଟ୍‌ କାଢ଼ି ତା’ ହାତରେ ଦେଇ ଲ’-କଲେଜ୍‌ ଉତ୍ସବକୁ ଚାଲିଗଲେ.ସେଠାରେ ତାଙ୍କ ବକ୍ତବ୍ୟରେ ଏହି ଘଟଣାର ବର୍ଣ୍ଣନା କରି କହିଲେ,”ଆମେ ସବୁ ବିଚାରପତି… କୋର୍ଟରେ ବସି ବିଚାର କରୁଛୁ ସତ କିନ୍ତୁ ଆମ କୋର୍ଟ ଉପରେ ଆଉ ଗୋଟିଏ କୋର୍ଟ ଅଛି.ସେଠି ଆଉ ଜଣେ ବିଚାରପତି ଅଛନ୍ତି.ଜଣେ ଆମ କୋର୍ଟରୁ ଖସିଯାଇପାରେ,ମାତ୍ର ଭଗବାନଙ୍କ କୋର୍ଟରୁ ଖସିପାରିବନି.ଦୋଷୀକୁ ଦଣ୍ଡ ଅବଶ୍ୟ ମିଳିବ.” ଏ କଥା କହିସାରିଲା ବେଳକୁ ଜଷ୍ଟିସ ମିଶ୍ରଙ୍କ ଆଖିରେ ଆଖିଏ ଲୁହ. ମଣିଷର ମୃତ୍ୟୁ ପରେ ପତ୍ନୀ ‘ଏରୁଣ୍ଡି-ବନ୍ଧ’ ଯାଏ….ଆତ୍ମୀୟ-ସ୍ବଜନ ଶ୍ମଶାନ ଯାଏ…. ଓ ପୁତ୍ର ଅଗ୍ନିଦାନ ଯାଏ ଯାଆନ୍ତି ; କିନ୍ତୁ କେବଳ ଗୋଟିଏ ମାତ୍ର ଜିନିଷ ମଣିଷ ସହ ଈଶ୍ବରଙ୍କ ନିକଟକୁ ଯାଏ,ତାହା ହେଉଛି ମଣିଷର କର୍ମ.ଏଣୁ ଈଶ୍ବରଙ୍କୁ ନୁହେଁ,ନିଜ କର୍ମକୁ ହିଁ ଡରନ୍ତୁ. ଈଶ୍ବର ହୁଏତ ଆପଣଙ୍କୁ କ୍ଷମା କରିଦେଇପାରନ୍ତି,ମାତ୍ର କର୍ମ କଦାପି ନୁହେଁ. ବାଛୁରୀ ଯେମିତି ଶହଶହ ଗାଈଙ୍କ ଭିତରେ ନିଜ ମାଆ ଗାଈକୁ ଚିହ୍ନିନିଏ,ସେମିତି କର୍ମଫଳ କର୍ତ୍ତାଙ୍କୁ ହିଁ ଖୋଜିନିଏ.ଏଣୁ ଶାସ୍ତ୍ର କହେ :କର୍ମ କରିବ କଷ୍ଟ ସହି,କର୍ମରେ ଭଲ ମନ୍ଦ ନାହିଁ.ସତ୍ୟ କର୍ମରେ ଧର୍ମ ଅଛି,ଧର୍ମ କରିବ କର୍ମ ବାଛି.”
ନୀରବରେ କର୍ମ କରି ଚାଲନ୍ତୁ. କର୍ମ ଅନୁସାରେ ଫଳ ଅବଶ୍ୟ ମିଳିବ.ପ୍ରତିଶୋଧ ନେବା ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ,କେବଳ ଚୁପ୍‌ଚାପ୍‌ ଅପେକ୍ଷା କରନ୍ତୁ.ଯିଏ ଅନ୍ୟର ଆଖିରେ ଲୁହ ଦେଇଛି, ସିଏ ନିଶ୍ଚିତ କାନ୍ଦିବ.ଆଉ ଯଦି ଆପଣ ଭାଗ୍ୟବାନ ହୋଇଥିବେ,ତା’ ହେଲେ ଆପଣ ତାହା ନିଜ ଆଖିରେ ଦେଖିବେ.କର୍ମଫଳ ବଡ଼ ନିଷ୍ଠୁର.ସେ ନିିମିଷକରେ ରଙ୍କକୁ ରାଜା କରିଦିଏ…. ଆଉ ରାଜାକୁ କରିଦିଏ ଲଙ୍ଗଳା ଫକିର.ତେଣୁ କହନ୍ତି, ଆଜି ଯେ ରାଜେନ୍ଦ୍ରାସନେ,କାଲି ସେ ଫକୀର. ଜେଜେଙ୍କ କଥାରେ ପରିବାର ଲୋକଙ୍କ ଆଖିରେ ଲୁହ ଆସିଯାଇଥିଲା.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ