କଲିକତା ଫେରନ୍ତାଙ୍କୁ ଗ୍ରାମବାସୀଙ୍କ ବିରୋଧ, ବୁଝାସୁଝା ପରେ ଘରେ ଛାଡିଲା ପୁଲିସ
ହାଟଡ଼ିହି (ଓ୍ବାଇଏନ୍ଏସ୍) : କଲିକତାରୁ ଫେରିଥିବା ଜଣେ ଯୁବତୀଙ୍କୁ ନେଇ କୁରାଢ଼ିଘସା ଗ୍ରାମରେ ଗତକାଲି ରାତିରେ ଦୀର୍ଘସମୟ ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସର ହସ୍ତକ୍ଷେପ ପରେ ଉତ୍ତେଜନା ହ୍ରାସ ପାଇଥିଲା । ଖବରରୁ ଜଣାଯାଇଛି ଯେ କଲିକତାରେ ରହୁଥିବା ଜଣେ ଯୁବତୀ ଗତ ରବିବାର ଦିନ ନିଜ ଘର ପଢ଼ିଆରିପଲ୍ଲି ପଞ୍ଚାୟତର କୁରାଢ଼ିଘସା ଗ୍ରାମକୁ ଫେରିଥଲେ । ସେ ସ୍ଥାନୀୟ ସରପଞ୍ଚଙ୍କ ସହ ଯୋଗଯୋଗ କରିବାରୁ ସରପଞ୍ଚ ତାଙ୍କୁ ବଣିଆପଙ୍କ ସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନରେ ରଖାଇଥିଲେ । କିନ୍ତୁ ଯୁବତୀ ଜଣକ ସେଠାରେ ରହିବାକୁ ନାରାଜ ହେବାସହ ହୋମ କ୍ୱାରେଣ୍ଟାଇନରେ ରହିବାକୁ ଯିଦ କରି ବସିଥିଲେ । ସରପଞ୍ଚ ଏ ସମ୍ପର୍କରେ ବିଡିଓ, ତହସିଲଦାରଙ୍କୁ ଅବଗତ କରାଇଥିଲେ । କିନ୍ତୁ ଯୁବତୀ ଜଣକ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନଙ୍କୁ ଜଣାଇଥିଲା । ଜିଲ୍ଲା ପ୍ରଶାସନର ସୁପାରିଶ ପରେ ଗତକାଲି ରାତିରେ ତାଙ୍କୁ ତାଙ୍କ ଗ୍ରାମକୁ ନିଆଯିବାରୁ ଗାଁର ଶହଶହ ଲୋକ ବିରୋଧ କରି ଗାଁକୁ ପୁରାଇ ଦେଇନଥିଲେ । ଏହାକୁନେଇ ଉତ୍ତେଜନା ପ୍ରକାଶ ପାଇବାରୁ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ରାଜେନ୍ଦ୍ର ପାତ୍ର ଓ ସୋସୋ ଥାନା ଅଧିକାରୀ ଗଗନ ନାୟକ ପ୍ରମୁଖ କୁରାଢ଼ିଘସାରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଯୁବତୀ ଜଣକ କେବେବି ଘରୁ ବାହାରକୁ ବାହାରିବ ନାହିଁ ଓ ସେ କ୍ୱାରେଣ୍ଟାଇନରେ ରହିବ ବୋଲି ପ୍ରତିଶୃତି ଦେଇଥିବା ସମ୍ପକରେ ଗ୍ରାମବାସୀଙକୁ ବୁଝାସୁଝା କରିବାପରେ ଯାଇ ପୁଲିସ ଉକ୍ତ ଯୁବତୀଙ୍କୁ ନେଇ ତାଙ୍କ ଘରେ ଛାଡିଥିଲା ।