କଲିକତା ଲିଙ୍କ୍ରେ ବନ୍ତ ବ୍ଲକ ଆକ୍ରାନ୍ତ: ଚାରିଗାଁରୁ ଜଣେ ଚିହ୍ନଟ, ସଂସ୍ପର୍ଶରେ ଆସିଥିବା ୬୧ ଜଣଙ୍କର ସ୍ୱାବ୍ ପରୀକ୍ଷା
ବନ୍ତ (ଚାନ୍ଦିନୀ ମହାନ୍ତି) : ମଙ୍ଗଳବାର ସକାଳ ସୁଦ୍ଧା ରାଜ୍ୟରେ ଆଉ ୭ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁରେ ଜଣେ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଜିଲାର ୫ଟି ବ୍ଲକରେ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ବନ୍ତ ବ୍ଲକରେ କୌଣସି ପଜେଟିଭ୍ ଚିହ୍ନଟ ହୋଇନଥିଲେ । ଆଜି ସକାଳେ ଉକ୍ତ ବ୍ଲକରେ ପ୍ରଥମ ପଜେଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବିଡିଓ ରେବେକା ବିଲୁଙ୍ଗ, ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁ, ଆଗରପଡା ଆଇଆଇସି ସୁକାନ୍ତୀ କେରେଇ, ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତି, ବ୍ଲକ ଯୋଗାଣ ଅଧିକାରୀ ଅଶୋକ କୁମାର ବେହେରା, ସରପଞ୍ଚ ବନମାଳୀ ବେହେରା ପ୍ରମୁଖ ସଂପୃକ୍ତ ଗ୍ରାମରେ ପହଞ୍ôଚ ଉକ୍ତ ଗ୍ରାମକୁ ସିଲ୍ କରିଛନ୍ତି । ଗ୍ରାମରେ ଥିବା ସମସ୍ତ ଦୋକାନ ବଜାର, ଯାତାୟତ ପଥକୁ ବନ୍ଦ କରାଯାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ପରବର୍ତ୍ତୀ ପର୍ଯ୍ୟାୟରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁ କହିଛନ୍ତି । ଅପରପକ୍ଷେ ସଂପୃକ୍ତ ଆକ୍ରାନ୍ତ ଜଣକ କଲିକତାର ଏକ ପ୍ଲାଷ୍ଟିକ୍ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ଗତ ମାର୍ଚ୍ଚ ୨୭ ତାରିଖରେ ଘରକୁ ଫେରିଥିଲେ । ତାଙ୍କୁ ଚାରିଗାଁ ପଞ୍ଚାୟତ ବାଲିପୋଖରୀ ହାଇସ୍କୁଲସ୍ଥିତ ସାମୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା । ସେଣ୍ଡତୀରା ପଞ୍ଚାୟତ ଶିଆଳିଆ ହାଇସ୍କୁଲସ୍ଥିତ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ତାଙ୍କର ସାମ୍ପଲ ଟେଷ୍ଟ ନିଆଯାଇଥିବା ଜଣାଯାଇଛି । ଚାରିଗାଁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୬୧ ଜଣ ବ୍ୟକ୍ତି ଆସିଥିବା ପ୍ରଶାସନ ପକ୍ଷରୁ ଟ୍ରେସିଂ ମ୍ୟାପ୍ରେ ଜଣାଯାଇଛି । ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଆଡ୍ମିନ୍) ରାଜେନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଚାରିଗାଁ ବାତ୍ୟା ଆଶ୍ରୟସ୍ଥଳ ଠାରେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୬୧ ଜଣଙ୍କର ସ୍ୱାବ୍ ପରୀକ୍ଷା ପାଇଁ ନିଆଯାଇଛି । ସେଥିମଧ୍ୟରୁ ଆକ୍ରାନ୍ତଙ୍କ ଘନିଷ୍ଠ ସଂସ୍ପର୍ଶରେ ଆସିଥିବା ୮ ଜଣଙ୍କୁ ପଞ୍ଚାୟତ ସଙ୍ଗରୋଧ ଗୃହରେ ରଖାଯିବା ନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅବଶିଷ୍ଟ ୫୩ ଜଣଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରିପୋର୍ଟ ଆସିବା ପର୍ଯ୍ୟନ୍ତ ରଖାଯିବାକୁ କୁହାଯାଇଛି । ସ୍ୱାବ୍ ଟେଷ୍ଟ ବେଳେ ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁ ଉପସ୍ଥିତ ଥିଲେ ।


