କଲେଜରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ସେପ୍ଟେମ୍ବର ୨୫ ତାରିଖ ଦିନ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ବନମାଳୀ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ପରିଚାଳନା ସମିତିର ସଭାପତି ଦୁର୍ଗା ପ୍ରସାଦ ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଏହି ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ କୁମାର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଇବର ଠକେଇର ବିଭିନ୍ନ କାରଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ପୋଲସରା ପୋଲିସ ଥାନା ଆଇଆଇସି କୋୖଶିକ ମାଝୀ ଯୋଗଦେଇ ସମସ୍ତଙ୍କୁ ସଚେତନ ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ଜିଲ୍ଲା ସାଇବର ସୁରକ୍ଷା ବିଭାଗ ଅଧିକାରୀ ଅକ୍ଷୟ କୁମାର ଜେନା ଯୋଗଦେଇ ସାଇବର ଠକେଇ ଓ ସୁରକ୍ଷା ବିଷୟରେ ପ୍ରାଞ୍ଜଳ ଭାବେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଯୋଗଦେଇଥିଲେ। ରେଡକ୍ରସ ସଂଯୋଜକ ବିଶ୍ଵନାଥ ଚୌଧୁରୀ, ମୋ କଲେଜ ଅଭିଯାନ ସଂଯୋଜକ ଡକ୍ଟର ବିରଞ୍ଚି ନାରାୟଣ ରଥ, ଏନସିସି ଅଧିକାରୀ ଲେଫନାଣ୍ଟ ବିନତା କୁମାରୀ ଦାଶ, ଏନଏସଏସ ପ୍ରୋଗ୍ରାମ ଅଫିସର ବସନ୍ତ କୁମାର ପାଣି, ପ୍ରମୋଦ କୁମାର ରଥ, ସୁନିତା ପାଣିଗ୍ରାହୀ, ସୋନାଲି ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ସେକ୍ ଫରିଦ୍ ଧନ୍ୟବାଦ ଅର୍ପଣ କରିଥିଲେ।