କଲେଜର ଜମି ସୁରକ୍ଷା ପାଇଁ କଲେଜ ଲ୍ୟାଣ୍ଡ କମିଟିର ନିଷ୍ପତ୍ତି
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ସ୍ୱୟଂ ଶାସିତ ମହାବିଦ୍ୟାଳୟ ଲ୍ୟାଣ୍ଡ କମିଟିର ଏକ ପରିବର୍ଦ୍ଧିତ ବୈଠକ ସୋମବାର କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ କଲେଜ ପରିସରର ଜମି ସୁରକ୍ଷା ପାଇଁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି । ଆଇନର ଫାଙ୍କଦେଇ ସମ୍ପ୍ରତି କିଛି ଜମି ମାଫିଆ କଲେଜ ପରିସର ସଂଲଗ୍ନ ମୂଲ୍ୟବାନ ଜମିକୁ କରାୟତ୍ତ କରିବାକୁ ବସିଥିବା ଓ କରୋନା ମହାମାରୀ ସୁଯୋଗରେ ଗୃହ ନିର୍ମାଣ କରି ଦଖଲ କରିନେବା ସମ୍ପର୍କରେ ଉଦବେଗ ପ୍ରକାଶ କରାଯାଇ ଏଥି ନିମିତ୍ତ ପ୍ରଶାସନ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ସଭାରେ ଅନୁରୋଧ କରାଯାଇଛି । ଏହି ନିର୍ମାଣ ପୃଷ୍ଠ ଭୂମିରେ ଜଣେ ପ୍ରଭାବଶାଳୀ ରାଜନେତାଙ୍କ ସକ୍ରୀୟ ସହଯୋଗ ଓ ସମର୍ଥନ ଥିବାରୁ ଏହି ସମସ୍ୟା ଅଧିକ ଜଟିଳ ହେଉଥିବାରୁ ସଭାରେ ଏସମ୍ପର୍କରେ ଆଲୋଚନା କରାଯାଇ ନିନ୍ଦା କରାଯାଇଥିଲା । ହେଲେ କେନ୍ଦ୍ରାପଡା ବିଧାୟକଙ୍କର କଲେଜ ଜମି ସମସ୍ୟା ସମ୍ପର୍କରେ ଥିବା ଗଠନ ମୂଳକ ଓ ଆସ୍ତିବାଚକ ଦୃଷ୍ଟିଭଙ୍ଗୀ ଓ ସମର୍ଥନକୁ ସଭାରେ ଆଲୋଚନା କରାଯାଇ ଭବିଷ୍ୟତରେ ତାଙ୍କର ଅଧିକ ସାହାଯ୍ୟ ଓ ସହଯୋଗ କାମନା କରାଯାଇଛି । ସମଭାବରେ କେନ୍ଦ୍ରାପଡା ସାଂସଦଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ମଧ୍ୟ କାମନା କରାଯାଇଛି । କଲେଜ ପରିସରର ସୁରକ୍ଷା ପାଇଁ “କେନ୍ଦ୍ରାପଡା କଲେଜ ଜମି ସୁରକ୍ଷା କମିଟି”ନାମକ ଏକ ସଂଗଠନ ଆଡଭୋକେଟ ଧିରେନ ସାହୁଙ୍କ ସଭାପତିତ୍ୱରେ ଗଠନ କରାଯାଇଛି । ଏହାର କାର୍ଯ୍ୟକାରୀ ସଭାପତି ପୂର୍ବତନ ଛାତ୍ରସଂସଦ ସଭାପତି ରାଜେଶ ପଣ୍ଡା, ସମ୍ପାଦକ ଚିତ୍ତରଞ୍ଜନ ଦାସ, ଯୁଗ୍ମ-ସମ୍ପାଦକ ଦ୍ୱୟ ସତ୍ୟରଞ୍ଜନ ସେନାପତି ଓ ମୃତ୍ୟୁଞ୍ଜୟ ବେହୁରା ସର୍ବସମ୍ମତ ଭାବେ ନିର୍ବାଚିତ ହୋଇଛନ୍ତି । ଏହି କମିଟିର ପରାମର୍ଶଦାତ୍ତା ଭାବେ ଅଧ୍ୟାପକ ଅଜୟ ସାମଲ, ଆଇନଜୀବି ସରୋଜରାଜ ସିଂ, ଧ୍ରୁବ ଚରଣ ଜେନା, ପୂର୍ବତନ କଲେଜ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ନାରାୟଣ ନାଥଶର୍ମା, ବାସୁଦେବ ଦାସ ଓ ଅଧ୍ୟାପକ ଦୁର୍ଯ୍ୟୋଧନ ପରିଡାଙ୍କୁ ରଖାଯାଇଛି । ଆଜିର ବୈଠକରେ ମଧ୍ୟ ଆଇନଗତ ପରାମର୍ଶ ପାଇଁ ଆଡଭୋକେଟ ଧ୍ରୁବ ଚରଣ ଜେନା,ସରୋଜରାଜ ସିଂ,ଧିରେନ ସାହୁ,ବିନୋଦ ବିହାରୀ ନାୟକ,ପ୍ରାକ୍ତନ ତହସିଲଦାର ବିଜୟ ନାୟକ ଓ ଅଧ୍ୟାପକ ବାସୁଦେବ ଦାସଙ୍କୁ ନେଇ ଏକ ଲିଗାଲ କମିଟି ଗଠନ କରାଯାଇଛି । କଲେଜର ଜମି ସମସ୍ୟା ସମ୍ପର୍କରେ ଭବିଷ୍ୟତରେ ସମସ୍ତ କର୍ମକର୍ତ୍ତାଙ୍କୁ ନେଇ କାର୍ଯ୍ୟକ୍ରମର ଏକ ନକ୍ସା ପ୍ରସ୍ତୁତ ସହ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


