କଲେଜ କଲୋନୀ ପ୍ରାକଟିସିଂ ୟୁପି ସ୍କୁଲରେ ଅଭିଭାବକ ତାଲା ପକାଇଲେ

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା କଲେଜ କଲୋନୀ ପ୍ରାକଟିସିଂ ୟୁ.ପି.ସ୍କୁଲରେ ଅଭିଭାବକମାନେ ତାଲା ପକାଇଦେଇଥିବା ଦେଖାଯାଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା କଲେଜ କଲୋନୀ ପ୍ରାକଟିସିଂ ୟୁ.ପି.ସ୍କୁଲର ତିନୋଟି ଶ୍ରେଣୀ(୨ଟି ତଳମହଲା ଓ ଗୋଟିଏ ଉପର ମହଲାରେ)ଗୁହରେ ପୂର୍ବରୁ ୬ଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଚାଲୁଥିବା ବେଳେ ପ୍ରାୟ ୮ବର୍ଷ ହେବ ଉପର ମହଲା ଶ୍ରେଣୀ ଗୃହଟିକୁ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ଜୋରଜବରଦସ୍ତି ମିଟିଂ କରିବା ନିମନ୍ତେ ସ୍କୁଲରୁ ଚାବି ମାଗିନେଇ ସେହିଦିନ ଠାରୁ ମାଡି ବସିଛି । ଫଳରେ ପ୍ରତ୍ୟେହ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଏ ସମ୍ପର୍କରେ ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକ କେନ୍ଦ୍ରାପଡା ବ୍ଲକ ଶିକ୍ଷା ଅଧିକାରୀ,ସର୍ବଶିକ୍ଷା ଅଭିଯାନର ଡି.ପି.ସି.ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ଅଦ୍ୟାବଧି ନିଆଯାଇନାହିଁ । ଅନ୍ୟପକ୍ଷରେ ଗତ ଅକ୍ଟୋବରମାସ ପହିଲା ଠାରୁ କେନ୍ଦ୍ରାପଡା କଲେଜ ଛାତ୍ରୀନିବାସ ନିକଟରେ ଚାଲୁଥିବା କଲେଜ କଲୋନୀ ପ୍ରାଇମେରୀ ସ୍କୁଲଟିକୁ କଲେଜ କଲୋନୀ ପ୍ରାକଟିସିଂ ୟୁ.ପି.ସ୍କୁଲରେ ମିଶାଇ ଦିଆଯାଇଛି । ଫଳରେ ଏହି ପ୍ରାଇମେରୀ ସ୍କୁଲର ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ଶ୍ରେଣୀର ପ୍ରାୟ ୪୨ଜଣ ଛାତ୍ରଛାତ୍ରୀ କଲେଜ କଲୋନୀ ପ୍ରାକଟିସିଂ ୟୁ.ପି.ସ୍କୁଲର ପ୍ରାୟ ୩୫ଜଣ ଛାତ୍ରଛାତ୍ରୀଙ୍କ ସହିତ ମାତ୍ର ୨ଟି ଶ୍ରେଣୀ ଗୃହରେ ପାଠପଢିବା ଅସମ୍ଭବ ହୋଇପଡିଛି । ୮ଟି ଶ୍ରେଣୀର ପ୍ରାୟ ୭୭ଜଣ ଛାତ୍ରଛାତ୍ରୀଙ୍କୁ ୨ଟି ଶ୍ରେଣୀ ଗୃହରେ ବର୍ଷା ସମୟରେ ଶିକ୍ଷାଦାନ ଦେବା ଓ ମଧ୍ୟାହ୍ନ ଭୋଜନ ଖୁଆଇବାରେ ଗୁରୁତ୍ତର ଅବ୍ୟବସ୍ଥା ସୃଷ୍ଟି ହୋଇଛି । ଆହୁରି ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ବାରଣ୍ଡାକୁ କଲେଜ କଲୋନୀ ପ୍ରାକଟିସିଂ ୟୁ.ପି.ସ୍କୁଲ ଆଡକୁ ସଂପ୍ରସାରଣ କରାଯିବା ପରେ ଏହି ସ୍କୁଲର ବାରଣ୍ଡା ମଧ୍ୟ ସଙ୍କୁଚିତ ହୋଇପଡିଛି । ଏଭଳି ପରିସ୍ଥିତିରେ ପିଲାମାନଙ୍କ ପାଠପଢାରେ ସମସ୍ୟା ଦେଖାଦେବାରୁ ମାଳତୀ ଟୁଡୁ, ମୀରା ବେହେରା, ଜାପି ଟୁଡୁ, ସାଗରିକା ନାୟକ, ରିହାନା ବିବି, ସାଲଗେ ଟୁଡୁ, ଦାମୋଦର ଦାସ, ସୁଲୋଚନା ମିଶ୍ର, ଭାରତୀ ସାହୁ, ଲଚମି ଲାମା, ମାନି ସୋରେନ, ନେହା କିସକୁ, କନକଲତା ସାହୁ, ଲତାଞ୍ଜଳି ସ୍ୱାଇଁ, ଗୋପିଆ ସାହୁ, ସେକ ଅକବାଲ, ସରସ୍ୱତୀ ସାହୁ, ସରସ୍ୱତୀ ମଲ୍ଲିକ ପ୍ରମୁଖ ଛାତ୍ରାଭିଭାବକମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇ କୈାଣସି ସୁଫଳ ନମିଳିବାରୁ ଶେଷରେ ବାଧ୍ୟହୋଇ ସ୍କୁଲରେ ତାଲାପକାଇ ଦେଇଥିଲେ । ସ୍କୁଲଟି ପୂର୍ବାହ୍ନ ୧୧ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ତାଲାପଡି ରହିଥିଲା । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨ଟି ସ୍କୁଲ ଗୋଟିଏ କ୍ୟାମ୍ପସ ମଧ୍ୟରେ ଥିଲେ କିମ୍ବା ଉଭୟ ସ୍କୁଲ ମଧ୍ୟରେ ଦ୍ୱରତା ଏକଶହ ମିଟର ହୋଇଥିଲେ ସେହି ସ୍କୁଲ ଦୁଇଟିକୁ ସରକାରୀ ନୀତିନିୟମ ମଧ୍ୟରେ ମିଶାଇ ଦିଆଯାଇପାରିବ ,କିନ୍ତୁ ଏଠାରେ ୨ଟି ସ୍କୁଲ ମଧ୍ୟରେ ୮ଶହ ମିଟରରୁ ଉଦ୍ଧ୍ୱର୍ ଦୂରତା ଓ ଗୋଟିଏ କ୍ୟାମ୍ପସ ମଧ୍ୟରେ ୨ଟି ସ୍କୁଲ ଅବସ୍ଥିତ ନଥିଲେ ମଧ୍ୟ ଉଭୟକୁ ମିଶାଇ ଦିଆଯିବାରୁ ଏଭଳି ଅଭାବନିୟ ପରିସ୍ଥିତି ସୃଷ୍ଟି ହୋଇଛି । ଖବରପାଇ ବ୍ଲକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ନାୟକ,ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ବେହେରା,ସି.ଆର.ସି.ସି.ବଳଦେବ ପ୍ରସାଦ ଜେନା ପ୍ରମୁଖ ଘଟଣାସ୍ଥଳରେ ପହଁଚି ଛାତ୍ରାଭିଭାବକମାନଙ୍କୁ ବୁଝାଶୁଝା କରିବା ସହିତ ୨ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶୃତି ଦେବାରେ ସ୍କୁଲରୁ ତାଲା ଖୋଲାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ