କଲେଜ ସ୍ଥିତି ସମୀକ୍ଷା କଲେ ୨ ନୋଡାଲ ଅଧିକାରୀ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା କଲେଜର ସ୍ଥିତି ସମୀକ୍ଷା କରିଛନ୍ତି ଉଚ୍ଚଶିକ୍ଷା ବିଭାଗର ୨ ନୋଡାଲ ଅଧିକାରୀ । କଲେଜର ସାମ୍ପ୍ରତିକ ସ୍ଥିତି ଆକଳନ ନିମନ୍ତେ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ରଞ୍ଜିତା ରଥ ଓ ଉପ ଶାସନ ସଚିବ ସ୍ନିଗ୍ଧା ଚମ୍ପତିରାୟ ଗୁରୁବାର କେନ୍ଦ୍ରାପଡାରେ ପହଁଚି କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ସହାୟତାରେ ପ୍ରତିକୂଳ ପାଗ ସତ୍ୱେ କଲେଜର ବିଭିନ୍ନ ବିଭାଗକୁ ଅପରାହ୍ନ ସାଢେ ୫ଟା ପର୍ଯ୍ୟନ୍ତ ତନ୍ନ ତନ୍ନ କରି ଯାଂଚ କରିଥିଲେ । ପ୍ରଥମେ କଲେଜର ଜମିଜମା କାଗଜପତ୍ରକୁ ପରଖିବା ପରେ କଲେଜ ଅଫିସ,କଲେଜର ଆୟ ବ୍ୟୟ ବିଭାଗ,ବିଶ୍ୱ ବିଦ୍ୟାଳୟ ମଞ୍ଜୁରୀ ବିଭାଗ,କଲେଜ ପାଠାଗାର,ଛାତ୍ରଛାତ୍ରୀଙ୍କ ଅଧ୍ୟୟନ କକ୍ଷ ପ୍ରଭୃତି ବୁଲି ଦେଖିବା ସହ ଏହାର ଉପେଯାଗ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ପଚାରି ତଥ୍ୟ ସଂଗ୍ରହ କରିଥିଲେ । ଏହାପରେ ବିଭିନ୍ନ ବିଭାଗର କାର୍ଯ୍ୟସାରଣି,ପ୍ଲାନ ଓ ଅଗ୍ରଗତି ରେଜିଷ୍ଟର ସବୁକୁ ଦେଖିଥିଲେ । କଲେଜକୁ ମିଳିଥିବା ବିଭିନ୍ନ ଅନୁଦାନ ଓ ତାହାର ଉପଯୋଗ,କଲେଜର ନିଜସ୍ୱ ଆୟ ସମ୍ପର୍କରେ ତଥ୍ୟ ସଂଗ୍ରହପରେ ପ୍ରୋକ୍ଟୋରିଆଲ କ୍ଲାସ,ବାୟୋମେଟ୍ରିକ ଖିଲାପକାରୀଙ୍କ ପାଇଁ ଅଧ୍ୟକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ବିଷୟରେ ପଚାରି ବୁଝିଥିଲେ । ସାମାନ୍ୟ ବିରତି ପରେ ଅପରାହ୍ନ ସାଢେଦୁଇଟାରେ ପୁଣି କଲେଜର ସମସ୍ତ ବିଜ୍ଞାନାଗାର,ଛାତ୍ରୀନିବାସ ପ୍ରଭୃତି ବୁଲି ଦେଖିଥିଲେ । କଲେଜ ଛାଡିବା ପୂର୍ବରୁ ଜରୁରୀ ମରାମତି ଆବଶ୍ୟକ ପଡୁଥିବା କ୍ୱାଟରର୍ସ,ପାଚେରୀ,ହଷ୍ଟେଲ ଓ ଶ୍ରେଣୀକକ୍ଷର ନବୀକରଣ ପାଇଁ କତ୍ତୃପକ୍ଷଙ୍କୁ ଅବଗତ କରାଇବାକୁ କହିଥିଲେ । ଆସନ୍ତା ୩୦ତାରିଖ ଅପରାହ୍ନ ସାଢେ ୩ଟା ସମୟରେ ଷ୍ଟାଫଙ୍କ ସହିତ ଭାବବିନିମୟ ପାଇଁ କାର୍ଯ୍ୟକ୍ରମ ସ୍ଥିରକରି ଅପରାହ୍ନ ସାଢେ ୫ଟା ସମୟରେ କଲେଜରୁ ବିଦାୟ ନେଇଥିଲେ । କଲେଜ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା,ପ୍ରଶାସନିକ ସହକାରୀ ସୟଦ ସାହାବୁଦ୍ଦିନ ଅଲ୍ଲୀ,ତପନ କୁମାର ପତି, ଶ୍ରୀଧର ସାମଲ,ଏକାଡେମିକ ଅଧିକାରୀ ରାମଚନ୍ଦ୍ର ପାତ୍ର,ୟୁଜିସି ଦାୟିତ୍ୱରେ ଥିବା ଡଃ.ପ୍ରମୋଦ କୁମାର ଦାସ ଓ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା )ସଂଯୋଜକ ଦାୟିତ୍ୱରେ ଥିବା ରଞ୍ଜିିତ କୁମାର ଦାସ ଏବଂ ଅଫିସ ମୁଖ୍ୟ କୁମର ଚନ୍ଦ୍ର ମଲ୍ଲିକଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ