କଲ୍ୟାଣ ମଣ୍ଡପ ସମ୍ପୂର୍ଣ୍ଣ କେବେ !

କୋଦଳା,(ଯୁଗାବ୍ଦ ନ୍ୟୁଜ୍‌) : ସରକାରୀ ଅନୁଦାନ ଆସି ସୁଧା ଖର୍ଚ୍ଚ ହୋଇ ନ ପାରିବା ଯୋଗୁଁ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି କଲ୍ୟାଣ ମଣ୍ଡପ । ଯାହା ଫଳରେ କି ଅନୁଦାନର କୌଣସି ମୂଲ୍ୟ ରହୁନାହିଁ ଏବଂ ପ୍ରକଳ୍ପ କାର୍ଯ୍ୟ ଜନସାଧାରଣଙ୍କ କାମରେ ଆସୁନି । ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବ୍ଲକର ବେଗୁନିଆପଡା ଠାରେ ୨୦୦୧ ମସିହାରୁ ଆରମ୍ଭ ହୋଇଥିବା ଏକ କଲ୍ୟାଣ ମଣ୍ଡପ ଗୃହ ନିର୍ମାଣ ୨୦୨୦ ମସିହାରେ ବି ଶେଷ ନ ହୋଇ ପାରିବା ଘଟଣା ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ଅନୁସାରେ ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକଙ୍କ ନିଜସ୍ବ ପାଣ୍ଠିର ୨ ଲକ୍ଷ ଟଙ୍କା ଅନୁଦାନରେ ଆରମ୍ଭ ହୋଇଥିଲା ବେଗୁନିଆପଡ଼ା ଠାରେ ଏକ କଲ୍ୟାଣ ମଣ୍ଡପ। ତେବେ ସେତିକି ଅର୍ଥରେ ଯେତିକି କାମ ହେବାକଥା ତାହା ନ କରି ସଂପୃକ୍ତ ଠିକାଦାର ସିମେଣ୍ଟ ଓ ଟକାଂ ଉଠାଇ ଦେଇ ଆଉ କାମ କରି ନଥିଲେ। ଯାହା ଫଳରେ କି କାମ ଆଉ ଆଗକୁ ବଢି ନଥିଲା ଏବଂ ଏତିକି ଅର୍ଥ ଯଥେଷ୍ଟ ନଥିଲା। ଏହାପରେ ସେତେବେଳର ଜିଲ୍ଲା ପରିଷଦ ସଭ୍ଯ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ସେଠୀଙ୍କ ସମୟରେ ଆଉ କିଛି ଅର୍ଥ ଡିଆରଡିଏ ରୁ ଆଲର୍ଟ କରାଯାଇଥିଲା। ଦୁଇଟି କିସ୍ତିରେ ୧୨ ଲକ୍ଷ ଟଙ୍କା ଦିଆଯାଇଥିଲେ ମଧ୍ୟ କଲ୍ଯାଣ ମଣ୍ଡପର ଛାତ ତିଆରି ହୋଇ ପାରି ନଥିଲା। ବର୍ଷ ପରେ ବର୍ଷ ବିତି ଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ନ ପାରି ଭୂତ କୋଠି ହୋଇ ପଡ଼ିରହିଲା।ପୁଣି ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କ ସହାୟତା କ୍ରମେ କିଛି ଅର୍ଥ ଦିଆଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ହୋଇ ପାରି ନଥିଲା। ଇତି ମଧ୍ୟରେ ୩ ଟି ସାଂସଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି, ୨୦ ବର୍ଷ ବିତିଯାଇଥିଲେ ମଧ୍ୟ କଲ୍ଯାଣ ମଣ୍ଡପଟିର ସଂପୂର୍ଣ୍ଣ କାର୍ଯ୍ଯ ହୋଇ ନପାରିବା ସାଧାରଣରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଘଟଣାକୁ ନେଇ ସେତେବେଳର ଠିକାଦାର ବାଲୁ ପାତ୍ରଙ୍କୁ ପଚାରିବାରୁ ପ୍ରଶାସନିକ ଅବ୍ଯବସ୍ଥାକୁ ସେ ଦାୟୀ କରିବା ସହ ରାଜନୈତିକ କାରଣରୁ ସେ କାର୍ଯ୍ୟ ଛାଡ଼ି ଦେଇଥିଲେ ବୋଲି କହିଛନ୍ତି। ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ସେଠୀ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତିକୁ ଦୋଷ ଦେଇଛନ୍ତି। ସାସଂଦ ପାଣ୍ଠିକୁ ଖର୍ଚ୍ଚ କରିବାକୁ ବିଧାୟିକାଙ୍କ କର୍ମୀ ମାନେ ଆଗ୍ରହ ପ୍ରକାଶ କରି ନଥିଲେ ଏବଂ ଦଳୀୟ କର୍ମୀଙ୍କ ମଧ୍ୟରେ ଅନ୍ତଃ କନ୍ଦଳ ପାଇଁ ନିର୍ମାଣ କାର୍ଯ୍ୟ ଆଗକୁ ବଢି ନଥିବା ସେ କହିଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସରକାରଙ୍କ ଅନୁଦାନ ସତ୍ବେ କୌଣସି ଜନହିତକର କାର୍ଯ୍ୟ ନିର୍ମାଣରେ ଅହେତୁକ ବିଳମ୍ବ ହେବା ଏବଂ ଏଥିପାଇଁ ରାଜନୈତିକ ନେତୃବୃନ୍ଦ ପଦକ୍ଷେପ ନ ନେବା ଆମ ବ୍ଯବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଦେଖିବାକୁ ବାକି ରହିଲା କେବେ ସମ୍ପୂର୍ଣ୍ଣ ହେବ କଲ୍ଯାଣ ମଣ୍ଡପ କାର୍ଯ୍ୟ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ