କଳାକାନୁନ ପ୍ରତ୍ୟାହାର ଦାବିରେ ୧୯ ମାର୍ଚ୍ଚରେ ଚଣ୍ଡିଖୋଲରେ ମହାପଞ୍ଚାୟତ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କଳା କାନୁନ ପ୍ରତ୍ୟାହାର ଦାବିରେ ପାଖାପାଖି ୧୦୦ ଦିନ ଧରି ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବା ସତ୍ତ୍ୱେ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ଏପରିକି ଏହି ଅହିଂସକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ପାଖାପାଖି ୨୦୦ ଚାଷୀ ଆତ୍ମୋତ୍ସର୍ଗ କରିଥିଲା ବେଳେ ସରକାର ଏ ପର୍ଯର୍୍ୟନ୍ତ ଏ ନେଇ ସମ୍ବେଦନଶୀଳ ହେଉନାହାଁନ୍ତି । ବରଂ କୃଷକ ଆନ୍ଦୋଳନ କିଭଳି ବଦନାମ ହେବ, ଚାଷୀ ଆନ୍ଦୋଳନକୁ ନେଇ ଲୋକେ କେମିତି ଭ୍ରମିତ ହେବେ ସେ ନେଇ ସରକାର ଯେତେ ପାରି ସେତେ ଉଦ୍ୟମ କରିଛନ୍ତି । ଏଭଳିକି ଚାଷୀ ଆନ୍ଦୋଳନକୁ ବଦନାମ କରିବା ପାଇଁ କେନ୍ଦ୍ର ସରକାର ଓ ବିଜେପି ଦଳ ଲୋକ ଲଗାଇ ଜାନୁୟାରୀ ୨୬ରେ ଲାଲକିଲ୍ଲାରେ ଖଲିସ୍ତାନ ପତାକା ଉଡ଼ାଇଲେ ଓ ଏହାର ବହୁଳ ପ୍ରଚାର ଗଣମାଧ୍ୟମ ଦ୍ୱାରା କରାଗଇଲେ । ପରବର୍ତ୍ତୀ ଅବସ୍ଥାରେ ଅନ୍ୟାନ୍ୟ ଗଣମାଧ୍ୟମ ଦ୍ୱାର ସତ୍ୟର ଉନ୍ମୋଚନ ହେଲା । ପ୍ରଥମରୁ କେନ୍ଦ୍ର ସରକାର ଏହା ଧନୀ କୃଷକଙ୍କ ଆନ୍ଦୋଳନ, ଦଲାଲମାନଙ୍କ ଆନ୍ଦୋଳନ ବୋଲି ଅଭିହିତ କରି ଆସୁଥିଲେ । କେବଳ ଏତିକିରେ ସନ୍ତୁଷ୍ଟ ନହୋଇ ଆନ୍ଦୋଳନ ପଛରେ ବିଦେଶୀ ଶକ୍ତିଙ୍କ ହାତ, ଖଲିସ୍ତାନ ହାତ ବୋଲି ପ୍ରଚାର କଲେ । ଆନ୍ଦୋଳନ ଯେତେବେଳେ ଦାନା ବାନ୍ଧିଲା ଓ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ବ୍ୟକ୍ତିବିଶେଷ ଚାଷୀ ଆନ୍ଦୋଳନକୁ ସମର୍ଥନ ନକରି ଚାଷୀ ସପକ୍ଷବାଦୀ ବାତାବରଣ ସୃଷ୍ଟି କଲେ ସେତେବେଳେ ସରକାର ଏହି ଆଇନକୁ ଦେଢବର୍ଷ ସ୍ଥଗିତ ରଖିବୁ ବୋଲି କହିଲେ ଯାହାକୁ ସଂଯୁକ୍ତ କିଷାନମୋର୍ଚ୍ଚାର ନେତୃତ୍ୱ ଅଦ୍ୟାବଧି ସ୍ୱୀକାର ନକରି ବେସାଲିସ ଭାବେ ଆନ୍ଦୋଳନ ଚଳାଇଛନ୍ତି । ସବୁଠୁ ଲଜ୍ଜାର ବିଷୟ କରୋନା ସମୟରେ ଯେତେବେଳେ କି ଗଣତାନ୍ତ୍ରିକ ଧାରାରେ ଏକାଠି ହେବା ଓ ସଭାସମିତି କରିବା ମନା ଓ ସେ ସମୟରେ ତରବରିଆ ଓ ଅତ୍ୟନ୍ତ ଗୋପନୀୟ ଭାବେ ଏ ଆଇନ କରାଯାଇଛି ଯେଉଁ ସଂକ୍ରାନ୍ତରେ ପାର୍ଲାମେଣ୍ଟର ଉଭୟ ଗୃହରେ ନାଁ ଆଲୋଚନା ହୋଇଛି ନା ବିତର୍କ ହୋଇଛି । ଅଥଚ ସରକାର ଟାଣୁଆ ନେତା ଓ ମନ୍ତ୍ରୀମାନେ ଲଜ୍ଜାହୀନ ଭାବରେ କହୁଛନ୍ତି ଆଇନରେ କେଉଁଟା କଳା କୁହ । ୨/୪ଟି ରାଜ୍ୟକୁ ଛାଡ଼ିଦେଲେ କଳା କାନୁନର ଅପକାରିତାକୁ ନେଇ ଯେହେତୁ ବ୍ୟାପକ ପ୍ରଚାର ହୋଇନି ତେଣୁ ସରକାର ଏଭଳି ମିଥ୍ୟା ଆସ୍ଫଳନ ଓ ଆସ୍ପର୍ଦ୍ଧା କରିବାକୁ ଚେଷ୍ଟିତ । ଏହି ପରିପ୍ରେକ୍ଷୀରେ ଆନ୍ଦୋଳନକୁ କିଭଳି ସାରା ଭାରତରେ ବ୍ୟାପକ କରାହେବ ସେଥିନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ସାରା ଦେଶରେ ମହାପଞ୍ଚାୟତମାନ ଆୟୋଜନ କରାଯାଉଛି । ଚାଷୀ ଅନ୍ଦୋଳନର ଜାତୀୟ ପ୍ରେକ୍ଷାପଟରେ ଓଡ଼ିଶା ତାର ଐତିହାସିକ ଭୂମିକା ବଜାୟ ରଖିବାର ଅବହେଳା କରିନାହିଁ । ଜାନୁୟାରୀ ୧୫ରୁ ଓଡ଼ିଶାର ୫୦୦ ଚାଷୀ ବସ୍ ଯୋଗେ ଦିଲ୍ଲୀ ଯାଇ ଆନ୍ଦୋଳନରେ ଯୋଗଦେଇ ଫେରିଛନ୍ତି । ୟୁପି, ହରିୟାଣା, ରାଜସ୍ଥାନ ପ୍ରଭୃତି ରାଜ୍ୟରେ ବଡ଼ବଡ଼ ମହାପଞ୍ଚାୟତ ହୋଇ ଚାଷୀଙ୍କର କଳା କୃଷିକାନୁନ ବିରୁଦ୍ଧରେ ସଂଗ୍ରାମ ତେଜିୟାନ ହେଉଥିବା ବେଳେ ଓଡ଼ିଶାର ଚଣ୍ଡିଖୋଲଠାରେ ୧୯ ମାର୍ଚ୍ଚରେ ମହାପଞ୍ଚାୟତ ଆୟୋଜନ ହୋଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚାର ଜାତୀୟ ନେତୃମଣ୍ଡଳୀରେ ସାମିଲ ହୋଇ ଆଲୋଚନାରେ ଭାଗ ନେଇଥିବା ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ନେତା ଅକ୍ଷୟ କୁମାରଙ୍କ ଆହ୍ୱାନକ୍ରମେ ଏହି ସମାବେଶ ଆୟୋଜିତ ହୋଇଛି ଓ ଏଥିରେ ଆନ୍ଦୋଳନର ଜାତୀୟ ନେତା ରାକେଶ ଟିକାଏତ, ହରିୟାଣାର ଗୁରନାମସିଂ ଚଡ଼ୌନି, ପଞ୍ଜାବର ପ୍ରମୁଖ ନେତା ବଲବୀର ସିଂ ରଜୱାଲା ପ୍ରମୁଖ ଯୋଗଦେବେ । ଏହି ସମାବେଶରେ ତିନି କଳା କାନୁନ, ମଣ୍ଡି ଘରୋଇକରଣ, ଠିକାଚାଷ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ୧୯୫୫ର ପ୍ରତ୍ୟାହାର କିଭଳି ସୁଦୁରପ୍ରସାରୀ ଭାବେ ଚାଷୀଙ୍କୁ ଚାଷରୁ ବିସ୍ଥାପିତ କରିଦେବ ଓ ନିଜ ଜମିରେ ଚାଷୀଙ୍କୁ ମୂଲିଆ କରି ଦେବା ସହିତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଇନର ଅପସାରଣ ପରେ କୋଟିକୋଟି ନାମମାତ୍ର ଚାଷୀ ଅନାହାରର ମୃତ୍ୟୁକୁ ଠେଲି ହୋଇଯିବେ, ତାହା ଚାଷୀଙ୍କ ଆଗରେ ରଖାଯିବ । ବିଶେଷକରି କଳା କାନୁନର କଳାଟା କଣ ତାହା ଖୁଲାସା କରାଯିବ । ଏମ୍.ଏସ୍.ପି.କୁ ଆଇନ ପରିସରଭୁକ୍ତ କରିବା ପାଇଁ ଯେଉଁ ମହାସଂଗ୍ରାମ ତମାମ ଦେଶରେ ଆରମ୍ଭ ହୋଇଛି ଏଥିରେ ଓଡ଼ିଶାର ପ୍ରତ୍ୟେକ ଚାଷୀପରିବାର କିଭଳି ସାମିଲ ହେବେ ସେ ନେଇ ଏ ସଭାରେ ସଂକଳ୍ପ କରାଯିବ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇ ରାୟ, ରଶ୍ମିରଞ୍ଜନ ସ୍ୱାଇଁ, ଯୁବଛାତ୍ର ଆବାହକ ମନୱର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।


