‘କଳାକାର’ର ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବ ଉଦଯାପିତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଅନ୍ୟତମ ନାଟ୍ୟାନୁଷ୍ଠାନ ‘କଳାକାର’ର ୩୨ତମ ବାର୍ଷିକ ଉତ୍ସବ ଓ ୨୩ ତମ ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବର ଉଦଯାପନୀ ସଂଧ୍ୟା ସ୍ଥାନୀୟ ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ‘କଳାକାର’ର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ ଉତ୍ସବକୁ ଉଦଘାଟନ କରିବା ସହିତ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ନାଟ୍ୟକଳାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ତେବେ ନାଟ୍ୟକଳାକୁ ଦୀର୍ଘ ୩୧ ବର୍ଷ ଧରି ଉଜ୍ଜୀବିତ ରଖିବାରେ ଏହି ଅନୁଷ୍ଠାନର ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛି ବୋଲି ସେ ମତ ପ୍ରକାଶ କରିଥିଲେ । ସଦର ବିଧାୟକ ସ୍ୱରୂପ ଦାସ ଓ ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାଟ୍ୟକଳାକୁ ବଞ୍ଚାଇ ରଖିବା ଓ ଛାତ୍ରଜୀବନରୁ ଶିଶୁମାନଙ୍କ ମଧ୍ୟରେ ମଂଚନାଟ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ‘କଳାକାର’ ଅନୁଷ୍ଠାନ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି ବୋଲି କହିଥିଲେ । ଏହି ଅବସରରେ ଅତିଥିମାନେ ‘କଳାକାର’ ପକ୍ଷରୁ ସମ୍ପାଦିତ ସ୍ମରଣିକାକୁ ଉନ୍ମୋଚନ କରିଥିଲେ । ୨୦ ତାରିଖରୁ ପ୍ରତି ସଂଧ୍ୟାରେ ଚାଲିଥିବା ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବରେ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିବା ନାଟ୍ୟ ନିର୍ଦ୍ଦେଶକ ରାଜୀବ ପାଣି, ‘କଳାକାର’ର ଉପଦେଷ୍ଟା ରାଜେନ୍ଦ୍ର କିଶୋର ରାୟ ଓ କମଳାକାନ୍ତ ଆଚାର୍ଯ୍ୟଙ୍କୁ ଅନୁଷ୍ଠାନ ପକ୍ଷରୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । କଳାକାର ପକ୍ଷରୁ ଏହି ନାଟକ ମହୋତ୍ସବ ଆୟୋଜନରେ ବହୁ ଶିଶୁ କଳାକାର ସୃଷ୍ଟି ହୋଇପାରୁଛନ୍ତି ବୋଲି ସମ୍ମାନିତ ଅବସରରେ ବିଚାରକ ମଣ୍ଡଳୀ ମତବ୍ୟକ୍ତ କରିଥିଲେ । ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବରେ ମନୋନୀତ ଶ୍ରେଷ୍ଠ ନାଟକ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତାଙ୍କ ସମେତ ବିଭିନ୍ନ ବର୍ଗର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଥିଲା । ଉଦଯାପନୀ ସଂଧ୍ୟା କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ଦାସ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ କଳାକାରର ସମ୍ପାଦକ ସୌମ୍ୟରଞ୍ଜନ ପ୍ରଧାନ ବିବରଣୀ ପାଠ କରିଥିଲେ । ଯୋଗେଶ ମହାପାତ୍ର ଶେଷରେ ସମସ୍ତ୍ୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ‘କଳାକାର’ ପ୍ରଯୋଜିତ ତଥା ନାଟ୍ୟକାର ପ୍ରଦୀପ ଭୌମିକଙ୍କ ରଚିତ ନାଟକ ‘ସିଏ ଆସିବ ବୋଲି’ ମଞ୍ଚସ୍ଥ ହୋଇଥିଲା । ଡ. ତୁରୁଣ ବିଶ୍ୱାଳ ଏହି ନାଟକରେ ନିର୍ଦ୍ଦେଶନା ଦେଇଥିଲେ । ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟାମାନେ ଏଥିରେ ଅଭିନୟ କରିଥିଲେ । ଉଦଯାପନୀ ସଂଧ୍ୟାର କାର୍ଯ୍ୟକ୍ରମକୁ ବିଷ୍ଣୁ ପ୍ରସାଦ ମହାନ୍ତି, ସୁଧାଂଶୁ ଶେଖର ଦାସ, କମଲ କୁମାର ଗିରି, ଶ୍ରୀତମ ସିଂ, ଅମର ନାଥ ଗୋଚ୍ଛାୟତଙ୍କ ସମେତ ଅନୁଷ୍ଠାନର ସଦସ୍ୟମାନେ ପରିଚାଳନା କରିଥିଲେ ।


