‘କଳାକାର’ର ଶିଶୁ ନାଟକ ମହୋତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା) : ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ନାଟ୍ୟ ଅନୁଷ୍ଠାନ ‘କଳାକାର’ ପକ୍ଷରୁ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେଉଥିବା ୨୨ତମ ଶିଶୁ ନାଟକ ମହୋତ୍ସବର ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହା ସ୍ଥାନୀୟ ଟାଉନହଲ ପରିସରରେ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସହରର ମଲିକାଶପୁର ସ୍ଥିତ ସ୍ୱର୍ଗତ ଅରୁଣ ଦେଙ୍କ ବାସଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘କଳାକାର’ ଅନୁଷ୍ଠାନର କର୍ମକର୍ତ୍ତାମାନେ ଶିଶୁ ନାଟକ ମହୋତ୍ସବର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ମହୋତ୍ସବରେ ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାର ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜରୁ ୧୫ରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ । କୋଭିଡ କଟକଣା ମଧ୍ୟରେ ପ୍ରତି ସଂଧ୍ୟା ୫ଟାରୁ ନାଟକ ଆରମ୍ଭ ହୋଇ ରାତି ୯ଟା ପର୍ଯ୍ୟନ୍ତ ଚାଲିବ ।ଏହି ମହୋତ୍ସବରେ ଅଂଶଗ୍ରହଣକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଯାତାୟାତ ଖର୍ଚ୍ଚ ସାଙ୍ଗକୁ ରହିବା, ଖାଇବା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଅଟକଳ ୩,୮୫,୦୦୦ ଟଙ୍କା ରହିଥିବା ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ସୁରଞ୍ଜନ ଦାସ ମହାପାତ୍ର ସୂଚନା ଦେଇଛନ୍ତି । ପ୍ରତିଯୋଗିତା ପରିବର୍ତ୍ତେ ଏହାକୁ ଶିଶୁନାଟକ ମହୋତ୍ସବ ଭାବେ ଗ୍ରହଣ କରାଯାଇଥିବା ବେଳେ ପ୍ରତ୍ୟେକ ଅଂଶଗ୍ରହଣକାରୀ ଦଳକୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ସଂସ୍କୃତି ତଥା କଳାସମ୍ପନ୍ନ ବାଲେଶ୍ୱର ଜିଲାର ପୂର୍ବ ଗରିମାକୁ ବଜାୟ ସାଙ୍ଗକୁ ମଞ୍ଚନାଟ୍ୟ କାଳାକୁ ଉଜ୍ଜୀବିତ ରଖିବା ପାଇଁ ଦୀର୍ଘ ୨୧ ବର୍ଷ ଧରି ‘କଳାକାର’ ତା’ର ଏହି ପରମ୍ପରା ଜାରି ରଖିଛି । କରୋନା ସତ୍ତ୍ୱେ ଚଳିତ ବର୍ଷ ଆୟୋଜିତ ହେବାକୁ ଯାଉଥିବା ଏହି ମହୋତ୍ସବକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଅନୁଷ୍ଠାନର କର୍ମକର୍ତ୍ତାମାନେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ‘କଳାକାର’ର ସମ୍ପାଦକ ସୌମ୍ୟରଞ୍ଜନ ପ୍ରଧାନ, ଉପ-ସଭାପତି ରାଜକିଶୋର ବେହେରା, ବରିଷ୍ଠ ଉପଦେଷ୍ଟା ବିଷ୍ଣ ପ୍ରସାଦ ମହାନ୍ତି ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ