‘କଳାକାର’ ନାଟ୍ୟାନୁଷ୍ଠାନର ବାର୍ଷିକ ଉତ୍ସବ ମନମୋହିଲା ନାଟକ ‘ସୁଅ’
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱରର ଅଗ୍ରଣୀ ନାଟ୍ୟାନୁଷ୍ଠାନ କଳାକାରର ୩୧ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ସୁରଞ୍ଜନ ଦାସମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଜିଲା ଶିକ୍ଷା ଅଧିକାରୀ ବିଷ୍ଣୁ ଚରଣ ସୂତାର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କଳାକାର ସମାଜ ପରିବର୍ତ୍ତନର କର୍ଣ୍ଣଧାର ସାଜିଥାଏ ବୋଲି ମତପ୍ରକାଶ କରିଥିଲେ । ଜଣେ ପ୍ରକୃତ କଳାକାର କେବେ ବିପଥଗାମୀ ହୁଏନି କିମ୍ବା ହାତରେ ବନ୍ଧୁକ ଧରେନି ବୋଲି ଶ୍ରୀ ସୁତାର କହିଥିଲେ । ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ଇଂ. ହୃଷିକେଶ ସାହୁ, ନାଟ୍ୟ ନିର୍ଦ୍ଦେଶକ ରାମଚନ୍ଦ୍ର ମହାପାତ୍ର, କଳାକାର ଉପଦେଷ୍ଟା ରାଜେନ୍ଦ୍ର କିଶୋର ରାୟ, ନାଟ୍ୟକାର ଇଂ ଚିନ୍ମୟ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକ ସୌମ୍ୟରଞ୍ଜନ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ । ସଭ୍ୟ ସୁଶାନ୍ତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥବା ବେଳେ କୁମାର ଗୋପାଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗୁରୁ ଗଙ୍ଗାଧର କଳା ସଂସ୍କୃତି ପରିଷଦର ମୁଖ୍ୟ ଗଙ୍ଗାଧର ସେଠୀଙ୍କ ଲିଖିତ ନାଟ୍ୟ ପୁସ୍ତକ ‘ଦିନିଆ ଭଣ୍ଡାରୀର ଆଦିଅନ୍ତ’, ‘ତିନୋଟି ଗିତିନାଟ୍ୟ’, ‘ସଚିତ୍ର ପ୍ରାରମ୍ଭିକ ଯୋଗାଭ୍ୟାସ ଏବଂ ନିୟମାବଳୀ’ ଶୀର୍ଷକ ପୁସ୍ତକଗୁଡ଼ିକ ଉନ୍ମୋଚିତ ହୋଇଥିଲା । ପରେ ଦିଲେଶ୍ୱର ମହାରଣାଙ୍କ ରଚିତ ନାଟକ ‘ସୁଅ’ ମଞ୍ଚସ୍ଥ ହୋଇଥିଲା । କଳାକାର ନାଟ୍ୟାନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟମାନେ ଏଥିରେ ଅଭିନୟ କରିଥିଲେ ।