କଳାବ୍ୟାଜ୍‍ ପିନ୍ଧି କାମକଲେ କର୍ମଚାରୀ

ଅନୁଗୋଳ (ଜୁଗାବ୍ଦ ନ୍ୟୁଜ୍‍): ଅନୁଗୋଳ ଜିଲ୍ଳାରେ ପାନୀୟ ଜଳ ଓ ପରିମଳ ବିଭାଗ କର୍ମଚାରୀ ଦୁଇତିନି ବର୍ଷ ହେଲା ସ୍ୱଚ୍ଛ ଭାରତ ମିଶନକୁ ଆସି କାମ ନିଷ୍ପାପର ଭାବେ କାମ କରିଚାଲିଥିଲେ । ଏଥିଯୋଗୁଁ ସେମାନଙ୍କୁ ପୁରସ୍କୃତ କରାଯିବା କଥା । ମାତ୍ର ସ୍ୱଚ୍ଛ ଭାରତ ମିଶନରେ କାର୍ଯ୍ୟ କରୁଥିବା ଏହି ଜିଲ୍ଲା ପ୍ରକଳ୍ପ ସଂଯୋଜକ (ଡିପିସି) ଓ ଜିଲ୍ଲାସ୍ତରୀୟ ସଂଯୋଜକ (ଡିଏଲ୍‍ସି) କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛନ୍ତି । ଏହାକୁ ନେଇ କାର୍ଯ୍ୟରତ ୭୪୪ ଡିପିସି ଓ ଡିଏଲ୍‍ସିଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରି୍ରୟା ପ୍ରକାଶ ପାଇଛି । ଅନୁଗୋଳ ଜିଲ୍ଳାରେ କାମ କରୁଥିବା ୨୨ କର୍ମଚାରୀ ଗତକାଲି ଏହାର ପ୍ରତିବାଦ କରିବାସହ କଳାବ୍ୟାଜ୍‍ ପିନ୍ଧି କାର୍ଯ୍ୟ କରିଥିବା ଦେଖିବାକୁ ମିଳିଥିଲା ।ସମ୍ପୃକ୍ତ କର୍ମଚାରୀଙ୍କ କହିବା ଅନୁଯାୟୀ ପାନୀୟ ଜଳ ଓ ପରିମଳ ବିଭାଗ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ୧୦ବର୍ଷ ପୂର୍ବେ ସେମାନଙ୍କୁ ଅସ୍ଥାୟୀ ନିଯୁ୍‍କ୍ତି ଦେଇଥିଲେ । ଅନୁରାଧା ସିଂ ଜିଲ୍ଲା ପ୍ରୋଜେକ୍ଟ କୋଅର୍ଡିନେଟର (ଡିପିସି) ଭାବେ କାର୍ଯ୍ୟ କରୁଥିବାବେଳେ ଜିଲ୍ଲାସ୍ତରୀୟ କନସଲଟାଣ୍ଟ ଭାବେ ସୀତାଞ୍ଜଳି ପତି (ଆଇଇସି ଆଣ୍ଡ ଏଚଆରଡି, ମିଲୁ କୁମାର ମହନ୍ତ (ସାନିଟେସନ) ଓ ସ୍ମୃତିରେଖା ମିଶ୍ୟ (ଏମ୍‍ଇ କମ୍‍ ଏମଆଇସି) ଅଛନ୍ତି । ସେହିପରି ପ୍ରତି ବ୍ଲକ୍‍ରେ ଜଣେ ଲେଖାଏଁ ବ୍ଲକ୍‍ କୋଅର୍ଡିନେଟର ଓ କ୍ଲଷ୍ଟର କୋ ଅର୍ଡିନେଟର ରହିଛନ୍ତି । ବଅଁରପାଳ ଓ ଆଠମଲ୍ଲିକରେ ଅଧିକ କାର୍ଯ୍ୟ କରୁଥିବାରୁ ଆଉ ଦୁଇ ଜଣ କ୍ଲଷ୍ଟର କୋଅର୍ଡିନେଟର ନିଯୁକ୍ତି ପାଇଥିଲେ । ଏ ସମସ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍‍ ୨୨ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ସେମାନେ ସ୍ଥାୟୀ ନିଯୁକ୍ତି ଦାବି କରୁଥିବା ବେଳେ ପ୍ରତିବର୍ଷ ସରକାର ଚାକିରିରେ ପୁନଃ ଚୁକ୍ତିନାମା କରୁଛନ୍ତି । ତେବେ ଆସନ୍ତାମାର୍ଚ୍ଚ ପରେ ଆଉ ପୁନଃ ଚୁକ୍ତିନାମା କରାଯିବ ନାହିଁ ବୋଲି ପଞ୍ଚାୟତରାତ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ରୁପା ମିଶ୍ର ନିର୍ଦ୍ଦେଶ ଜାରି କରିଛନ୍ତି । ଚିଠି ନଂ ୨୯୩୬ ମାର୍ଚ୍ଚ ୮ରେ ସଚିବ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ଯେ, ସ୍ୱଚ୍ଛ ଭାରତ ମିଶନରେ କାମ କରୁଥିବା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ଜିଲ୍ଲାସ୍ତରୀୟ ସଂଯୋଜକଙ୍କ ବଦଳରେ ଠିକା ସଂସ୍ଥାରୁ କର୍ମଚାରୀ ନିଯୁକ୍ତି ପାଇବେ । ଏହି ଖବର ମିଳିବାପରେ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେମାନେ ଉକ୍ତି ନିଷ୍ପତ୍ତିର ପୁନର୍ବିଚାର ଦାବି କରି କଳାବ୍ୟାଜ୍‍ ପିନ୍ଧି କାର୍ଯ୍ୟ କରିଛନ୍ତି । ଯଦି ପୁନର୍ବିଚାର କରାନଯାଏ ତାହାହେଲେ ମାର୍ଚ୍ଚ ୩୧ ପରେ ଆନ୍ଦୋଳନକୁ ଓହ୍ଳାଇବୁ ବୋଲି ଜିଲ୍ଲା ପ୍ରୋଜେକ୍ଟ କୋଅର୍ଡିନେଟର ଅନୁରାଧା ସିଂ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୮୫ ପ୍ରତିଶତ ସ୍ୱଚ୍ଛତା ଆସିଛି । ଏପରି ସ୍ଥିତିରେ କର୍ମଚାରୀଙ୍କୁ ଛଟେଇ କରାଗଲେ ବାକି ୧୫ ପ୍ରତିଶତ କାର୍ଯ୍ୟ ଅନଭିଜ୍ଞ କର୍ମଚାରୀମାନେ କରିବା କଷ୍ଟକର ହୋଇପଡ଼ିବ । ଜିଲ୍ଲାରେ ସ୍ୱଚ୍ଛ ଭାରତକୁ ରାସ୍ତା ଦେଖାଇଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁ୍‍କ୍ତି ବଦଳରେ ଛଟେଇ କରାଯିବା ଦୁଃଖ ଓ ପରିତାପର ବିଷୟ । ଏନେଇ କର୍ମଚାରୀମାନେ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ