କଳାସୁତା କ୍ଲଷ୍ଟର୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ତଥା ଧରାକୋଟ୍ ବ୍ଳକ୍ ଅନ୍ତର୍ଗତ କଳାସୁତା କ୍ଲଷ୍ଟର୍ ରେ କ୍ଲଷ୍ଟର୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ଶିକ୍ଷକ ଶୁକ୍ରୁ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭାଷା ଏବଂ ଗଣିତ ଜ୍ଞାନ ସମ୍ପର୍କିତ ଶିକ୍ଷଣ ସାମଗ୍ରୀ ମେଳାକୁ ଝାଡ଼ବନ୍ଧ ସରପଞ୍ଚ ଯୋଗେନ୍ଦ୍ର ସ୍ୱାଇଁ ଉଦ୍ଘାଟନ କରିଥିଲେ I ଏହି କାର୍ଯ୍ୟକ୍ରମରେ 29 ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ପ୍ରତାପ ସ୍ୱାଇଁ ଏବଂ ଝାଡ଼ବନ୍ଧ ସମିତିସଭ୍ୟ ନାରାୟଣ ଗୌଡ଼ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ I କଳାସୁତା କ୍ଲଷ୍ଟର୍ ର ସମସ୍ତ ନଅଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତ୍ରିନାଥ ବେହେରା ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ I ଏହି କାର୍ଯ୍ୟକ୍ରମରେ ମୌଳିକ ସାକ୍ଷରତା ଜ୍ଞାନ ବିଭାଗରେ ଗମ୍ଭାରୀଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷଣ ସାମଗ୍ରୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କଳାସୁତା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷଣ ସାମଗ୍ରୀ ଦ୍ୱିତୀୟ ସ୍ଥାନ ହାସଲ କରିଥିଲା I ସେହିପରି ମୌଳିକ ସଂଖ୍ୟା ଜ୍ଞାନ ବିଭାଗରେ କଳାସୁତା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷଣ ସାମଗ୍ରୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କେରୁଆଁପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷଣ ସାମଗ୍ରୀ ଦ୍ୱିତୀୟ ସ୍ଥାନ ହାସଲ କରିଥିଲା I କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ ସଦସ୍ୟାମାନେ ସହଯୋଗ କରିଥିଲେ I


