କଳାହାଣ୍ଡିରେ ରବି ଧାନ କିଣା ଆରମ୍ଭ ଟାଣ ଖରା ଓ କାଳବୈଶାଖୀକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ସଜବାଜ
କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି): କଳାହାଣ୍ଡି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ରବି ଧାନକିଣା । ଆଜି ଗୋଲାମୁଣ୍ଡା ବ୍ଲକ୍ ଫରଙ୍ଗ,ଜୁନାଗଡ଼ ବ୍ଲକ୍ ଦାସୀ ଗାଁ ଓ ଭବାନୀପାଟଣା ବ୍ଲକ୍ କର୍ଲାପଡା ଠାରେ ଜିଲ୍ଲା ପ୍ରଶାସନର ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ରବି ମଣ୍ଡି ଆରମ୍ଭ ହୋଇଛି। ଧର୍ମଗଡ଼ ଉପଜିଲ୍ଲାପାଳ ଧିମନ୍ ଚକମା ଓ ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା ମଣ୍ଡିଗୁଡ଼ିକର ଉଦଘାଟନ କରିଛନ୍ତି। ମଣ୍ଡି କିପରି ଶୃଙ୍ଖଳା ଭାବରେ ଏବଂ ଚାଷୀ ଯେପରି ହଇରାଣ ହରକତ ନ ହେବେ ସେ ବିଷୟ ଉପରେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ତେବେ ଚଳିତ ରବିରେ ଜିଲ୍ଲାର ୧୪୫ଟି ଧାନ ମଣ୍ଡିରେ ରବି ଧାନ ସଂଗ୍ରହ କରାଯିବ। ଧାନ ବିକ୍ରୟ କରିବା ପାଇଁ ୪୮,୮୧୮ ଜଣ ଚାଷୀ ଅନଲାଇନ ମାଧ୍ୟମରେ ନିଜ ନାମ ପଞ୍ଜୀକରଣ କରିଛନ୍ତି । ୬୪ଟି ପେକ୍ସ ଏବଂ ୨୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ଧାନ ସଂଗ୍ରହ କରିବେ। ଜିଲ୍ଲାର ୮୮ ଜଣ ମିଲର୍ସ ଟ୍ୟାଗ ହୋଇଥିବା ନେଇ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସୂଚନା ଦେଇଛନ୍ତି। ଚଳିତ ରବିରେ ଏମଏସପି ସାଧାରଣ ଏଫଏକ୍ୟୁ ଧାନ କ୍ଵିଣ୍ଟାଲ ପିଛା ୨,୩୦୦ଟଙ୍କା ଏବଂ ଗ୍ରେଡ ଏ ଏଫଏକ୍ୟୁ ଧାନ କ୍ଵିଣ୍ଟାଲ ପିଛା ୨,୩୨୦ ଟଙ୍କା ସହିତ ରାଜ୍ୟସରକାରଙ୍କ ବୋନସ ୮୦୦ ଟଙ୍କା । ତେବେ ସର୍ବମୋଟ କ୍ଵିଣ୍ଟାଲ ପିଛା ଚାଷୀ ୩,୧୦୦ ରୁ ୩,୧୨୦ ଟଙ୍କା ଚାଷୀ ପାଇବେ ବୋଲି ସୂଚନା ଦିଆଯାଇଛି । ସେହିପରି ୮୮ ଟି ମିଲର୍ସଙ୍କ ମଧ୍ୟରୁ ଉଷୁନା ଚାଉଳ ପାଇଁ ୭୦ ଥିବାବେଳେ ଅରୁଆ ଚାଉଳ ପାଇଁ ୧୮ଟି ରହିଥିବା ଜଣାଯାଇଛି । ମିଲର୍ସ ଚାଷୀଙ୍କୁ ଆବଶ୍ୟକ ଗନିବ୍ୟାଗ ଯୋଗାଇ ଦେବା ପାଇଁ ଗୁରୁତ୍ଵ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ଚାଷୀଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ମଣ୍ଡିରେ ଆବଶ୍ୟକ ପାନୀୟ ଜଳ, ଓଆରଏସ. ପ୍ୟାକେଟ, ଜରୁରୀକାଳୀନ ସେବା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନକୁ ଜିଲ୍ଲାପାଳ ନିର୍ଦେଶ ଦିଆଯାଇଛି। ଚାଷୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଠିକ ସମୟରେ ମଣ୍ଡିରୁ ଚାଷୀଙ୍କ ଧାନ ଉଠାଣ କରିବା ପାଇଁ ସମସ୍ତ ମିଲର୍ସ ଅଧିକ ଯତ୍ନବାନ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି.