କଳା ଓ ସାହିତ୍ୟ ଜଗତର ଅମ୍ଳାନ ବ୍ୟକ୍ତିତ୍ୱ : ଅଭିନେତା ପରିକ୍ଷିତ
ହଳଧର ଧୀର
ଯେ ଜୀବନ ଧାଇଁ ଧାଇଁ ଲୀନ ହୁଏ ଅଗଣିତ ମାନବ ଜୀବନ ମହା ଶ୍ରୋତେ, ମରଣ ବିଜୟୀ ସେତ ଏମର ସଂସାର କୋଳେ ଅମର ସେ ଇତିହାସ ଗାତ୍ରେ । ଗୋଟିଏ ଜୀବନ ଓହ୍ଲାଇ ଆସେ ଏ ବସୁଧାକୁ, ସମୟର କୋଷାଘାତରେ ପୁଣି ଦିନେ ଶୂନ୍ୟ ହୋଇଯାଏ, ସେହି ମହାସତ୍ୟର ମହାକାଳ ଦେଇରେ ପାଣି ଫଠୋକା ପରି ମହାକାଳର ସ୍ରୋତରେ । ଏମିତି ବି ଜୀବନ ବଂଚିରହେ ଯାହା ଉଭେଇ ଯାଏ ନାହିଁ ମଣିଷର ସ୍ମୃତି ପଟରୁ, ଯାହା ସରିଯାଏ ନାହିଁ ଆଖି ପଲୋକରେ ଜୀବନର ସ୍ୱପ୍ନ ସାକାର ହୁଏ କର୍ମ ଓ ନିଷ୍ଠାରେ । ଉତ୍ସର୍ଗୀକୃତ ଜୀବନ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ଅମର କରେ । ମମତାର ସେତୁ ବନ୍ଧରେ ସମସ୍ତଙ୍କୁ ଚଲାଇ ପାରୁଥିବା ସମସ୍ତଙ୍କ ମୁହଁରେ ହସ ଫୁଟାଇ ପାରୁଥିବା ନିଷ୍ଠା, ସଂକଳ୍ପ, ସାଧନା, ଦାମ୍ଭିକତା ସମସ୍ତଙ୍କୁ ସ୍ନେହର ଡୋରିରେ ବାନ୍ଧି ପାରୁଥିବା ସେହି ଅମୃତମୟ ପୁରୁଷ ଯାହାଙ୍କ ଆଖିରେ ଥିଲା ଅନେକ ସ୍ୱପ୍ନ । ନିଜ ପାଇଁ ନୁହେଁ ଏକ ସୁନ୍ଦର ସମାଜ ପାଇଁ । ଶ୍ରଦ୍ଧା ଓ ସମ୍ମାନର ବ୍ୟକ୍ତିଟିଏ । ଯାହାଙ୍କର ବଚନରେ ନମ୍ରତା, ଅହଂକାରହୀନତା, ଦାମ୍ଭିକତା, ଆଖିରେ ଥିଲା ତାଙ୍କର ଅନେକ ସ୍ୱପ୍ନ, ସ୍ୱପ୍ନ ନିଜ ପାଇଁ ନୁହେଁ । ପରକୁ ଆପଣାର କରୁଥିଲେ ମମତାର ଫୁଲ ହୋଇ ସାରସ୍ୱତ ବଗିଚାରେ ଫୁଟୁଥିଲେ, ସତ୍ୟ ଓ ଶାନ୍ତିର କୁହୁକ ମନ୍ତ୍ର ଫୁଙ୍କୁଥିଲେ । ଗୁଣ୍ଡୁଚିର ଧର୍ମ ନେଇ ମମତାର ସେତୁ ବାନ୍ଧୁଥିଲେ । ୧୯୪୨ ମସିହା ଅକ୍ଟୋବର ମାସରେ ଭଦ୍ରକ ଜିଲ୍ଲା ଧାମନଗର ଅଂଚଳର ମହୁରା ଗ୍ରାମରେ ପିତା ରଘୁନାଥ ଜେନା ଓ ମାତା ମଲ୍ଲୀଜେନାଙ୍କ ସୁଯୋଗ୍ୟ ସନ୍ତାନ ଓଡ଼ିଶାର ଜଣାଶୁଣା ସାରସ୍ୱତ ବ୍ୟକ୍ତିତ୍ୱ ବାଣୀଚିତ୍ରର ପ୍ରତିଷ୍ଠାତା ସମ୍ପାଦକ ବାଣୀଚିତ୍ର ଚଳଚିତ୍ର ପୁରସ୍କାରର ପ୍ରତିଷ୍ଠାତା, ସାହିତ୍ୟିକ, ସିନେ ସାମ୍ବାଦିକ, ଚଳଚିତ୍ର ଅଭିନେତା ପରିକ୍ଷୀତ ଜେନା । କଳା ସାହିତ୍ୟ ସଂସ୍କୃତିକୁ ତାଙ୍କର ବହୁ ଅବଦାନ ରହିଛି । ଜୀବନ ସଂଗ୍ରାମରେ ସେ ପଛକୁ କେବେ ଫେରି ଚାହିଁ ନାହାନ୍ତି ସଫଳତାର ପାହାଛ ସେ ଅତିକ୍ରମିଛନ୍ତି । ୫୦ ବର୍ଷ ଧରି ୧୯୬୯ ମସିହାରୁ ଚଳଚିତ୍ର ପତ୍ରିକା ବାଣୀଚିତ୍ର ପ୍ରକଶ କରି ଆସୁଥିଲେ । ବାଣୀଚିତ୍ର ଚଳଚିତ୍ର ପୁରସ୍କାର ଉତ୍ସବ ଆୟୋଜନ କରି ଓଡ଼ିଆ ଚଳଚିତ୍ର ଜଗତର ପ୍ରବିଣ ଓ ନବାଗତ କଳାକାର ମାନଙ୍କୁ ପ୍ରୋତ୍ସାହିତ କରି ଆସୁଥିଲେ । ବାଣୀଚିତ୍ର ସିନେ ପୁରସ୍କାର ପାଇ କଳାକାର ଓ ଟେକ୍ନିସିଆନ୍ ପ୍ରତିଭା ମାନେ ନିଜକୁ ଯେତିକି ଗୌରବାନ୍ୱିତ ମନେକରୁଥିଲେ, ସରକାରଙ୍କ ଦ୍ୱାରା ପ୍ରଦତ୍ତ ଚଳଚିତ୍ର ପୁରସ୍କାର ଲାଭ କରି ମଧ୍ୟ ସେତିକି ଉତ୍ସାହିତ ନଥିଲେ । ବାଣୀଚିତ୍ର ପୁରସ୍କାର ସେମାନଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରୁଥିଲା । ରାଜ୍ୟ ସଚିବାଳୟରୁ ସେ ପ୍ରଥମ ଶ୍ରେଣୀ (କନିଷ୍ଠବର୍ଗ ଅଫିସର ଭାବେ) ଅବସର ଗ୍ରହଣ କରିଥିଲେ ବି କେବେବି ତାଙ୍କ ମନରେ ନୈରାଶ୍ୟ ଭାବ ସୃଷ୍ଟି ହୋଇ ପାରିନଥିଲା । ସମ୍ପାଦନ ଓ ପ୍ରକାଶନ କ୍ଷେତ୍ରରେ ସେ ଜଣେ ଅଗ୍ରଣୀ ବ୍ୟକ୍ତି ଥିଲେ । ଜଣେ ସିନେ ସାମ୍ବାଦିକ ଭାବେ ଚଳଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ, ବିତରକ ଓ କଳାକାର ମାନଙ୍କ ମହଲରେ ଜଣେ ଭଦ୍ର, ନମ୍ର ଓ ମର୍ଯ୍ୟାଦା ସମ୍ପର୍ଣ୍ଣ ବ୍ୟକ୍ତିତ୍ୱ ଭାବରେ ବେଶ୍ ଜଣାଶୁଣା ଥିଲେ । ଚଳଚିତ୍ର ଦୁନିଆରେ ସେ ଜଣେ ଦକ୍ଷ ସମାଲୋଚକ ବା କ୍ରିଟିକ୍ ଭାବେ ବେଶ୍ ନାଁ କରିଥିଲେ । ତାଙ୍କ ଦ୍ୱାରା ସମ୍ପାଦିତ ଚଳଚିତ୍ର ପତ୍ରିକା ବାଣୀଚିତ୍ର ମାଧ୍ୟମରେ ସିନେ ଜଗତର ସମସ୍ତ ଭଲମନ୍ଦର ରୋଚକ ଲେଖାମାନ ପ୍ରକାଶ କରିଆସୁଥିଲେ । ଖାଲି ସେତିକି ନୁହେଁ ଶାରସ୍ୱତ ଜଗତର ଜଣେ ଜଣାଶୁଣା ଗାଳ୍ପିକ, ନାଟ୍ୟକାର, କଳା ସଂସ୍କୃତିର ଗବେଷକ, ବହୁ ସିନେ ମେଗାଜିନ୍ର ଲେଖକ, ଅନେକ ଦୈନିକ ସମ୍ବାଦପତ୍ର କଳା ସାହିତ୍ୟ ଚଳଚିତ୍ର ପୃଷ୍ଠାର ଲେଖକ ଓ ସଂଯୋଜକ, ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ନାଟ୍ୟକାର ଭାବେ ନିଜ ଶାରସ୍ୱତ ପ୍ରତିଭାର ପରିଚୟ ଦେଇ ଏ କ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲେ । ଖାଲି ସେତିକି ନୁହେଁ, ଆମ “ଓଡ଼ିଆ ଚଳଚିତ୍ର ଇତିହାସ” ପୁସ୍ତକ ରଚନା କରି ପାଠକର ମନ ଓ ହୃଦୟକୁ ବେଶ୍ ଛୁଇଁ ପାରିଥିଲେ । କିଏ କାହାର, ବନ୍ଧନ, ସ୍ତ୍ରୀ, ବାଜି, ପ୍ରଭୃତି ଚଳଚିତ୍ରର ଅଭିନେତା ଭାବେ ତାଙ୍କର ଜୀବନ୍ତ ଅଭିନୟ ଦର୍ଶକର ହୃଦୟକୁ ଛୁଇଁ ପାରିଥିଲା । ସେ ଓଡ଼ିଶାର ବହୁ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ରହି ସେମାନଙ୍କୁ ଉତ୍ସାହିତ କରୁଥିଲେ । ସେ ମୁଖ୍ୟ ସମ୍ପାଦକ ବାଣୀଚିତ୍ର, ଉପଦେଷ୍ଟା ସିନେ କ୍ରୀଟିକ୍ ଆସୋସିଏସନ୍, ଉପସଭାପତି ଓଡ଼ିଶା ସିନେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍, ସଭାପତି ସିନେ ପ୍ରତିକା ସମ୍ପାଦକ ଓ ସାମ୍ବାଦିକ ଆସୋସିଏସନ୍, ଉପଦେଷ୍ଟା ରଙ୍ଗମ୍ ଏବଂ ଓମ୍ ଶ୍ରୀ ସଂସ୍ଥା ଓ ଚଳାପଥ ପରି ବହୁ ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନର ସଦସ୍ୟ, କର୍ମକର୍ତ୍ତା, କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ କାର୍ଯ୍ୟକରି ଆସୁଥିଲେ । ବହୁ ନାଟକ ମହୋତ୍ସବର ଜୁରୀ ମେମ୍ବର ଓ ବିଚାରକ ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍ ଖ୍ୟାତି ଅର୍ଜନ କରିବା ସହିତ ବହୁ ନାଟ୍ୟ ସଂସ୍ଥାର ଉପଦେଷ୍ଟା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ପତିତପାବନ ଯାତ୍ରା ଉତ୍ସବର ଜୁରୀ ମେମ୍ବର ଭାବେ ମଧ୍ୟ ବେଶ୍ ସୂନାମ ଅର୍ଜନ କରିଥିଲେ । ଓଟିଭି ତରଙ୍ଗ ଆୱାର୍ଡର ଜୁରୀ ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଆଗାମୀ ଦୁନିଆ ସମ୍ବାଦପତ୍ରର ଅବୈତନିକ ସମ୍ପାଦକ ଭାବେ ଦାୟୀତ୍ୱ ନିର୍ବାହ କରିଆସୁଥିଲେ । ତାଙ୍କ ସାଧନାର ସିଦ୍ଧି ପାଇଁ ତାଙ୍କୁ ଚଲାପଥ ସମ୍ମାନ, ଓଡ଼ିଶା ସିନେ କ୍ରୀଟିକ୍ ସମ୍ମାନ, ଚଳଚିତ୍ର ଜଗତ ମିଲେନିୟମ ଆୱାର୍ଡ, ପଞ୍ଚମ୍ ବେଦ ସମ୍ମାନ, ଆଖି ସମ୍ମାନ, ବୈଶବିଳାଶ ସମ୍ମାନ, ଚିତ୍ରପୁରୀ ସମ୍ମାନ, ରଙ୍ଗମ୍ ସମ୍ମାନ, ନ୍ୟାସନାଲ୍ ଜର୍ଣ୍ଣାଲିଷ୍ଟ ରାଜ୍ୟସ୍ତରୀୟ ସମ୍ମାନ, ସଂକଳ୍ପ ସମ୍ମାନ, କଳାନିଧି-ବାଞ୍ଛାନିଧି ସମ୍ମାନ, ମନୋସା ସମ୍ମାନ ପ୍ରଭୃତି ଅନେକ ସମ୍ମାନ ଓ ପୁରସ୍କାର ମିଳିଛି । ନିଜର ଜୀବନ ବ୍ୟାପି ସାଧନା ପାଇଁ ତାଙ୍କୁ ମିଳିଛି ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ । ଏହି ଆୱାର୍ଡ ଗୁଡ଼ିକ ମଧ୍ୟରେ ଓଡ଼ିଶା ସିନେମା ପ୍ରଜୋଯକ ଆସୋସିଏସନ୍ ଆୱାର୍ଡ, ଓଡିଶା ଫିଲ୍ମଫେୟାର ଆୱାର୍ଡ, ଚଳଚିତ୍ର ଜଗତ ଭିମ୍ସିଂ ଆୱାର୍ଡ, ମିଳନି ଆୱାର୍ଡ, ସଚିବାଳୟ ସାଂସ୍କୃତିକ ପରିଷଦ ସମ୍ମାନ, ସୋ ଟାଇମ୍ ଆୱାର୍ଡ ପୁରୀ ପ୍ରମୁଖ ଅନେକ ଆୱାର୍ଡ ପାଇଛନ୍ତି । ତାଙ୍କ ଜୀବନ ଚକ୍ରର ଅନ୍ତିମ ସମୟର କିଛି ଦିନ ପୂର୍ବରୁ ତାଙ୍କୁ ମିଳିଥିଲା ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ଆୱାର୍ଡ । ଏହା ଥିଲା ତାଙ୍କ ଜୀବନର ଅନ୍ତିମ ଆୱାର୍ଡ ।
ମଣିଷର ତ୍ୟାଗ ଓ ନିଷ୍ଠା ମଣିଷକୁ କାଳଜୟୀ କରେ ଏବଂ ପ୍ରତିଭାବାନ ବ୍ୟକ୍ତିର ପ୍ରତିଭା ଚଉଦିଗ ମହକେ । ତାଙ୍କର ଏହି ଭଳି ଏକ ଜୀବନ ଥିଲା ଯେମିତି ଅମୃତ ପାନ କରି ମଣିଷ ଅମୃତମୟ ହୋଇଗଲେ ତାର ଚିନ୍ତା ଓ ଚେତନାକୁ ଯେପରି ବିଷାକ୍ତ ଭାବ ଓ ଭାବନା କେବେ ବି ସ୍ପର୍ଷ କରି ପାରେନା । ଠିକ୍ ସେହିପରି ଥିଲା ତାଙ୍କର ଜୀବନ । ମମତାର ସେତୁରେ ସେ ସମସ୍ତଙ୍କୁ ଆପଣାର କରିପାରୁଥିଲେ । ଏହାହିଁ ଥିଲା ତାଙ୍କର ମାନବିକତାର ଧର୍ମ । ସେ ସମସ୍ତଙ୍କ ପାଇଁ ଥିଲେ ପ୍ରେରଣାର ଉତ୍ସ । ତାଙ୍କର ନିତି ଓ ଆଦର୍ଶ ଯୁବପିଢିକୁ ନିଶ୍ଚୟ ଅନୁପ୍ରାଣିତ କରିବ । ତାଙ୍କର ଅବର୍ତ୍ତମାନରେ ତାଙ୍କୁ ନମନ କରିବା ଆମ୍ଭମାନଙ୍କର ପରମ କର୍ତ୍ତବ୍ୟ ।
ବରିଷ୍ଠ ସାମ୍ବାଦିକ
ଗକ୍ଟଭସକ୍ଷର :୯୪୩୮୬୩୯୪୫୩
haladhar.dhir@gmail.com