କଳା ପତାକା ପ୍ରଦର୍ଶନ କରି ‘ଆମ ଅଧିକାର’ କର୍ମକର୍ତ୍ତା ଗିରଫ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଜନୈକ ବିବାଦୀୟ ବ୍ୟକ୍ତିଙ୍କୁ ଶିକ୍ଷାବିତ୍ ଭାବେ ଚୟନ କରି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମାବର୍ତ୍ତନ ଉତ୍ସବରେ ଡ଼କ୍ଟରେଟ ସମ୍ମାନ ପ୍ରଦାନ କରିବା ନିଷ୍ପତ୍ତି ବିରୋଧରେ କଳା ପତାକା ପ୍ରଦର୍ଶନ କରି ଆଜି ‘ଆମ ଅଧିକାର’ର କର୍ମକର୍ତ୍ତା ଗିରଫ ହୋଇଛନ୍ତି । ଏପରି ନିଷ୍ପତ୍ତି ବିରୋଧରେ ଆମ ଅଧିକାର ପକ୍ଷରୁ ପ୍ରଥମେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ଏବଂ ପରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ତେବେ ଆଜି ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ମୁଖ୍ୟ ଅତିଥି ଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲେ ମଧ୍ୟ ଆମ ଅଧିକାର ପକ୍ଷରୁ କଳା ପତାକା ପ୍ରଦର୍ଶନର ଉଦ୍ୟମ କରାଯାଇଥିଲା । ପ୍ରଥମେ ସଂଗଠନର ରାଜ୍ୟ ଆବାହକ ଅମିୟ ପାଣ୍ଡବ ଏବଂ ମହାସଚିବ ଗଣେଶ ଦାଶଙ୍କୁ ପୋଲିସ୍ ଆଚାର୍ଯ୍ୟ ବିହାର ଛକ ପାଖରୁ ଗିରଫ କରି କ୍ୟାପିଟାଲ ଥାନାକୁ ନେଇଯାଇଥିଲେ ମଧ୍ୟ ଏହାର ଏକଘଣ୍ଟା ପରେ ଏଜି ଛକ ନିକଟରେ ସଚିବ ପାର୍ଥସାରଥୀ ଜେନା ଓ ସଞ୍ଜୟ କୁମାର ପରିଡ଼ା ସଚିବାଳୟ ସଂଲଗ୍ନ ମୁଖ୍ୟ ରାସ୍ତା ଉପରକୁ ଚାଲିଆସି କଳାପତାକା ପ୍ରଦର୍ଶନ କରିବା ସହ ବିଭିନ୍ନ ସ୍ଲୋଗାନ ଦେଉଥିବା ବେଳେ ପୋଲିସ୍ ସେମାନଙ୍କୁ ମଧ୍ୟ ଗିରଫ କରି କ୍ୟାପିଟାଲ ଥାନାକୁ ଆଣିଥିଲା । ପୋଲିସ୍‌ର ଏପରି ଦମନମୂଳକ ଓ ଅନ୍ୟାୟପୂର୍ଣ୍ଣ ଗିରଫଦାରୀ ଗଣତାନ୍ତ୍ରିକ ଅଧିକାର ଉପରେ ଜଘନ୍ୟ ଆକ୍ରମଣ ବୋଲି ଆମ ଅଧିକାର ପକ୍ଷରୁ ପ୍ରକାଶ କରାଯିବା ସହ ନୀତି ନିୟମକୁ ଭ୍ରୁକ୍ଷେପ ନକରି ଯେଭଳି ଢଙ୍ଗରେ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ସମ୍ମାନିତ କରାଗଲା ତାହା ଅକ୍ଷମଣୀୟ ବୋଲି କୁହାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର ଗୌରବମୟ ଐତିହ୍ୟ ଉପରେ ଏହା ଏକ ସାଘାଂତିକ ଷଡ଼ଯନ୍ତ୍ର ବୋଲି କୁହାଯିବା ସହ ଏପରି ନିଷ୍ପତ୍ତି ବିରୋଧରେ ଆମ ଅଧିକାରର ଲଢେଇ ଜାରି ରହିବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ