କଳିଙ୍ଗା ଘାଟିରେ ପିଟିହେଲା ମାଲବାହୀ ଟ୍ରକ୍ : ଡ୍ରାଇଭର ଗୁରୁତର
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କଳିଙ୍ଗା ଘାଟିରେ ପୁଣିଥରେ ପିଟିହେଲା ଆଉ ଏକ ମାଲବାହୀ ଟ୍ରକ୍ । ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଘାଟିରୁ ତଳକୁ ଖସୁଥିବାବେଳେ ଅନ୍ଧାର କୋଟ ତଳକୁ ଏକ ବାଇକ୍ ଆରୋହୀକୁ ରକ୍ଷା କରିବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତାକଡ ପଥର କାନ୍ଥ ଦେହରେ ପିଟିହୋଇଯାଇଥିଲା । ଫଳରେ ଟ୍ରକଟି ରାସ୍ତା ଉପରେ ହିଁ ଓଲଟି ପଡିବାସହ ଡ୍ରାଇଭର ଗୁରୁତର ଆହାତ ହୋଇଛନ୍ତି । ମିଳିଥିବା ସୁଚନା ପ୍ରକାରେ ଛତିଶଗଡର ରାୟପୁରରୁ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ନମ୍ବର- (ସିଜି-୦୪-ଏମବି- ୪୨୭୭) ଭଞ୍ଜନଗର ଆସୁଥିବାବେଳେ କଳିଙ୍ଗା ଘାଟିର ଅନ୍ଧାରିକୋଟ ତଳକୁ ଏକ ବୁଲାଣିଆ ରାସ୍ତାରେ ଏକ ବାଇକ୍ ଚାଳକକୁ ବଞ୍ଚାଇବାକୁ ଯାଇ ନିଜେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକଟି ଜବରଦସ୍ତ ବ୍ରେକ୍ କଷିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆଉ ଏଥିରେ ଥିବା ଏକମାତ୍ର ଡ୍ରାଇଭର ମଧ୍ୟପ୍ରଦେଶ ଟିକର୍ ଅଂଚଳର ସୁଚାନ୍ତ ଗୁରୁତର ଆହାତ ହୋଇଛନ୍ତି । ସଂଧ୍ୟା ସାଢେ ୬ଟାରେ ଏହି ଦୁର୍ଘଟଣା ଘଟିଥିବାବେଳେ ଏସଂପର୍କରେ ସୁଚନା ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛି । ଗୁରୁତର ଅବସ୍ଥା ଡ୍ରାଇଭର ସୁଚାନ୍ତଙ୍କୁ ଅମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସୁଚନାଯୋଗ୍ୟଯେ ଏବେ କଳିଙ୍ଗା ଘାଟିର ଉକ୍ତ ଅଂଚଳ ଦୁର୍ଘଟଣାଜନିତ ବ୍ଲାକ୍ ସ୍ପଟ ପାଲଟିଛି । ପ୍ରତିମାସରେ ଏହି ସ୍ଥାନରେ ଦୁର୍ଘଟଣା ଘଟୁଛି । ବିଶେଷକରି ମାଲବାହୀ ଟ୍ରକ୍ ଏହି ବୁଲାଣିଆ ରାସ୍ତାରେ ଠିକ୍ ଭାବରେ ଭାରସାମ୍ୟ ରକ୍ଷା କରିନପାରି ଦୁର୍ଘଟଣାଗ୍ରସ୍ତ ହେଉଛି । କିଛି ମାସ ତଳେ ସୁରତରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ଏକ ଯାତ୍ରୀବାହୀ ବସ ଏଠାରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ଜଣ ପ୍ରବାସୀ ଓଡିଆଙ୍କ ମୃତ୍ୟୁ ଘଟିଥିଲା । ବାରମ୍ବାର ଏହି ସ୍ପଟରେ ଦୁର୍ଘଟଣା ଘଟୁଥିବାରୁ ଏହା ଏବେ ସ୍ଥାନୀୟ ପ୍ରଶାସନର ମୁଣ୍ଡବଥ୍ୟାର କାରଣ ପାଲଟିଛି ।


