କଳିଙ୍ଗା ପୂର୍ତ୍ତ ବିଭାଗ କେଳେଙ୍କାରୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଦିନ ଦିପହରେ ସରକାରୀ ସମ୍ପତ୍ତି ବେଆଇନ ବିକ୍ରି ଓ ଚାଲାଣ ଘଟଣାରେ କନ୍ଧମାଳ ଜିଲ୍ଲା କଳିଙ୍ଗା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅରୁଣ ପ୍ରସାଦ ସାହୁଙ୍କ କଳା କାର୍‌ନାମା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିଲା। ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ସମସ୍ତଙ୍କୁ ବିସ୍ମିତ କରିଛି। ଘଟଣା ଜଣାପଡ଼ିବା ପରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟରୁ ପଦସ୍ଥ ଅଧିକାରୀ ଯାଇ ତଦନ୍ତ କଲେ। ଘଟଣାର ଅନୁଧ୍ୟାନ ସାକ୍ଷ୍ୟପ୍ରମାଣ ସଂଗ୍ରହ କରି ସତ୍ୟତା ମଧ୍ୟ ପରଖିଲେ। ହେଲେ ଏତେ ସବୁ ପରେ ମଧ୍ୟ ଏତେବଡ଼ ଦୁର୍ନୀତିକୁ ସମେସ୍ତ ମିଳିମିଶି ଚାପିଦେବା ଆହୁରି ଚର୍ଚ୍ଚିତ ପ୍ରସଙ୍ଗ ହୋଇଛି। ଏଣେ କାର୍ଯ୍ୟାନୁଷ୍ଠାନ ନାଁରେ ଧର୍ମକୁ ଆଖି ଠାର ଭଳି ଘଟଣାର ତିନିମାସ ପରେ ସହକାରୀ ଯନ୍ତ୍ରୀ ଶ୍ରୀ ସାହୁଙ୍କୁ ମାଲକାନଗିରି ବଦଳି ଆଦେଶ ହୋଇଛି।ସୂଚନା ପ୍ରକାରେ କଳିଙ୍ଗା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ରଦି ଲୁହା ଓ ଟିଣ ଗୁଡିକୁ ବିକ୍ରି କରି ସହକାରୀ ଯନ୍ତ୍ରୀ ଅରୁଣ ପ୍ରସାଦ ସାହୁ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ସମସ୍ତ ପ୍ରମାଣ ଥିବା ଏବଂ ଘଟଣା ପରେ ସ୍ଥାନୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ କୈଳାସ ଚନ୍ଦ୍ର ବେହେରା ତଦନ୍ତ କରି ସହକାରୀ ଯନ୍ତ୍ରୀ ଶ୍ରୀ ସାହୁଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ଏପରିକି ଘଟଣା ସମ୍ପର୍କରେ ସମସ୍ତ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଇବା ପରେ ଫୁଲବାଣୀ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଆସି ତଦନ୍ତ କରି ରିପୋର୍ଟ ପ୍ରଦାନ କଲେ। ପରେ ବ୍ରହ୍ମପୁର ପୂର୍ତ୍ତ ଅଧୀକ୍ଷଣ ଯନ୍ତ୍ରୀ ଆସି ଷ୍ଟୋର୍‌ ରୁମ୍‌ ଯାଞ୍ଚ୍‌ କରିବା ସହ କେତେ ପରିମାଣର ଲୁହା ବିକ୍ରି ହୋଇଛି ତା’ର ହିସାବ କରି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ କରି ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି। ଇତି ମଧ୍ୟରେ ଘଟଣାକୁ ତିନି ମାସ ବିତିଗଲା। ଗତକାଲି ବିଭାଗୀୟ ବଦଳି ଆଦେଶ ଆସିଲା, ଯେଉଁଥିରେ ସହକାରୀ ଯନ୍ତ୍ରୀଙ୍କୁ ମାଲକାନଗିରି ବଦଳି ହୋଇଥିବା ଦର୍ଶାଯାଇଛି। ବଦଳି ଏକ ସରକାରୀ ପ୍ରକ୍ରିୟା। ତେଣୁ ଏହି ପ୍ରକ୍ରିୟାରେ ବିଭାଗ ପକ୍ଷରୁ ଏହି ବଦଳି ଆଦେଶ ହୋଇଥିବା ଜଣାପଡ଼ିଛି। କାରଣ ଯନ୍ତ୍ରୀ ଜଣକ ଏହି ସ୍ଥାନରେ ପ୍ରାୟ ୬ବର୍ଷ ହେଲା ରହି ଆସିଛନ୍ତି। ପ୍ରଶ୍ନ ଉଠୁଛି ସରକାରୀ ସମ୍ପତ୍ତିକୁ ଦିନ ଦ୍ୱିପହରେ ବିକ୍ରି କରି ସରକାରୀ ଅର୍ଥ ଆତ୍ମସାତ କଲେ। ହେଲେ ଏହାର ପ୍ରମାଣ ଥିବା ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରିଛି, କାହା ଛତ୍ରଛାୟା ତଳେ ଏହି ସହକାରୀ ଯନ୍ତ୍ରୀ ଅଛନ୍ତି। ଜଣେ ରାଜନେତାଙ୍କ ଆଶୀର୍ବାଦ ତାଙ୍କ ଉପରେ ଥିବା ନେଇ ଏବେ ଚର୍ଚ୍ଚା ହେଉଛି।ସୂଚନାନୁସାରେ କନ୍ଧମାଳ ଜିଲ୍ଲାର ଏକ ପ୍ରମୁଖ ସ୍ଥାନ ହେଉଛି କଳିଙ୍ଗା। କଳିଙ୍ଗାର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଯେଉଁ ରାଜନେତା ଏବଂ ଅଫିସର ଆସିଲେ ରହିବାକୁ ପସନ୍ଦ କରନ୍ତି। ଯେଉଁ ରାଜନେତା ଆସିଲେ ସହକାରୀ ଯନ୍ତ୍ରୀ ତାଙ୍କୁ ଆପ୍ୟାୟିତ କରିବା ସହ ତାଙ୍କ ଛତ୍ରଛାୟା ତଳେ ରହି ନିଜର ଦୁର୍ନୀତିର କାୟା ବିସ୍ତାର କରି ଚାଲିଥିଲେ। ଏ ସବୁ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନଙ୍କ ନଜରକୁ ଆସିବା ପରେ ସେ ବିଭାଗୀୟ ମନ୍ତ୍ରୀ ଓ ଉଚ୍ଚ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇବା ସହ ତୁରନ୍ତ ବଦଳି କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ବିଧାୟକ ଚିଠି ଲେଖିବା ପରେ ମଧ୍ୟ ସହକାରୀ ଯନ୍ତ୍ରୀ ଜଣକ ସୁଧୁରିବା ବଦଳରେ ନିଜ କଳା କାର୍‌ନାମା ଜାରି ରଖିଥିଲେ। ଅଗଷ୍ଟ ୯ଏବଂ ୧୦ ତାରିଖରେ ଟ୍ରକ ନଂ(ଓଡ଼ି୦୨ବିଏସ୍‌୦୬୧୧)ରେ କଳିଙ୍ଗା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ରହିଥିବା ରଦି ଲୁହା, ଟିଣ,ରୋଲର ଚକା, ଲୁହା ପ୍ଲେଟ୍‌ ଏଭଳି ଲକ୍ଷାଧିକ ଟଙ୍କାର ଜିନିଷ ବିକ୍ରି କରିଦେଲେ। ୧୨ ତାରିଖ ଦିନ ଏହାର ଫଟୋ ସହ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ନିର୍ବାହୀ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ ଆସି ତଦନ୍ତ କରି ଫେରିଲେ। ହେଲେ ଯନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ ବଦଳରେ କେବଳ ଚିରାଚରିତ ଢଙ୍ଗରେ ବଦଳି ନିର୍ଦେଶ ଆସିଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ