କଳ୍ପନା ଛକରେ ବେଆଇନ ଉଚ୍ଛେଦ ଆଜି ଆନ୍ଦୋଳନ ହେବ
ଭୁବନେଶ୍ୱର: କଳ୍ପନା ଛକ ମ୍ୟୁଜିୟମ ସମ୍ମୁଖ ବ୍ୟବସାୟୀମାନଙ୍କୁ ୨ମାସ ମଧ୍ୟରେ ଥଇଥାନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲା । ସେହିପରି ନଭାଙ୍ଗିବାକୁ ହାଇକୋର୍ଟରେ ସ୍ଥଗିତାଦେଶ ମଧ୍ୟ ରହିଛି । ଏବେ ଆଦର୍ଶ ଆଚରଣ ବିଦ୍ଧି ଲାଗୁ ହୋଇଥିବା ବେଳେ ବିଏମ୍ସି ଓ ବିଡିଏ ପକ୍ଷରୁ କଳ୍ପନା ଛକରେ ବ୍ୟବସାୟ ପ୍ରତିଷ୍ଠାନକୁ ଉଚ୍ଛେଦ କରିବାକୁ ଘୋଷଣା କରିଛି । ତେବେ ଏନେଇ ଆସନ୍ତା ସୋମବାର ପୂର୍ବାହ୍ନରେ ଆନ୍ଦୋଳନ କରାଯିବ ବୋଲି ନିଷ୍ପତି ହୋଇଛି । ଏଠାରେ ଏକ ବିଲଡ୍ରସଂସ୍ଥା ନୟନ ଯୋରି କିସମର ୧ଏକର ୧୯୦ଡିସିମିଲି ସରକାରୀ ଜମି ଜବର ଦଖଲ କରିବା ପାଇଁ ଉଦ୍ୟମରେ ବିଏମ୍ସି ସହଯୋଗ କରୁଛି । ସେଥିରୁ ଅଧା ଜମି ଜବର ଦଖଲ ହୋଇଥିଲେ ମଧ୍ୟ ବିଏମ୍ସି କିଛି ପଦକ୍ଷେପ ନେଉ ନାହିଁ । ଅପର ପକ୍ଷରେ ଉକ୍ତ ବିଲଡ୍ର ସଂସ୍ଥାକୁ ସହଯୋଗ କରିବା ପାଇଁ ଓ ଜବର ଦଖଲ କରିବା ସୁଯୋଗ ଦେବା ପାଇଁ ବିଏମ୍ସି ଓ ବିଡିଏ ପକ୍ଷରୁ ଏପରି ବେଆଇନ ଉଚ୍ଛେଦ କରିବ ବୋଲି ଘୋଷଣା କରିଛି । ମୋଟା ଅଙ୍କର କାରବାର ହୋଇ ନିରିହ ବ୍ୟବସାୟୀଙ୍କୁ ଥଇଥାନ ନକରି ବିଏମ୍ସି ବଳ ପୂର୍ବକ ପୂର୍ବରୁ ବହୁବାର ଭାଙ୍ଗିବା ଉଦ୍ୟମ ଫେଲ ହୋଇଥିବା ବେଳେ ପୁଣି ଏପରି ଭାଙ୍ଗିବା ପାଇଁ ଉଦ୍ୟମ କରୁଛି । ଏହି ଉଚ୍ଛେଦ ଘୋଷଣାକୁ ସ୍ଥାନୀୟ ବ୍ୟବସାୟୀମାନଙ୍କ ପକ୍ଷରୁ ଘୋର ବିରୋଧ କରାଯାଇଛି । ବିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଦୋକାନୀ ମାନଙ୍କୁ ବିଏମ୍୍ସି ପକ୍ଷରୁ କିଓସ୍କୋ କରାଯାଇ ଦିଆଯିବ ବୋଲି ଲିଖିତ ପ୍ରତିଶୃତି ଦେଇଥିଲା । ହେଲେ ଜମି ସମ୍ପୂର୍ଣ୍ଣ ଯୋଗାଇ ବ୍ୟବସ୍ଥା କରାଗଲା ନାହିଁ । ତେବେ ଥଇଥାନ ନହୋଇ ବ୍ୟବସାୟୀ ମାନଙ୍କୁ ଉଚ୍ଛେଦ କଲେ ଏକ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବ । ସେଥିପାଇଁ ପ୍ର୍ରଶାସନ ଦାୟି ରହିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।


