କଶ୍ମୀରରେ ଆତଙ୍କବାଦୀଙ୍କ ଉପରେ ସେନାର ଏନକାଉଣ୍ଟର ଜାରି
ଶ୍ରୀନଗର: କଶ୍ମୀରର ବଡ଼ଗାମ ଜିଲ୍ଲାରେ ବୁଧବାର ଭୋର ସକାଳୁ ଆତଙ୍କବାଦୀଙ୍କ ଉପରକୁ ଭାରତୀୟ ସେନା ଏନକାଉଣ୍ଟର କରିଛି । ଗୋପାଳପୋରା ଅଂଚଳରେ ଏହି ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି । ରିପୋର୍ଟ ଲେଖାଯିବା ବେଳକୁ କ୍ଷୟକ୍ଷତି ସଂପର୍କରେ ଅଧିକ ଜଣାପଡ଼ି ନାହିଁ । ସେନାର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଯବାନମାନେ ସଂପୃକ୍ତ ଅଂଚଳକୁ ଘେରା ବନ୍ଦୀ କରି ରଖିଛନ୍ତି ।
ସୂଚନାଯୋଗ୍ୟ ମଙ୍ଗଳବାର ଦକ୍ଷିଣ ଜମ୍ମୁ କଶ୍ମୀରର ପୁଲବାମାସ୍ଥିତ ରତ୍ନୀପୁରାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସକାଳୁ ମୁହାଁମୁହିଁ ହୋଇଛି । ଏହି ଘଟଣାରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଥିଲେ । ପୂର୍ବରୁ ଜମ୍ମୁ କଶ୍ମୀରର ଉରିରେ ରବିବାର ରାତି ସେନା ଶିବିର ନିକଟରେ ସଦିଗ୍ଧ ଗତିବିଧି ଦେଖାଯାଇଥିଲା । ସତର୍କ ସୁରକ୍ଷାବଳ ତୁରନ୍ତ ପୂରା ଅଂଚଳକୁ ସର୍ଚ୍ଚ ଅପରେଶନ ଚଳାଇଥିଲେ । ମାମଲାରେ ୨ ଜଣ ଲୋକଙ୍କୁ ପଚରାଉଚରା କରାଯାଇଥିଲା ।