କଶ୍ମୀରରେ ଆତଙ୍କୀ ଗୁଳିରେ ୩ ସିଆର୍‌ପିଏଫ୍‌ ଯବାନ ଶହୀଦ, ୩ ଆହତ

ଶ୍ରୀନଗର: ଉତ୍ତର କଶ୍ମୀରର ସୋପୋର୍ ସହରରେ ଶନିବାର ଆତଙ୍କବାଦୀଙ୍କ ଗୁଳିରେ ୩ ଜଣ ଯବାନ ଶହୀଦ ହୋଇଛନ୍ତି। ଏହାଛଡ଼ା ୩ ଜଣ ଯବାନ ଆହତ ମଧ୍ୟ ହୋଇଛନ୍ତି। ସିଆର୍‌ପିଏଫ୍‌ ୧୭୯ତମ ବାଟାଲିଅନ୍ ଓ ଜମ୍ମୁ-କଶ୍ମୀର ପୋଲିସ୍‌ର ସଦସ୍ୟମାନେ ମିଳିତ ଭାବେ ଅହଦ୍ ବାବ୍ କ୍ରସିଂ ନିକଟସ୍ଥ ନୂର୍ବାଗସ୍ଥିତ ଚେକ୍‌ପୋଷ୍ଟ୍‌ରେ ଡ୍ୟୁଟି କରୁଥିବା ବେଳେ ଏହି ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଗୁଳିରେ ସିଆର୍‌ପିଏଫ୍‌ର ତିନି ଯବାନ ଶହୀଦ ହୋଇଛନ୍ତି। ତେବେ ସପ୍ତାହକ ଭିତରେ କଶ୍ମୀର ଉପତ୍ୟକାରେ ଏହା ଦେଶର ଅର୍ଦ୍ଧସାମରିକ ବାହିନୀ ଉପରେ ତୃତୀୟ ଆକ୍ରମଣ ଘଟଣା। ଶୁକ୍ରବାର ପୁଲ୍ଓ୍ୱାମାର ଏକ ଚେକ୍ ପୋଷ୍ଟ୍‌ରେ ମଧ୍ୟ ଆତଙ୍କବାଦୀମାନେ ସିଆରପିଏଫ୍‌ ଯବାନଙ୍କ ଉପରକୁ ସମାନ ତରିକାରେ ଗୁଳି କରିଥିଲେ। ଶନିବାରର ଏହି ଆକ୍ରମଣ ପାଇଁ ଲସ୍କର୍‌-ଏ-ତୋଇବା (ଏଲ୍ଇଟି) ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଏକ ସଂଗଠନ ନିଜକୁ ଦାୟୀ କରିଛି। ଏହି ସଂଗଠନର ନାମ ହେଉଛି ଦ ରେଜିଷ୍ଟାନ୍ସ ଫ୍ରଣ୍ଟ୍‌ (ଟିଆର୍ଏଫ୍) ଏହି ସଂଗଠନ ଜେକେ ଫାଇଟର୍ସ ନାମରେ ମଧ୍ୟ ଜଣାଶୁଣା ଓ ଏହି ସଂଗଠନକୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବା ସକାଶେ ପ୍ରସ୍ତୁତ କରିଥିବା ନିକଟରେ ଏକ ଇଂରାଜୀ ଗଣମାଧ୍ୟମ ତା’ର ରିପୋର୍ଟରେ ପ୍ରକାଶ କରିଥିଲା। ଆହତ ତିନି ସିଆରପିଏଫ୍‌ ଯବାନଙ୍କୁ ନିକଟସ୍ଥ ଏସଡିଏଚ୍ ହସ୍ପିଟାଲରେ ଭତ୍ତି କରାଯାଇଛି। ଏହି ଗୁଳିକାଣ୍ଡ ଘଟଣା ପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ତଲାସୀ ଅଭିଯାନ ଜାରି ରହିଥିବା ସିଆରପିଏଫ୍ ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ