କଶ୍ମୀରରେ ଏନ୍କାଉଣ୍ଟର୍ : ୪ ଆତଙ୍କବାଦୀ ନିପାତ, ଜଣେ ଯବାନ ସହିଦ
ଶ୍ରୀନଗର : ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ଆଜି ପ୍ରଥମ ଥର ପାଇଁ ଆତଙ୍କବାଦୀମାନେ ସିରିଜ୍ ଆକ୍ରମଣ କରିଛନ୍ତି । ତିନୋଟି ସ୍ଥାନରେ ଆତଙ୍କବାଦୀ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିଲେ ମଧ୍ୟ ସୁରକ୍ଷା ବାହିନୀର ସଫଳ ରଣନୀତି ଯୋଗୁଁ ଏହାକୁ ପଣ୍ଡ କରିଦିଆଯାଇଛି । ଗାନ୍ଦରବଲ ଏବଂ ରାମବଲ ଜିଲ୍ଲାରେ ହୋଇଥିବା ଅପରେସନରେ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଗାନ୍ଦରବଲରେ ସୁରକ୍ଷା ବାହିନୀ ଉପରେ ଅତର୍କିତ ଗୁଳିମାଡ଼ କରିଥିବା ୨ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣକୁ ନିପାତ କରାଯାଇଛି । ରାମବନରେ ଏକ ପରିବାରକୁ ଆତଙ୍କବାଦୀମାନେ ପଣବନ୍ଦୀ ରଖିବାକୁ ପ୍ରୟାସ କରିଥିଲେ । ସେନାର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସେଠାରେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରି ପରିବାରକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ପ୍ରାୟ ୫ ଘଣ୍ଟାର ଗୁଳି ବିନିମୟ ପରେ ଏହି ଅପରେସନ ସଫଳ ହୋଇଛି । ଗାନ୍ଦରବାଲରେ ଏନ୍କାଉଣ୍ଟର୍ ସମୟରେ ୨ ଜଣ ଯବାନ ଆହତ ହୋଇଛନ୍ତି । ଶ୍ରୀନଗରରେ ମଧ୍ୟ ଆତଙ୍କବାଦୀମାନେ ସେନାର ଟ୍ରକ୍ ଉପରକୁ ଗ୍ରେନେଡ ମାଡ଼ କରିବାକୁ ଉଦ୍ୟମ କରିଥିଲେ । ତେବେ ବ୍ୟାପକ ସତର୍କତା ପଦକ୍ଷେପ ଯୋଗୁଁ ଏହି ଆକ୍ରମଣକୁ ମଧ୍ୟ ବିଫଳ କରିଦିଆଯାଇଛି । ରାମବନରେ ଅପରେସନ ବେଳେ ଜଣେ ଯବାନ ସହିଦ ହୋଇଯାଇଛନ୍ତି ଏବଂ ଦୁଇ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି । ରାମବନରେ ଆତଙ୍କବାଦୀମାନେ ଗୋଟିଏ ପରିବାରକୁ ପଣବନ୍ଦୀ କରିବା ପାଇଁ ସେମାନଙ୍କ ଘରେ ଆକ୍ରମଣ କରିଥିଲେ । ଏ ସଂପର୍କରେ ଖବର ପାଇ ତକ୍ରାଳ ସେନା ସମଗ୍ର ଅଂଚଳକୁ ଘେରି ଯାଇଥିଲେ ଏବଂ ଆତଙ୍କବାଦୀମାନେ ଆଉ ଖସିବାକୁ ବାଟ ପାଇନଥିଲେ । ୫ ଘଣ୍ଟାର ଗୁଳି ବିନିମୟ ପରେ ସମସ୍ତ ୩ ଆତଙ୍କବାଦୀ ନିପାତ ହୋଇଥିଲେ ଏବଂ ପରିବାରର ସମସ୍ତ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।


