କଷାଫଳରେ ବିଜେପିର ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ
ବାଲେଶ୍ୱର, (ସରୋଜ ପଣ୍ଡା):ବିଜେପି ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଷାଫଳ ପଞ୍ଚାୟତର ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ବୁଧବାର ଅନୁଷ୍ଠିତ ହୋଇଯାଇଅଛି । ୫ଶହରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ପଞ୍ଚାୟତ ସଭାପତି ମୁକୁନ୍ଦ ଆଦିକ ଏହି ସମ୍ମିଳନୀ ପରିଚାଳନା କରିଥିଲେ । ବିଜେପି ଯୁବମୋର୍ଚ୍ଚା ଉପ-ସଭାପତି ତଥା ସଦର ନିର୍ବାଚନମଣ୍ଡଳୀର ନେତା ମାନସ କୁମାର ଦତ୍ତ ଏଥିରେ ଯୋଗଦେଇ ଆସନ୍ତା ୨୦୨୪ ନିର୍ବାଚନର ରଣନୀତି ସମ୍ପର୍କରେ ଆଲୋଚନା ସହ ଦଳୀୟ ସଂଗଠନ ଓ ଜନସମସ୍ୟା ସମାଧାନ ଉପରେ ଫୋକସ ପାଇଁ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ବିଶେଷ କରି ସଦର ନିର୍ବାଚନମଣ୍ଡଳୀରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନରେ ପକ୍ଷପାତିତା, ଉତ୍ପାଦିତ ଫସଲର ଅଭାବୀ ବିକ୍ରି, ଧାନ ସଂଗ୍ରହରେ ଚାଷୀଙ୍କ ସ୍ୱାର୍ଥରକ୍ଷାକୁ ଗୁରୁତ୍ୱ ଦିଆନଯିବା, ଶୀତଳଭଣ୍ଡାର ନଥିବା ଯୋଗୁଁ କ୍ଷତି ସହୁଥିବା ପରିବା ଚାଷୀଙ୍କ ସମସ୍ୟା ସମାଧାନରେ ପ୍ରଶାସନର ଖାମଖିଆଲି କାର୍ଯ୍ୟଧାରା ଓ ଆଳୁମେଦା-କଷାଫଳକୁ ରାସ୍ତାର ଡୁବୁଡୁବି ପୋଲ ନିର୍ମାଣରେ ରାଜ୍ୟ ସରକାରଙ୍କ କାଳକ୍ଷେପଣ ନୀତି ସମ୍ପର୍କରେ ଶ୍ରୀ ଦତ୍ତ ତୀବ୍ର ସମାଲୋଚନା କରିଥିଲେ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟର ସୁଫଳ କିପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ ସେ ବାବଦରେ ଉଚିତ ପଦକ୍ଷେପ ନେବାକୁ ସେ ଗୁରୁତ୍ୱ ଦେଇଥିଲେ । ଦିବଂଗତ ନେତା ତଥା ପୂର୍ବତନ ବିଧାୟକ ମଙ୍ଗୁଭାଇଙ୍କ ଅଧୁରା ସ୍ୱପ୍ନକୁ ସାକାର ସାଙ୍ଗକୁ ଆଗାମୀ ନିର୍ବାଚନରେ ସଫଳତା ପାଇଁ ଶ୍ରୀ ଦତ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ସରପଞ୍ଚ ଜୟନ୍ତୀ ଆଦିକ, ସମିତିସଭ୍ୟା ପ୍ରିୟଙ୍କା ଜେନା, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ନାଏବ ସରପଞ୍ଚ ପ୍ରିୟରଞ୍ଜନ ପୃଷ୍ଟି, ପଞ୍ଚାୟତ ଉପ ସଭାପତି ମନ୍ମଥ ବେହେରା, ମାୟାଧର ପ୍ରଧାନ, ସତ୍ୟଜିତ ଜେନା, ଅମଲ ମଣ୍ଡଳ, ହରେକୃଷ୍ଣ ଖଣ୍ଡା, ପୂର୍ଣ୍ଣଚନ୍ଦ୍ର ପାତ୍ର, ଶମ୍ଭୁନାଥ ଶାବଳ, ଅଶୋକ ରଣା, ସୁଶାନ୍ତ ପରିଡ଼ା, ଆଶିଷ ରାୟ, ପ୍ରଭାତ ବେହେରା, ଆନନ୍ଦ ପରିଡ଼ା, ବେଣୁଧର ମଲ୍ଲିକଙ୍କ ସମେତ ୱାର୍ଡ ସଭ୍ୟ/ସଭ୍ୟା, ଦଳୀୟ ବୁଥ କର୍ମକର୍ତ୍ତା ଏଥିରେ ଉପସ୍ଥିତ ଥିଲେ ।