କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀ ନିବାସରେ ପାନୀୟ ଜଳର ଅଭାବ
ମୋହନା, (ଅଂଶୁମାନ ପଣ୍ଡା) :ଗ୍ରୀଷ୍ମଋତୁ ପ୍ରବେଶ ହେଉ ହେଉ ମୋହନା ବ୍ଲକର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖା ଦେଲାଣି । ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପାର୍ଶ୍ଵରେ ରହିଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ ନିବାସରେ ପାନୀୟ ଜଳର ଘୋର ଅଭାବ ଦେଖା ଦେଇଛି । ଆଗରୁ ଅନେକ ଥର ଏହି ଛାତ୍ରୀ ନିବାସରେ ପାନୀୟ ଜଳର ଅଭାବ ଯୋଗୁଁ ଛାତ୍ରୀ ମାନେ ରାସ୍ତା କଡରୁ ପାଣି ବୋହି ନେଇ ବ୍ୟବହାର କରୁଥିବାର ନିଜର ମଧ୍ୟ ରହିଛି । ସ୍ନାନ ଶୌଚ ପାଇଁ ନଦୀକୁ ମଧ୍ୟ ଯାଉଥିଲେ । ଯାହାକି ପୂର୍ବରୁ ଖବର କାଗଜରେ ପ୍ରକାଶ ହୋଇଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ସମସ୍ୟାର ସମାଧାନ ହୋଇ ପାରିନି । ଯାହା ଦ୍ୱାରା ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତ୍ୟେକ ଦିନ ୧୧ ଶହ ଟଙ୍କା ବିନିମୟରେ ବାହାରୁ ପାଣି ଟାଙ୍କି କିଣି ଆଣି ଯୋଗାଇଥାନ୍ତି । ସେହି ପାଣିକୁ ଛାତ୍ରୀ ମାନେ ବିଭିନ୍ନ କାମରେ ଲଗାଇଥାନ୍ତି । ଏହା ମଧ୍ୟ ସମୁଦ୍ରକୁ ଶଙ୍ଖେ । ପାନୀୟ ଜଳର ଅଭାବ ଯୋଗୁଁ ପ୍ରତ୍ୟେକ ଦିନ ଛାତ୍ରୀ ମାନେ ବାହାରୁ ପାଣି ବୋତଲ କିଣିବାକୁ ପଡୁଥିବା କହିଛନ୍ତି । ପାନୀୟ ଜଳର ସମସ୍ୟା ଦୂର କରିବା ପାଇଁ ନୂତନ ନଳକୂପ ଖନନ ସହ ଘରୋଇ ପାଇ ଲାଇନ ସଂଯୋଗ କରିବାକୁ ବିଡ଼ିଓ, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କୁ ଏକ ଲିଖିତ ଅଭିଯୋଗ ବିଦ୍ୟାଳୟ କର୍ତ୍ତୃପକ୍ଷ ଦେଇଛନ୍ତି ।


