କସ୍ତୁରବା ନାରୀ ମହଲର କୁମାର ଉତ୍ସବ
ଭୁବନେଶ୍ୱର,: ରବୀନ୍ଦ୍ର ମଣ୍ଡପ ରେ କସ୍ତୁରବା ନାରୀ ମହଲର ବାର୍ଷିକ ଉତ୍ସବ ଓ କୁମାର ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରଘୁନାଥ ମିଶ୍ର ସମ୍ମାନିତ ଅତିଥି ଭାବେ ଆକାଶବାଣୀର ଅବସରପ୍ରାପ୍ତ ଉପମହାନିର୍ଦ୍ଦେଶିକା ଶ୍ରୀମତୀ ସୁଧା ମିଶ୍ର ଯୋଗ ଦେଇ ନାରୀ ସର୍ବଶକ୍ତିମାନ, ଦୃଢ ମନୋବଳଧାରିଣୀ ଓ ସମାଜ ତଥା ପରିବାରକୁ ଦିଗ୍ଦର୍ଶନ ଦେଇଥାଏ । ନାରୀକୁ ବାଦ୍ ଦେଲେ ସମାଜ ତିଷ୍ଠିପାରିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ସଭାପତିତ୍ୱ କରିଥିଲେ କସ୍ତୁରବା ନାରୀ ମହଲର ସଭାନେତ୍ରୀ ଶ୍ରୀମତୀ ଶୈଳରାଣୀ ମିଶ୍ର । ବାର୍ଷିକ ବିବରଣୀ ପାଠ କରିଥିଲେ ସମ୍ପାଦିକା ଶ୍ରୀମତୀ ଆଶାଲତା ଦାଶ । ସଂଯୋଜନା କରିଥିଲେ ସ୍ୱର୍ଣ୍ଣ ମିଶ୍ର । ଅତିଥି ପରିଚୟ ପ୍ରଦାନ କରିଥିଲେ ସୁସ୍ମିତା ମହାନ୍ତି । ଅତିଥିମାନେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନୃତ୍ୟ ସ୍ୱରଞ୍ଚନାରେ ଶିଳ୍ପୀମାନଙ୍କ ଅଙ୍ଗରାଗ, ଭାବ ଭଙ୍ଗିମା ପ୍ରତିପାଦିତ କରିଥିଲା ଯେ ନାରୀ ସର୍ବଶକ୍ତିମାନ । ଶିଳ୍ପୀମାନଙ୍କ ନିଖୁଣ ଅଭିନୟ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ପରେ ପରେ ଶିଳ୍ପୀମାନଙ୍କ ତୁଳସୀ ଚଉରା ବନ୍ଦନା ସାଙ୍ଗକୁ କୁମାର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ ପରିବେଷଣ ଗ୍ରାମ୍ୟ ପରିବେଷର ଭ୍ରମ ସୃଷ୍ଟି କରିଥିଲା । ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ । ଉତ୍ସବଟିକୁ କାର୍ଯ୍ୟ ନିର୍ବାହ କରିଥିଲେ ପ୍ରଜ୍ଞା ମହାନ୍ତି ।


