କହ୍ନେଇପୁରରେ ଜଳ ସଙ୍କଟ, ଜଳଯୋଗାଣ ଦାବି
ଚିଲିକା (ଜୁଗାବ୍ଦ ନ୍ୟୁଜ୍) : ବାଣପୁର ବ୍ଲକ୍ ଅଧିନ ନାଚୁଣୀ ପଞ୍ଚାୟତର ଅନ୍ୟତମ ପୁରାତନ ଗ୍ରାମ କହ୍ନେଇପୁରରେ ଖରାଦିନ ଆସିଲେ ପାନୀୟ ଜଳ ପାଇଁ ଜନସାଧାରଣ ନାହିଁ ନ ଥିବା ଡ଼ହଳବିକଳ ହେଉଥିବା ପ୍ରକାଶ । ଗ୍ରାମରେ ୧୫୦ରୁ ଊଦ୍ଧ୍ୱର୍ ପରିବାର ବସବାସ କରୁଥିବା ବେଳେ ଗ୍ରାମରେ ଥିବା ୨ଟି ନଳକୂଅ ମଧ୍ୟରୁ ଗୋଟିଏରୁ ସ୍ୱଳ୍ପ ପାଣି ବାହାରୁଛି । ଗ୍ରାମର ଏକମାତ୍ର ଜଳଉତ୍ସ ମଙ୍ଗଳାମନ୍ଦିର କୂଅ ଜଳସ୍ତର ଶୁଖିବାକୁ ବସିଲାଣି । ୧୬ନଂ ଜାତୀୟ ରାଜପଥ ଅତିକ୍ରମକଲେ ନାବଡ଼ା ପୋଖରୀ ତଥା ଗ୍ରାମ ଉପକଣ୍ଠରେ ଥିବା ନୂଆ ପୋଖରୀରେ ଉଭୟ ପଶୁ ସଂପଦ ଓ ଗ୍ରାମବାସୀ ସ୍ନାନ ଶୌଚାଦି ସହ ଦୈନନ୍ଦିନ ବ୍ୟବହାର ପାଇଁ ଜଳ ସଂଗ୍ରହ କରିଥାନ୍ତି । ଅସନା ଜଳ ବ୍ୟବହାର କରି ଲୋକଙ୍କର ସ୍ୱାସ୍ଥ୍ୟ ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି । ପାଖଗ୍ରାମକୁ ଜଳଯୋଗାଣ ହେଉଥିବା ବେଳେ କହ୍ନେଇପୁର ଗ୍ରାମବାସୀ ଏଥିରୁ ବଞ୍ôଚତ ରହିଥିବା ପ୍ରକାଶ । ଦୀର୍ଘଦିନରୁ ଏଠାକୁ ପାନୀୟ ଜଳଯୋଗାଣ ପାଇଁ ଦାବି ହୋଇଆସୁଛି । ଜରୁରୀ ଜଳ ସଂକଟ ସମାଧାନ ପାଇଁ ଗ୍ରାମକୁ ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଣ ପାଇଁ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।


