କାଂଜିଆମା ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ : ଦୁଇ ଦିନରେ ୫ ଗୁରୁତର
ହିଂଜିଳିକାଟୁ, (ଶେଷଦେବ ସାହୁ): ଗତ ଦୁଇ ଦିନ ଧରି ହିଂଜିଳି ଥାନା କାଂଜିଆମା ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଦେଖାଦେଇଛି । ପାଗଳ ମାଙ୍କଡ ଼କାମୁଡ଼ାରେ ସଂପୃକ୍ତ ଗ୍ରାମର ୫ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଗତ ଦୁଇ ଦିନ ଧରି ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଦେଖାଦେଇଥିଲେ ମଧ୍ୟ ଘୁମୁସର ବନଖଣ୍ଡ ପକ୍ଷରୁ କୌଣସି ପଦକ୍ଷେପଗ୍ରହଣ କରାଯାଇନଥିବା ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ରବିବାର ଓ ସୋମବାର ଦିନ ପାଗଳ ମାଙ୍କଡ଼ କାମୁଡ଼ାରେ ୪ ଜଣ ମହିଳା ଓ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ସୋମବାର ସକାଳ ପ୍ରାୟ ୭ ଟାରେ ହିଂଜିଳି ଥାନା କାଂଜିଆମା ଗ୍ରାମର ମହିଳା ଗୋଲାପି ଜେନା ଘରର ବାରିପଟେ କାମ କରୁଥିବା ବେଳେ ପାଗଳ ମାଙ୍କଡ଼ ଆସି ମହିଳାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ କାମୁଡ଼ି କ୍ଷତାକ୍ତ କରିଦେବା ସହ ପୁର୍ନବାର ପଡ଼ୋଶୀ ଘରର ବୃଦ୍ଧ ବିଦ୍ୟାଧର ଜେନା (୭୦) ଘର ସମ୍ୁଖ ଚଟାଣରେ ବସିଥିବା ବେଳେ ମାଙ୍କଡ଼ଟି ବୃଦ୍ଧଙ୍କ ବାହୁକୁ କାମୁଡ଼ି ଦେଇଥିଲା ଗ୍ରାମବାସୀ ଗୁରୁତର ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଗୁରୁୂତର ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରକାଶ ଥାଉକି, ରବିବାର ସଂପୃକ୍ତ ଗ୍ରାମର ୩ ଜଣ ମହିଳାଙ୍କୁ ପାଗଳ ମାଙ୍କଡ଼ ଟି କାମୁଡ଼ି କ୍ଷତାକ୍ତ କରି ଦେଇଥିଲା । ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଖେଳିଥିବାରୁ ଗ୍ରାମରେ ଆତଙ୍କ ଖେଳିଯାଇଛି । ଘଟଣା ନେଇ ଆସିକା ବନବିଭାଗୀୟ ଅଧିକାରୀ ହରିକୃଷ୍ଣ ମଲ୍ଲିକଙ୍କୁ ପଚାରିବାରୁ ସେ କହିଲେ ସୋମବାର ଅପରାହ୍ନରେ କର୍ମଚାରୀ ମାନେ କାଂଜିଆମା ଗ୍ରାମକୁ ଯାଇଛନ୍ତି । ଟାଭ୍କୁଲାଇଜର ସାହାର୍ଯ୍ୟରେ ପାଗଳ ମାଙ୍କଡ଼ଟିକୁ କାବୁ କରିବା ପାଇଁ ଉଦ୍ୟମ ଜାରୀ ରହିଛି । ଖବର ଲେଖା ହେବା ସୁଦ୍ଧା ପାଗଳ ମାଙ୍କଡ଼ଟିକୁ କାବୁ କରାଯାଇ ପାରିନଥିବା ଜଣାପଡ଼ିଛି ।