କାଉଁରିଆ କାଠି ଅମୂଲ ମୂଲ
ଶେରଗଡ, (ଅନୀଲ କୁମାର ପଣ୍ଡା):ଆଉ ଦୁଇ ଦିନ ପରେ ଆସୁଛି ଆଲୋକ ର ପର୍ବ ଦିପାବଳୀ। ଶୁକ୍ରବାର ଦିନ ସବୁଠି ପାଳନ ହେବ ଆଲୋକ ର ପର୍ବ ଦୀପାବଳି। ଏହି ଦିନକୁ ପୟା ଶ୍ରାଦ୍ଧ ବୋଲି କୁହାଯାଏ। ପିତୃପୁରୁଷଙ୍କ ଅମର ଆତ୍ମାର ସଦଗତି ଲାଗି ଦୀପାବଳି ଦିନ ରାତିରେ ବଡବଡୁଆ ଙ୍କୁ ଡକାଯାଏ। ବଡବଡୁଆ ଡକାଗଲା ବେଳେ କାଉଁରିଆ କାଠି ବା ଫେମ୍ପେଈ ଜଳାଯାଏ। ଏହା ଆମର ଏକ ପରମ୍ପରା। ଏହି ପୟା ଶ୍ରାଦ୍ଧ ବା ଦୀପାବଳି ଲାଗି ଏହି ଅଞ୍ଚଳରେ ଏବେ କାଉଁରିଆ କାଠି ଅମୂଲ୍ୟ ମୂଲ୍ୟ ହୋଈପଡିଥିବା ଜଣାପଡିଛି। ଚାରି ରୁ ପାଞ୍ଚଟି କାଉଁରିଆ କାଠି କୁ ନେଇ ଗୋଟିଏ ବିଡା କରି ଦଶ ଟଙ୍କା ରେ ବିକ୍ରି କରାଯାଉଛି। କିଛି ବର୍ଷ ତଳେ ଶେରଗଡ ଅଞ୍ଚଳରେ ଚାଷୀ ନଳିତା ଚାଷ କରୁଥିଲା। କିନ୍ତୁ ବର୍ତ୍ତମାନ ଶେରଗଡ ଅଞ୍ଚଳରେ ନଳିତା ଚାଷ ବୁଡିଯିବାକୁ ବସିଲାଣି। ଏଥି ଯୋଗୁଁ ବଡବଡୁଆ ଡାକିବାକୁ କାଉଁରିଆ କାଠି ଖଣ୍ଡେ ମିଳିବା ମୁସ୍କିଲ ହୋଈପଡିଛି। ପୂର୍ବରୁ ଶେରଗଡ ଅଞ୍ଚଳରେ ନଳିତା ଚାଷ ହେଉଥିଲା। ଝୋଟ ଉତ୍ପାଦନ ହୋଇ ବାହାର ରାଜ୍ୟ କୁ ରପ୍ତାନୀ ହେଉଥିଲା। ବର୍ତ୍ତମାନ ପ୍ଲାଷ୍ଟିକ ଯୁଗରେ ଝୋଟ ର ଚାହିଦା କମିଯିବାରୁ ଲୋକମାନେ ଆଉ ନଳିତା ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। କାରଣ, ଏହି ଚାଷ ବ୍ୟୟସାପେକ୍ଷ ହୋଈପଡୁଛି ଏବଂ ବଜାର ଦର କମିଯାଉଛି। ନଳିତା ଚାଷ ରେ ଲାଭ ହେଉନଥିବାରୁ ଲୋକମାନେ ଆଉ ଏହି ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି।। ନଳିତା ଚାଷ ଅଧିକ ହେଉନଥିବାରୁ ଦୀପାବଳି କୁ କାଉଁରିଆ କାଠି ଖଣ୍ଡେ ମିଳିବା କଷ୍ଟକର ହୋଈପଡୁଛି। ଚାଷୀ ଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ ରେ ତାଲିମ ଦିଆଯାଈ ଆବଶ୍ୟକ ପ୍ରୋତ୍ସାହନ ପ୍ରଦାନ କରାଗଲେ ଏହି ଚାଷ ପୁଣି ଆଦୃତ ଲାଭ କରନ୍ତା। ବିଶେଷ କରି ଝୋଟ ର ବଜାର ଦର ଠିକ ରହିଲେ ଚାଷୀ ନଳିତା ଚାଷ ପ୍ରତି ଆଗ୍ରହ ପ୍ରକାଶ କରନ୍ତା। ନଳିତା ଚାଷ ପ୍ରତି ଚାଷୀ ଆଗ୍ରହ ପ୍ରକାଶ ନକଲେ ଆଗକୁ କାଉଁରିଆ କାଠି ଖଣ୍ଡେ ମିଳିବା କଷ୍ଟକର ହୋଈପଡିବ ବୋଲି ଲୋକମାନେ ପ୍ରକାଶ କରିଛନ୍ତି।