କାଏମ ରହିଲା ରାହୁଲଙ୍କ ପ୍ରାର୍ଥିତ୍ୱ
ନୂଆଦିଲ୍ଲୀ(ଏଜେନ୍ସି): ଉତ୍ତରପ୍ରଦେଶ ଆମେଥି ଲୋକସଭା ଆସନ ପାଇଁ ନାମାଙ୍କନ ଭରିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାମାଙ୍କନ କାଏମ୍ ରହିଛି । ତାଙ୍କ ପ୍ରାର୍ôଥପତ୍ର ଖାରଜ କରିବା ଦାବିରେ ଯେଉଁସବୁ ଆବେଦନ ହୋଇଥିଲା ସେସବୁ ନାକଚ୍ ହୋଇଯିବା ସହ ତାଙ୍କ ପ୍ରାର୍ଥୀତ୍ୱକୁ ବୈଧ ଘୋଷିତ କରାଯାଇଛି । ଆମେଥି ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଜିଲ୍ଲା ମାଜିଷ୍ଟ୍ରେଟ୍ କୋର୍ଟରେ ରିଟର୍ଣ୍ଣିଂ ଅଫିସର ଏସମ୍ପର୍କରେ ଘୋଷଣା କରିଛନ୍ତି । ସୋମବାର ଏହି ମାମଲାର ଶୁଣାଣି କରି ଆମେଥୀ ରିଟର୍ଣ୍ଣିଂ ଅଫିସର ରାମ ମନୋହର ମିଶ୍ର କହିଛନ୍ତି, ରାହୁଲଙ୍କ ନାମାଙ୍କନରେ କୌଣସି ତ୍ରୁଟି ନାହିଁ । ରାହୁଲ ଭାରତରେ ଜନ୍ମ ହୋଇଛନ୍ତି, ତାଙ୍କ ପାଖରେ ଭାରତର ପାସପୋର୍ଟ ରହିଛି । ସେ କେବେବି ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିନାହାଁନ୍ତି । ସେହିପରି ରାହୁଲଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି । ୧୯୯୫ ମସିହାରେ ରାହୁଲ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଏମ୍ଫିଲ୍ ଡିଗ୍ରୀ ହାସଲ କରିଥିବାର ପ୍ରମାଣ ମଧ୍ୟ ରହିଛି । ରାହୁଲଙ୍କ ପକ୍ଷରୁ ତାଙ୍କ ଓକିଲ କେ.ସି କୌଶିକ୍ ଉପସ୍ଥିତ ରହି ସମସ୍ତ ଅଭିଯୋଗର ଉତ୍ତର ଓ ପ୍ରମାଣ ରଖିଥିଲେ । ପ୍ରକାଶ ଯେ, ଗତ ଶନିବାର ନାମାଙ୍କନ ପତ୍ରର ଯାଞ୍ଚ ବେଳେ ରାହୁଲଙ୍କ ନାଗରିକତ୍ୱ, ଶିକ୍ଷାଗତ ଯୋଗ୍ୟତା ତଥା ସମ୍ପତ୍ତି ପରିମାଣର ତଥ୍ୟ ସମ୍ପର୍କରେ ଭୁଲ୍ ସୂଚନା ଦେଇଥିବା ଅଭିଯୋଗ ହୋଇଥିଲା । ବହୁଜନ ମୁକ୍ତି ପାର୍ଟିର ଅଫ୍ଜଲ ବାରିଶ, ସ୍ୱାଧୀନ ପ୍ରାର୍ଥୀ ଧ୍ରୁବଲାଲ, ସୁରେଶ କୁମାର ଏବଂ ସୁରେଶ ଚନ୍ଦ୍ର ଯାଦବ ରିଟର୍ଣ୍ଣିଂ ଅଫିସରଙ୍କ ସମ୍ମୁଖରେ ରାହୁଲଙ୍କ ବିପକ୍ଷରେ ଏସବୁ ଅଭିଯୋଗ ଉଠାଇବା ସହ ତାଙ୍କ ନାମାଙ୍କନକୁ ଖାରଜ କରିବାକୁ ଦାବି କରିଥିଲେ । ଏପରିକି ସେମାନେ କିଛି ରାହୁଲଙ୍କ ବିପକ୍ଷରେ କିଛି ପ୍ରମାଣ ମଧ୍ୟ ଦାଖଲ କରିଥିଲେ ।