କାକଟପୁର ମୁଖ୍ୟ ରାସ୍ତାରେ ବେଆଇନ ପାର୍କିଂ

କାକଟପୁର : କାକଟପୁର ମୁଖ୍ୟରାସ୍ତାର କଲେଜ ଛକରୁ ମେଡିକାଲ ଛକ ଓ ବଜାର ମୁଖ୍ୟ ରାସ୍ତାଠାରୁ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱର୍ରେ ଜବରଦଖଲ ବୃଦ୍ଧି ସାଙ୍ଗକୁ ଦୁଇ ଚକିଆ ଯାନ ସହ ଚାରି ଚକିଆ ଯାନଗୁଡ଼ିକୁ ବେଆଇନ ଓ ଅତି ବେପରୁଆ ଭାବେ ଗାଡି ଚାଳକ ପାର୍କିଂ କରୁଥିôବାରୁ ରାସ୍ତା ଜାମ୍ ସାଙ୍ଗକୁ ଟ୍ରାଫିକ୍ ସମସ୍ୟା ଦେଖାଦେଇ ଗୁରୁତର ହେବାରେ ଲାଗିଛି । ସ୍ଥାନୀୟ ପୁଲିସ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପରିବର୍ତ୍ତେ ହୋମଗାର୍ଡଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରୁଥିବାରୁ ଟ୍ରାଫିକ୍ ସେବା ବିପର୍ଯ୍ୟସ୍ତର ଅନ୍ୟ ଏକ କାରଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନା ଥାଉ କି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା’ମଙ୍ଗଳା ମନ୍ଦିର ଏବଂ ଶବରପଲ୍ଲୀ ଭାବେ ବିଦିତ ଦେଉଳୀ ମଠକୁ ଦର୍ଶନ ନିମନ୍ତେ ପ୍ରତିଦିନ ଶତାଧିକ ପର୍ଯ୍ୟଟକ ଆସୁଛନ୍ତି । କିନ୍ତୁ ଏଠାକୁ ଆସି ଟ୍ରାଫିକ ସମସ୍ୟା ଯୋଗୁଁ ନାହିଁ ନଥିବା ହଇରାଣ ହରକତ ହେଉଥିବା ଜଣାପଡ଼ିଛି । ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ରାସ୍ତା ମଝିରେ ଅପେକ୍ଷା କରିବାକୁ ପଡ଼ୁଛି । କେତେକ ବ୍ୟବସାୟୀ ପ୍ରତିଷ୍ଠାନ ରାସ୍ତାକୁ ମାଡି ପସରା ମେଲାଇ ଅବାଧରେ ବେପାର କରୁଥିôବାବେଳେ ଆଉ କେତେକ ବ୍ୟବସାୟୀ ସ୍ଥାୟୀ ଘର କରି ହୋଟେଲ, ଜଳଖିଆ ଦୋକାନ ଓ ପାନ ଦୋକାନ କରିଥିବାରୁ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ଆଗରେ ଗ୍ରାହକ ଅତି ବେପରୁଆ ଭାବେ ଗାଡି ରଖି ଦୋକାନ ସମ୍ମୁଖରେ ଦୀର୍ଘ ସମୟ ଧରି ଆଡ୍ଡା ଜମାଉଛନ୍ତି । ସ୍ଥାନୀୟ ପୁଲିସ ଏ ଦିଗରେ ସାମାନ୍ୟତମ ଦୃଷ୍ଟି ଦେଉନାହାନ୍ତି । ଏମିତିକି, ସରକାରୀ ଛୁଟି ଦିବସ ସହ ବହୁ କାର୍ଯ୍ୟ ଦିବସରେ ରାଜ୍ୟର ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀ ସପରିବାର ରାସ୍ତା ପାଶ୍ୱର୍ରେ ଅତି ବେପରୁଆ ଭାବେ ଗାଡି ପାର୍କିଂ କରୁଥିବା ନଜରକୁ ଆସିଛି । ଅପର ପକ୍ଷରେ ରାସ୍ତା ପାଶ୍ୱର୍ରେ ବେଆଇନ ଗାଡି ପାର୍କିଂ ସାଙ୍ଗକୁ ରାସ୍ତା ଉପରେ କେତେକ ସ୍ଥାନୀୟ ଲୋକ ତଥା ବ୍ୟବସାୟୀ ବାଲି, ଗୋଡି, ବାଉଁଶ, ରଡ୍, ଚିପ୍ସ, ବହ୍ଲା, କାଠ ଗଣ୍ଡି ଜମା କରି ରାସ୍ତା ଅବରୋଧ କରୁଥିବାରୁ ଅଧିକାଂଶ ସମୟ ପଥଚାରୀ ଦୁର୍ଘଟଣାର ଶିକାର ହେଉଛନ୍ତି । ବାରମ୍ବାର ଦାବି ସତ୍ତେ୍ୱ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉ ନଥିବା ବେଳେ ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ